ନୂଆଦିଲ୍ଲୀ: କାଇରୋର ପ୍ରସିଦ୍ଧ ଇଜିପ୍ଟ ସଂଗ୍ରହାଳୟ ବର୍ତ୍ତମାନ ଏକ ବଡ଼ ସଙ୍କଟ ଦେଇ ଗତି କରୁଛି। ପ୍ରାୟ ୩ ହଜାର ବର୍ଷ ପୁରୁଣା ଏକ ସୁନା କଙ୍କଣ ବା ବ୍ରେସଲେଟ୍ ଏଠାରୁ ଚୋରି ହୋଇଯାଇଛି । ଏହି କଙ୍କଣ କୌଣସି ସାଧାରଣ ବ୍ୟକ୍ତିଙ୍କର ନୁହେଁ, ବରଂ ଫାରୋ ରାଜା ଆମେନେମୋପେଙ୍କର ଥିଲା। ତେବେ ଏହି ସୁନା କଙ୍କଣକୁ ସୁନା ପାଇଁ ତରଳା ଯାଇଥିବା ପ୍ରକାଶ ପାଇବା ପରେ ଇଜିପ୍ଟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ପର୍ଯ୍ୟଟନ ଏବଂ ପୁରାତନ ମନ୍ତ୍ରୀ ଶରିଫ୍ ଫାଥି ଶନିବାର ଏହି ଘୋଷଣା କରିଛନ୍ତି।
ଟେଲିଭିଜନରେ ପ୍ରସାରିତ ମନ୍ତବ୍ୟରେ, ଫାଥି କହିଛନ୍ତି ଯେ ସେପ୍ଟେମ୍ବର ୯ ତାରିଖରେ କାଇରୋ ସଂଗ୍ରହାଳୟର ଏକ ସେଫ୍ ରୁ ବ୍ରେସଲେଟ୍ ବା କଙ୍କଣ ଚୋରି ହୋଇଥିଲା, ଯେତେବେଳେ ଅଧିକାରୀ ମାନେ ଇଟାଲୀରେ ଏକ ପ୍ରଦର୍ଶନୀ ପାଇଁ କଳାକୃତି ପ୍ରସ୍ତୁତ କରୁଥିଲେ। ଜଣେ ପୁନରୁଦ୍ଧାର ବିଶେଷଜ୍ଞଙ୍କ ଦ୍ୱାରା ଏହା ଚୋରି ହେବା ପରେ ଜଣେ ସୁନା ଅଳଙ୍କାର ବ୍ୟବସାୟୀଙ୍କୁ ୩୭୩୫ ଡଲାରରେ ବିକ୍ରି କରାଯାଇଥିଲା, ଯିଏ ପରେ ଏହାକୁ ୪୦୨୫ ଡଲାରରେ ଆଉ ଜଣେ ସୁନା ଅଳଙ୍କାର ତିଆରି କର୍ମଚାରୀଙ୍କୁ ବିକ୍ରି କରିଥିଲେ । ହେଲେ ସେ ଏହାକୁ ତରଳାଇ ଦେଇଥିଲେ ବୋଲି ମନ୍ତ୍ରଣାଳୟ ତାଙ୍କ ବିବୃତ୍ତିରେ କହିଛି। ଏକ CCTV କ୍ୟାମେରା ଭିଡିଓ ମଧ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ହୋଇଛି, ଯେଉଁଥିରେ ଜଣେ ଦୋକାନ ମାଲିକ ବ୍ରେସଲେଟ ଗ୍ରହଣ କରିବା, ଏହାକୁ ଓଜନ କରିବା ଏବଂ ତା'ପରେ ଅନ୍ୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଟଙ୍କା ଦେବାର ଦୃଶ୍ୟ ଦେଖିବାକୁ ମିଳୁଛି ।
ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନେ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି। ବ୍ରେସଲେଟ ଚୋରି କରି ରୋଜଗାର କରିଥିବା ଟଙ୍କା ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ବୋଲି ଅଧିକାରୀ ମାନେ କହିଛନ୍ତି।
ସୂଚନାଥାଉ କି, ଏହି ବ୍ରେସଲେଟ ପ୍ରାୟ ୧୦୦୦ ଖ୍ରୀଷ୍ଟପୂର୍ବରେ ମିଶରରେ ଶାସନ କରୁଥିବା ଫାରୋ ରାଜା ଆମେନେମୋପଙ୍କ ରାଜତ୍ୱ ସମୟର। ତେବେ ଚୋରି ହେବା ପରେ ସୁରକ୍ଷା ଏଜେନ୍ସି ଗୁଡ଼ିକ ଏହି କଙ୍କଣର ଏକ ଫଟୋଗ୍ରାଫ୍ ଦେଶର ବିମାନବନ୍ଦର, ବନ୍ଦର ଏବଂ ସୀମା ଯାଞ୍ଚ କେନ୍ଦ୍ର ଗୁଡ଼ିକୁ ପଠାଇଥିଲେ, ଯାହାଦ୍ୱାରା ଏହାକୁ ବାହାରକୁ ଚାଲାଣ କରିବାର ପ୍ରୟାସକୁ ରୋକାଯାଇ ପାରିବ।
ସଂଗ୍ରହାଳୟରୁ କଳାକୃତି ନିଖୋଜ ହେବା ପରେ, ଗୋଲାକାର ଲାପିସ୍ ଲାଜୁଲି ମଣିରେ ସଜ୍ଜିତ ବ୍ରେସଲେଟର ଏକ ପ୍ରତିଛବି ସମସ୍ତ ଇଜିପ୍ଟର ବିମାନବନ୍ଦର, ସମୁଦ୍ର ବନ୍ଦର ଏବଂ ସ୍ଥଳ ସୀମା କ୍ରସିଂଗୁଡ଼ିକୁ ପ୍ରସାରିତ କରାଯାଇଥିଲା ଯାହା ଦ୍ୱାରା ଦେଶ ବାହାରକୁ ଚୋରା ଚାଲାଣ ବନ୍ଦ ହୋଇପାରିବ। ଏହି ସୁନା କଙ୍କଣକୁ ଲାପିସ୍ ଲାଜୁଲି (ଏକ ବିଶେଷ ମୂଲ୍ୟବାନ ପଥର) ମୁକ୍ତା ପରି ମଣିରେ ଖଚିତ କରାଯାଇଥିଲା। ଏହି କାରଣରୁ ଏହାକୁ ଐତିହାସିକ ଏବଂ କଳାତ୍ମକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। କାଇରୋର ସଂଗ୍ରହାଳୟ ମଧ୍ୟପ୍ରାଚ୍ୟର ସବୁଠାରୁ ପୁରୁଣା ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ। ଏଠାରେ ପ୍ରାୟ ୧୭୦,୦୦୦ ରୁ ଅଧିକ କଳାକୃତି ରଖାଯାଇଛି।