ଉମରକୋଟ,୬।୪ -ନବରଙ୍ଗପୁର ଜିଲ୍ଲା ଭାରତମାଳା ରାସ୍ତାରେ ବଡ଼କୁମାରୀ ନିକଟରେ ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି। ଏଥିସହ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
କୋରାପୁଟ ସୁନାବେଢ଼ା ଠାରୁ ସମ୍ପର୍କୀୟମାନେ କାରରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଚିତାବେଢା ଗ୍ରାମକୁ ଭୋଜି ଖାଇ ଯାଇଥିଲେ। ଫେରୁଥିବା ବେଳେ ଉମରକୋଟ ବଡ଼କୁମାରୀ ନିକଟରେ ବିପରୀତ ଦିଗରୁ କଳାହାଣ୍ଡି ମଟରରୁ ରାଇଘର ହଳଦୀ ବରଯାତ୍ରୀ ଯାଉଥିବା କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଶୁତୋଷ ରଥ (୧୦), ଅରୁଣ ପଣ୍ଡା, ସୁବ୍ରତ ଶତପଥୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ବଂଶୀଧର ପଣ୍ଡା, ବିଶ୍ୱଜିତ ପଣ୍ଡା, ଗଜାନନ ଦାସ(୩୧), ଜିତେନ୍ଦ୍ର ସରାପ (୩୬)ସ୍ୱସ୍ତିକ କୋରାପ (୩୬) ଆହତ ହୋଇଛନ୍ତି। ଉମରକୋଟ ଅଗ୍ନିଶ୍ରମ ବାହିନୀ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି। ବଂଶୀଧର ପଣ୍ଡା, ବିଶ୍ୱଜିତ ପଣ୍ଡା ଙ୍କୁ କୋରାପୁଟ ରେଫେର କରାଯାଇଛି। ଆଶୁତୋଷ ଓ ଅରୁଣ ପଣ୍ଡା ସମ୍ପର୍କରେ ଅଜା ନାତି ଅଟନ୍ତି। ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ କରୁଛନ୍ତି। ମଟର ରୁ ରାଇଘର ଯାଉଥିବା ଗାଡି ଟ୍ରାଫିକ ନିୟମ ଭାଙ୍ଗି ରଙ୍ଗ ରୁଟ ରେ ଆସୁଥିବା ଯୋଗୁଁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି।