ମାଲକାନଗିରି,୭।୧୨ : ମାଲକାନଗିରି ଜିଲ୍ଲା ଏମଭି-୭ ଗ୍ରାମ ନିକଟସ୍ଥ ତମସା ଛକରେ  ମର୍ମନ୍ତୁଦ ଦୁର୍ଘଟଣା । ଏକ ମୋଟରସାଇକେଲ ସହ ରାଜ୍ୟ ପରିବହନ ନିଗମର ବସ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୮୬ ଗ୍ରାମର ଗୁଡୁ ବିଶ୍ବାସ, ପ୍ରତାପ ବିଶ୍ବାସ, କରନ ସେନ । 

ସୂଚନା ଅନୁଯାୟୀ ଏକ ଓଏସଆରଟିସି ଅଲଟ୍ରା ବସ ମାଲକାନଗିରିରୁ କାଲିମେଳା ପଡିଆ ଅଭିମୁଖେ ଯାଉଥିଲା।  ମାଲକାନଗିରି   କାଲିମେଳା ୩୨୬ନମ୍ବର ଜାତୀୟ ରାଜପଥ ଏମଭି ୭ ଗ୍ରାମ ପେଟ୍ରୋଲ ପମ୍ପ ନିକଟରେ ଥିବା ବୁଲାଣି ରାସ୍ତାରେ ସାମ୍ନା ପଟୁ ତିନିଜଣ ଯୁବକ ଏକ ମୋଟର ସାଇକେଲ ଦ୍ରୁତ ଗତିରେ ଆସି ବସ ସହ ମୁହାଁମୁହିଁ ହୋଇଥିଲେ। ମୋଟର ସାଇକେଲ ଚାଳକ ଜଣଙ୍କ ବସକୁ ଦେଖି ଖୁବ ଜୋରରେ ବ୍ରେକ ଦେଇଥିବା ବେଳେ ମୋଟର ସାଇକେଲରେ ବସିଥିବା ସମସ୍ତ ୩ ଜଣ ଛିଟିକି ଯାଇ ବସ ଚକ ତଳେ ପଡିଯାଇଥିଲେ। ଯାହା ଫଳରେ ବସଟି ଉକ୍ତ ୩ ଜଣଙ୍କ ଉପରେ ଚଢି ଯାଇଥିଲା ଏବଂ ଘଟଣା ସ୍ଥଳରେ ସେମାନନଙ୍କର ମୃତ୍ୟୁ ହୋଇଥିଲା।  ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି।ବସ ଚାଳକ କୁ ଥାନା ରେ ଅଟକ ରଖା ଯାଇ ପଚରା ଉଚରା ପୁଲିସ କରୁଛି।

ତେବେ ଏହି ବୁଲାଣି ନିକଟରେ   ରାସ୍ତା ପାର୍ଶ୍ଵ ରେ ଗଛ ଲତା ଭରି ରହିଥିବାରୁ ଅନେକ ସମୟରେ ଏହିପରି ଦୁର୍ଘଟଣା ଘଟୁଥିବା ବେଳେ ଗଛ ଗୁଡିକୁ ସଫା କରିବା ସହିତ ସ୍ଥାନୀୟ ଲୋକେ ସେଠାରେ ଗାଡିର ଗତି କମାଇବା ପାଇଁ ବେରିକେଟ କରିବାକୁ ଦାବି କରିଛନ୍ତି।