ନୟାଗଡ,୨୬।୭ : ଖୋର୍ଦ୍ଧା ବଲାଙ୍ଗୀର ଜାତୀୟରାଜପଥର ଦଶପଲ୍ଲା ଥାନା ଟାକେରା ଘାଟି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ଟ୍ରକ୍ ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇ ୩  ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୨ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି  । 

ଦଶପଲ୍ଲା ପଟୁ ଏକ ଟ୍ରକରେ ଫିଟିକିରି ଲୋଡ୍ ହୋଇ ଯାଉଥିବା  ବେଳେ ବୌଦ୍ଧ ପଟୁ ଆସୁଥିବା ଏକ ଟ୍ରକରେ ଚୁନ ଲୋଡ୍ ହୋଇଥିଲା ।  ଟାକେରା ଘାଟି ନିକଟରେ  ହଠାତ୍ ଏକ କୁକୁର ରାସ୍ତା ଉପରକୁ ଆସିଯିବାରୁ ଦୁଇ ଟ୍ରକ୍ ତାକୁ ରକ୍ଷା କରିବାକୁ ଯାଇ ମୁହାଁମୁହିଁ  ଧକ୍କା ହୋଇ ରାସ୍ତା କଡକୁ ଓଲଟି ପଡିଥିଲା । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳକୁ ଯାଇ ୩ଜଣଙ୍କୁ ଉଦ୍ଧାର କରି ଦଶପଲ୍ଲା ମେଡିକାଲକୁ ପଠାଇଥିଲେ । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଟ୍ରକରେ ଏବେବି ଦୁଇଜଣ ମୃତ ଅବସ୍ଥାରେ ଚାପି ହୋଇ ରହିଛନ୍ତି । ସେମାନଙ୍କୁ ବାହାର କରିବାକୁ ଚେଷ୍ଟା ଚାଲିଛି । ତେବେ ଏହି ସମୟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଜଣେ ବାଇକ୍ ଆରୋହୀ । ଗୋଟିଏ ଟ୍ରକ୍  ଓଲଟି ବାଇକ୍ ଉପରେ ପଡିଛି । ବାଇକ୍ ଚାଳକ ଗାଡି ଛାଡି ଦୌଡି ପଳାଇବାରୁ ସେ ବଞ୍ଚି ଯାଇଛନ୍ତି ।  ମୃତାହତଙ୍କ ପରିଚୟ ମିଳିନଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।