କଟକ,୧୯/୨: ଐତିହାସିକ କଟକ ସହରରେ ରହିଛି ବ୍ରିଟିଶ୍ ଅମଳର ଅନେକ କୋଠାଘର । ସେଥିରୁ ଅନ୍ୟତମ ହେଉଛି ବକ୍ସିବଜାର ସ୍ଥିତ ପଲଟନ୍ ମସଦ୍ । ପ୍ରତିବର୍ଷ ଭଳି ଏଠାରେ ଚଳିତ ବର୍ଷ ରମଜାନ୍ ମାସରେ ସ୍ୱତନ୍ତ୍ର ତରାବି ନମାଜ କରାଯିବ । ଯେଉଁଠି ପ୍ରତ୍ୟହ ୫ ଶହରୁ ଅଧିକ ଲୋକ ନମାଜ ପାଠ କରିଥାନ୍ତି । ବିଶେଷକରି ମାସଟା ଯାକ ସମୂହ ଇଫତାରି ହୋଇଥାଏ । ପରିଚାଳନା କମିଟି ସମେତ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ପ୍ରତିଦିନ ୩ଶହ ପାଖାପାଖି ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଥାଏ । ବିଭିନ୍ନ ସ୍ଥାନରୁ ଲୋକମାନେ ଆସି ଏଠାରେ ନମାଜ ପାଠ କରିଥାନ୍ତି । ରମ୍ଜାନ୍ ମାସକୁ ଦୃଷ୍ଟିରେ ରଖି ସଫାସୁତୁରା ସହିତ ରଙ୍ଗ କାମ ଆଦି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ପ୍ରାମାଣିକ ସୂଚନାନୁଯାୟୀ , ପଲଟନ୍ ମସ୍ଜିଦ୍ ପ୍ରଥମେ ୧୭୫୧ ମସିହାରେ ନିର୍ମାଣ କରାଯାଇଥିଲା । ସେତେବେଳ ଛୋଟ ଘରେ ନମାଜ ପାଠ କରାଯାଉଥିଲା । ଜନାବ୍ ମରଦ୍ ରଜିଆଲାନାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଜମି ଉପରେ ଏହା ନିର୍ମାଣ ହୋଇଛି । ତାଙ୍କ ଶେଷ ଇଚ୍ଛା ଅନୁସାରେ ଆଜି ବି ମସ୍ଜିଦ୍ ଭିତରେ ଯେଉଁଠି ଲୋକଙ୍କ ପ୍ରବେଶ ପଥ ରହିଛି ସେଠାରେ ହିଁ ତାଙ୍କର ସମାଧି ରହିଛି । ଏହାସହ ପଲ୍ଟନ୍ ଶବ୍ଦର ଅର୍ଥ ହେଉଛି ପ୍ଲାଟୁନ୍ । ତେଣୁ ଇଂରେଜ ଶାସନ ସମୟରେ ପଲ୍ଟନ୍ ନାମକ ଏକ ସମୂହ ଏଠାରେ ରହୁଥିଲେ । ସେମାନଙ୍କ ଦ୍ୱାରା ଏଠାରେ କୋଠାଘର ଓ ମସ୍ଜିଦ୍ ତିଆରି ହୋଇଥିଲା । ଯାହାଫଳରେ ଆଜି ବି ତାହା ଭିତରେ ଥିବା ବ୍ରିଟିଶ ଅମଳର ଘରେ ବସବାସ ରହିଛି ।

ଆହୁରି ପଢନ୍ତୁ- ଲୋକଙ୍କ ସେବାରେ ବ୍ରତୀ ସନ୍ନ୍ୟାସିନୀ, ଘରକୁ ଘର ବୁଲି କରନ୍ତି ମାଗଣା ଚିକିତ୍ସା, ଭିକ୍ଷା ଝୁଲି ଓ ଔଷଧ ଝୁଲା ପାଲଟିଛି ସାଥୀ

​​​​​​​ତାହାବାଦ୍ ପୁରୁଣା କାଳର ହଜ୍ ଖାନା ଥିବାରୁ ସେଠାରେ ଉଜୁ ହୋଇଥାଏ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ସମସ୍ୟା: ୨୭୪ ବର୍ଷର ଏହି ମସ୍ଜିଦ୍ର ରକ୍ଷଣାବେକ୍ଷଣ କରିବା ଦିଗରେ ସରକାରଙ୍କ ଉଦ୍ୟମ ନାହିଁ । ପ୍ରତିବର୍ଷ ଲୋକମାନଙ୍କ ଆଦାୟ ପାଣ୍ଠିରେ ଏହାର ମରାମତି ହେଉଛି । ଅନେକ ସ୍ଥାନରେ ଭିତ୍ତିଭୂମି ଦୁର୍ବଳ ମଧ୍ୟ ହୋଇଯାଇଛି । ଏନେଇ ୱାକଫ୍ ବୋର୍ଡକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଦୃଷ୍ଟି ଦିଆଯାଉ ନ ଥିବା କମିଟି ସଦସ୍ୟମାନେ କହିଛନ୍ତି ।