ଭୁବନେଶ୍ୱର,୨୮/୦୭: ଖୋର୍ଦ୍ଧା ଜିଲ୍ଲାରେ ନିୟନ୍ତ୍ରଣ ବାହାରକୁ ଯାଉଛି ଡେଙ୍ଗୁ । ସମଗ୍ର ଜିଲ୍ଲାରେ ଯେତିକି ରୋଗୀ ଅଛନ୍ତି ତାହାର ୬୦ ଭାଗ କେବଳ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି ।  ରବିବାର ରାତି ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୨୯୪  ରୋଗୀ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଭୁବନେଶ୍ୱର  ସହରାଞ୍ଚଳରେ ୧୮୦ ଓ ଖୋର୍ଦ୍ଧାରେ ୬୧ ଜଣ  ରୋଗୀ ଅଛନ୍ତି । କେବଳ ଜୁଲାଇରେ ସଂଖ୍ୟା ୧୦୦  ଟପିଥିବା ବେଳେ ଏବେ ଆଗକୁ ଏହି ସଂଖ୍ୟା  ଅଢ଼େଇଶହ ପାର କରିଯିବ । 

ଗତ ଦୁଇବର୍ଷ ଧରି ରାଜ୍ୟରେ ସର୍ବାଧିକ ଡେଙ୍ଗୁ  ରୋଗୀ ସୁନ୍ଦରଗଡ଼ରେ ଚିହ୍ନଟ ହେଉଥିବା ବେଳେ  ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ରହୁଛି । ଭୁବନେଶ୍ୱର  ମଧ୍ୟ ହଟସ୍ପଟ୍‌ ପାଲଟୁଛି । ଏଥରକ ବି ଏହାର  ପୁନରାବୃତ୍ତି ହେବ । ଯେପରି ଭାବେ ସରକାର  ଡେଙ୍ଗୁ ପ୍ରତିରୋଧ ପାଇଁ ଗୁରୁତ୍ୱ ଦେଉଛନ୍ତି ତାହାର  କାଣିଚାଏ ବି କାମରେ ଲାଗିପାରୁନି । ବର୍ଷା ଆରମ୍ଭ  ହୋଇଥିବାବେଳେ ଏବେବି ସହରରେ ସଫେଇ  ଓ ଡ୍ରେନ୍‌ ବ୍ୟବସ୍ଥା ସୁଧୁରିପାରିନି । ବର୍ଷା ହେଲେ  ଦୀର୍ଘଦିନ ଧରି ରାସ୍ତା ଓ ବିଭିନ୍ନ ଗଳିକନ୍ଦିରେ ପାଣି  ଜମିରହୁଛି । ଯାହା ଏଡିଶ୍‌ ମଶାଙ୍କ ବଂଶବୃଦ୍ଧି ପାଇଁ  ଅନୁକୂଳ ସ୍ଥାନ ସାଜୁଛି । ରବିବାର ସୁଦ୍ଧା ଖୋର୍ଦ୍ଧାରେ  ୪,୫୯୮ ଜଣ ଓ ଭୁବନେଶ୍ୱରରେ  ୧୨ହଜାର ୪୮୧ଜଣଙ୍କ ଡେଙ୍ଗୁ  ଟେଷ୍ଟ କରାଯାଇଛି । ଜିଲ୍ଲାର ମୋଟ  ୨୧,୮୪୬ ମଶାବଂଶ ପ୍ରଜନନ ସ୍ଥାନ ଚିହ୍ନଟ  ହୋଇଥିବା ବେଳେ ସେଥିମଧ୍ୟରୁ ୨୧,୮୧୬ଟି  ସ୍ଥାନରେ ମଶାବଂଶକୁ ନଷ୍ଟ କରାଯାଇଛି । 

