ଗଞ୍ଜାମ, ୧୮।୪: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ତାତି ସହ ଝାଞ୍ଜି ପବନ କଳବଳ କରୁଛନ୍ତି। ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗଞ୍ଜାମ ଜିଲ୍ଲାରେ ସୋମବାର ଠୁ ୩ ଦିନ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୨୦, ୨୧ ଓ ୨୨ ଯାଏ ଛୁଟି ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଆସନ୍ତା ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ରହିବ। ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କ ପାଇଁ ଏହି ନିୟମ ଲାଗୁ ହେବ। ତେବେ, ପୂର୍ବରୁ ନିର୍ଦ୍ଧାରିତ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ନିୟମିତ ଭାବେ ଅନୁଷ୍ଠିତ ହେବ। ଏହି ସମୟରେ ବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଜରୁରୀ କାମ ଚାଲୁ ରହିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ପୂର୍ବରୁ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର କେତେକ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି । ବଲାଙ୍ଗିର, ସୋନପୁର, କଳାହାଣ୍ଡି, ବୌଦ୍ଧ ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଥିଲେ । ନବରଙ୍ଗପୁର ,ନୂଆପଡା, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ସମସ୍ତ ସ୍କୁଲକୁ ପୂର୍ବରୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପ ଛୁଟି ଘୋଷଣା କରିଛନ୍ତି ।
ସେହିପରି ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଖୋଲିବା ସମୟ ବଦଳିଛି। ଜିଲ୍ଲାର ସମସ୍ତ ସ୍କୁଲ ସକାଳ ୬ଟା ୩୦ମିନିଟ୍ରୁ ସକାଳ ୯ଟା ପର୍ଯ୍ୟନ୍ତ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲରେ ପିଇବା ପାଣି ଓ ଓଆରଏସ୍ ମହଜୁଦ ରଖିବାକୁ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି । ସ୍କୁଲ ମାନଙ୍କରେ ଏସବୁ ନିର୍ଦ୍ଦେଶ ପାଳନ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।