ଭୁବନେଶ୍ୱର,୧୨/୧୦: କଳିଙ୍ଗ ଷ୍ଟାଡିୟମର ଇନ୍ଡୋର ଆଥଲେଟିକ୍ସ ସେଣ୍ଟରରେ ଆରମ୍ଭ ହୋଇଛି ୨୮ତମ ଆଇଟିଟିଏଫ୍-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିଅନସିପ୍ । ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଚାମ୍ପିଅନସିପ୍ର ଉଦ୍ଘାଟନୀ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସିଆନ ଟିଟି ୟୁନିୟନର (ଏଟିଟିୟୁ) ପୂର୍ବ ଏସିଆର ଉପସଭାପତି ଶେଖ୍ ହାୟତ ଅଲ୍ଖଲିଫା, ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ସଂଘର ସଭାପତି ଦୁଷ୍ୟନ୍ତ ଚୌତାଲା, ଭାରତୀୟ ଟେବୁଲ ଟେନିସ୍ ସଂଘର ସଭାପତି ମେଘନା ଆହ୍ଲାୱତ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ ଏବଂ ଟୁର୍ଣ୍ଣାମେଣ୍ଟର ବ୍ରାଣ୍ଡ୍ ଆମ୍ବାସଡର ପଦ୍ମଶ୍ରୀ ଅଚନ୍ତା ଶରତ କମଲ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଚାମ୍ପିଅନସିପ୍କୁ ଉଦ୍ଘାଟନ କରି କ୍ରୀଡ଼ାମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଅନ୍ତର୍ଜାତୀୟ ଚାମ୍ପିଅନସିପ୍ର ଆୟୋଜନ କରୁଛି, ଯାହାକି ବିଶ୍ୱସ୍ତରରେ ଓଡ଼ିଶାର ବର୍ଦ୍ଧିତ ପ୍ରସିଦ୍ଧି ତଥା ଖ୍ୟାତିକୁ ଦର୍ଶାଉଛି । ଏହି ଚାମ୍ପିଅନସିପ୍ ଏଠାରେ ଆୟୋଜିତ ହେଉଥିବାରୁ ଓଡ଼ିଶା ପାଇଁ ବଡ଼ ଖୁସିର ବିଷୟ । ଏଥିରେ ଭାଗ ନେଉଥିବା ୨୨ଟି ଦେଶର ଖେଳାଳିମାନଙ୍କୁ ଆମେ ସ୍ୱାଗତ କରୁଛୁ ।’ ଅନ୍ତର୍ଜାତୀୟ ଟେବୁଲ ଟେନିସ୍ ସଂଘ, ଭାରତୀୟ ଟେବୁଲ ଟେନିସ୍ ସଂଘ, ଏସିଆନ୍ ଟେବୁଲ ଟେନିସ୍ ସଂଘ, ଓଡ଼ିଶା ସଂଘ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ଚାମ୍ପିଅନସିପ୍ରେ ଏସିଆ ମହାଦେଶର ଶ୍ରେଷ୍ଠ ଖେଳାଳିମାନେ ଭାଗ ନେଉଛନ୍ତି । ଏଥିରେ ୨୨ଟି ଦେଶରୁ ୫୦୦ରୁ ଊଦ୍ଧ୍ୱର୍ ଖେଳାଳି ଅଂଶଗ୍ରହଣ କରିଛି ।
ଆସନ୍ତା ୧୫ ତାରିଖରେ ଏହି ଚାମ୍ପିଅନସିପ୍ ଉଦ୍ଯାପିତ ହେବ । ପ୍ରଥମ ଦିବସରେ ପୁରୁଷ ବିଭାଗର ଗ୍ରୁପ୍ ମୁକାବିଲାରେ ଶ୍ରୀଲଙ୍କା ୩-୧ରେ କିର୍ଗିଜସ୍ତାନକୁ, ମଙ୍ଗୋଲିଆ ୩-୧ରେ ମାଳଦ୍ୱୀପକୁ, ଉଜବେକିସ୍ତାନ ୩-୧ରେ ଓମାନକୁ, କୋରିଆ ୩-୦ରେ ମାକାଉକୁ, ଥାଇଲାଣ୍ଡ ୩-୦ରେ ବାଂଲାଦେଶକୁ, କାତାର ୩-୧ରେ ନେପାଳକୁ, ଥାଇଲାଣ୍ଡ ୩-୦ରେ ନେପାଳକୁ, କାତାର ୩-୦ରେ ବାଂଲାଦେଶକୁ, କାଜାଖସ୍ତାନ ୩-୦ରେ କିର୍ଗିଜସ୍ତାନକୁ, ଇରାନ ୩-୦ରେ ମାଳଦ୍ୱୀପକୁ, ସିଙ୍ଗାପୁର ୩-୦ରେ ଓମାନକୁ ଏବଂ ମାଲେସିଆ ୩-୦ରେ ମାକାଉକୁ ପରାସ୍ତ କରିଛି । ମହିଳା ବିଭାଗର ଗ୍ରୁପ୍ ମ୍ୟାଚ୍ରେ ଶ୍ରୀଲଙ୍କା ୩-୦ରେ ମଙ୍ଗୋଲିଆକୁ, କାଜାଖସ୍ତାନ ୩-୦ରେ ମାଳଦ୍ୱୀପକୁ, ମାକାଉ ୩-୨ରେ ଉଜବେକିସ୍ତାନକୁ, ମାଲେସିଆ ୩-୦ରେ ନେପାଳକୁ, ଇରାନ ୩-୦ରେ କିର୍ଗିଜସ୍ତାନକୁ, ଚାଇନିଜ୍ ତାଇପେଇ ୩-୦ରେ ବାଂଲାଦେଶକୁ, ମାଲେସିଆ ୩-୦ରେ କିର୍ଗିଜସ୍ତାନକୁ, ଇରାନ ୩-୦ରେ ନେପାଳକୁ, ଥାଇଲାଣ୍ଡ ୩-୦ରେ ଶ୍ରୀଲଙ୍କାକୁ, ସିଙ୍ଗାପୁର ୩-୦ରେ ମାଳଦ୍ୱୀପକୁ, ଚାଇନିଜ୍ ତାଇପେ ୩-୦ରେ ମାକାଉକୁ, ଉଜବେକିସ୍ତାନ ୩-୦ରେ ବାଂଲାଦେଶକୁ ହରାଇଥିଲା । ଚାମ୍ପିଅନସିପ୍ର ଟପ୍ ସିଡେଡ୍ ଦଳ ଏବଂ ଆୟୋଜକ ଭାରତ ଆସନ୍ତାକାଲିଠୁ ଅଭିଯାନ ଆରମ୍ଭ କରିବେ ।