କେବଳ ଜନବସତି ନୁହେଁ ରାଜଧାନୀରେ ଥିବା  ସ୍କୁଲକୁ ଘାରିଛି ଡେଙ୍ଗୁ ଚିନ୍ତା । ସ୍କୁଲରେ ପାଠ ପଢୁଥିବା  କୋମଳମତି ଛାତ୍ରଛାତ୍ରୀଙ୍କୁ ଯେପରି ଡେଙ୍ଗୁ ନହୁଏ  ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି । ପ୍ରତିଦିନ  ବିଏମ୍‌ସି ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକରେ ଡେଙ୍ଗୁ  ସଚେତନତା ସହ ଆଖପାଖ ପରିସରକୁ ବିଶୋଧନ  କରାଯାଉଛି । ଏବେ ସୁଦ୍ଧା ବରମୁଣ୍ଡା, ଭରତପୁର,  ବ୍ରହ୍ମେଶ୍ୱର ପାଟଣା, ଚନ୍ଦ୍ରଶେଖରପୁର, ଗାଡ଼କଣ,  ଘାଟିକିଆ, ଆଇଆର୍‌ସି ଭିଲେଜ, ଝାରପଡ଼ା,  କଳ୍ପନା, କପିଳପ୍ରସାଦ, ନହରକଣ୍ଟା, ନିଳାଦ୍ରୀ  ବିହାର, ପାହାଳ, ପୋଖରୀପୁଟ, ରସୁଲଗଡ଼,  ସହିଦନଗର, ସାମନ୍ତପୁରୀ, ସତ୍ୟନଗର,  ଶିଖରଚଣ୍ଡୀ, ୟୁନିଟ-୩, ୟୁନିଟ-୮, ୟୁନିଟ୯ର ମୋଟ ୧୧୮ଟି ସ୍କୁଲ ପରିସରକୁ ବିଶୋଧନ  କରାଯାଇଛି । ସ୍କୁଲ ପରିସର ବିଶୋଧନ ହେଉଛି,  କିନ୍ତୁ ବିଶ୍ୱବିଦ୍ୟାଳୟ ଓ କଲେଜ କଥା  ପ୍ରଶାସନ ଭୁଲିଯାଉଛି । ଭୁବନେଶ୍ୱରରେ  ଥିବା କଲେଜ ଓ ବିଶ୍ୱବିଦ୍ୟାଳୟ ପରିସରରେ  ଘାସବଣ ସହ ନର୍ଦ୍ଦମା ପାଣି ଜମାରହୁଛି ।  ହେଲେ ସେସବୁ ସ୍ଥାନରେ ସଫେଇ ଶୂନ । ଝାଡୁ  କି କୋଦାଳ ବାଜୁନଥିବାରୁ ମଶାଙ୍କ ଉତ୍ପାତରେ  ଶୋଇବସି ହେଉନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ  କରିଛନ୍ତି । ବିଶେଷକରି ଉତ୍କଳ ବିଶ୍ୱବିଦ୍ୟାଳୟ,  ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଓୟୁଏଟି  ଭଳି ଶିକ୍ଷାନୁଷ୍ଠାନରେ ଡେଙ୍ଗୁ ନିରାକରଣ  କାର୍ଯ୍ୟକ୍ରମ ହେଉନଥିବା ଅଭିଯୋଗ  ହୋଇଛି । ତେଣୁ କର୍ତ୍ତୃପକ୍ଷ ଏଦିଗରେ  ଦୃଷ୍ଟି ଦେବାକୁ ଦାବି ହୋଇଛି । 

ଅପରପକ୍ଷେ, କ୍ୟାପିଟାଲ ହସ୍ପିଟାଲରେ  ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ରହିଛି । ଯେଉଁଠି ୧୦ଟି ଶଯ୍ୟା  ରଖାଯାଇଛି । ପ୍ରତିଦିନ ୧୫ରୁ ଅଧିକ ରୋଗୀ ଏଠାକୁ ଆସୁଛନ୍ତି । ହେଲେ ଶଯ୍ୟା ଅଭାବରୁ ରୋଗୀ  ଫେରିଯାଉଛନ୍ତି । ଯେଉଁଭଳି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା  ବୃଦ୍ଧି ପାଉଛି ଶଯ୍ୟା ସଂଖ୍ୟା ବଢ଼ାଇବା ଆବଶ୍ୟକ  ହୋଇପଡ଼ିଛି ବୋଲି ରୋଗୀ ସମ୍ପର୍କୀୟମାନେ ଦାବି  କରିଛନ୍ତି । ଆବଶ୍ୟକ ପଡ଼ିଲେ ଶଯ୍ୟା ବଢାଇବାକୁ  ଚିନ୍ତା କରିବୁ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।