ଭୁବନେଶ୍ୱର,୧୩/୧୧:  ଯୁକ୍ତ ଦୁଇରୁ ପିଜି ସବୁଠି ହଜାର ହଜାର ସିଟ୍ ଖାଲି ପଡ଼ିଛି । କେବଳ ଶିକ୍ଷକ ଶିକ୍ଷା ଅର୍ଥାତ୍ ବିଏଡ୍ ନାମଲେଖାକୁ ଛାଡ଼ି ଦେଲେ ସେ ଆଇଟିଆଇ ହେଉକି ପଲିଟେକ୍ନିକ୍ କିମ୍ବା ଯୁକ୍ତ ତିନି ସବୁଠି ସିଟ୍ ଫାଙ୍କା । ଏପରିକି ସେଲ୍ଫ ଫାଇନାନ୍ସ ବିଷୟରୁ ମଧ୍ୟ ପିଲାମାନେ ମୁହଁ ମୋଡୁ଼ଛନ୍ତି । ରାଜ୍ୟରେ ଯୁକ୍ତ ଦୁଇ, ଯୁକ୍ତ ତିନି, ସ୍ନାତକୋତ୍ତର (ପିଜି), ସିଟି, ଆଇଟିଆଇ, ପଲିଟେକ୍ନିକ୍ରେ ମୋଟ ୨ ଲକ୍ଷ ୯୫ ହଜାର ୫୧୪ ସିଟ୍ ଖାଲି ପଡ଼ିଛି । ଏହା ଏବେ ଶିକ୍ଷାବିତ୍‌ଙ୍କ ଚିନ୍ତାର କାରଣ ପାଲଟିଛି ।

ଚଳିତ ବର୍ଷ ନାମଲେଖା ପ୍ରକ୍ରିୟା ଆଗୁଆ ଆରମ୍ଭ ହେଲା । ଧାର୍ଯ୍ୟ ସମୟରେ ମଧ୍ୟ ପାଠପଢ଼ା ଆରମ୍ଭ କରାଗଲା । ସରକାରଙ୍କ ଟାର୍ଗେଟ୍ ଥିଲା ସବୁ ସିଟ୍‌ ନିର୍ଦ୍ଧାରିତ ସମୟରେ ନାମଲେଖା ସାରିବେ । କିନ୍ତୁ ସବୁ ବିଭାଗରେ ହଜାର ହଜାର ସିଟ୍ ଫାଙ୍କା ପଡ଼ିବାରୁ ନଭେମ୍ବର ଯାଏ ନାମଲେଖା ମଧ୍ୟ ଚାଲିଲା । ତଥାପି ସିଟ୍ ପୂରଣ ହୋଇପାରିଲା ନାହିଁ । ସାମ୍‌ର ତଥ୍ୟ ଅନୁଯାୟୀ, ଯୁକ୍ତ ଦୁଇରେ ନାମଲେଖା ପାଇଁ କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ, ଧନ୍ଦାମୂଳକ ସବୁ ବିଷୟରେ ମୋଟ୍ ୫ ଲକ୍ଷ ୯୬ ହଜାର ୪୩୫ଟି ସିଟ୍ ରହିଛି । ଏଥିରୁ ୪ ଲକ୍ଷ ୨୨ ହଜାର ସିଟ୍ରେ ନାମ ଲେଖା ହୋଇଛି । ବାକି ୧ ଲକ୍ଷ ୭୩ ହଜାର ୮୨୭ ସିଟ୍ ଖାଲି । ଯୁକ୍ତ ଦୁଇ ବିଜ୍ଞାନରେ ସର୍ବାଧିକ ୭୭ ହଜାର ୫୭୪ ସିଟ୍ ଖାଲି ରହିଛି । ଯୁକ୍ତ ତିନିରେ ମୋଟ ସିଟ୍ ସଂଖ୍ୟା ୨ ଲକ୍ଷ ୭୭ ହଜାର ୮୮୧ । ଏଥିରୁ ୭୮ ହଜାର ୯୧୧ ସିଟ୍ ଖାଲି । ଯୁକ୍ତ ତିନି କଳାରେ ସର୍ବାଧିକ ୩୧ ହଜାର ୪୩୬ ସିଟ୍ ଖାଲି ରହିଛି । ସେଲ୍ଫ ଫାଇନାନ୍ସ ପାଇଁ ମୋଟ ୫୦୫୪ଟି ସିଟ୍ ଥିବା ବେଳେ ୩୩୩୮ ଜଣ ନାମ ଲେଖାଇଛନ୍ତି । ବାକି ୧୭୧୬ ସିଟ୍ ଖାଲି । ପିଜିରେ ୩୧ ହଜାର ୮୯୩ରୁ ୯ ହଜାର ୭୪୫ ଖାଲି ରହିଛି ।

ଏତ ଗଲା ସାଧାରଣ ପାଠ୍ୟକ୍ରମ କଥା । ପଲିଟେକ୍ନିକ୍‌ରେ ମୋଟ ୭୭ ହଜାର ୯୩୩ସିଟ୍ରୁ ୫୩ ହଜାର ୨୫୮ ଜଣ ଫ୍ରେସ୍ ମୋଡ୍‌ରେ ନାମ ଲେଖାଇଥିବା ବେଳେ ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ୮୪୨୦ ଜଣ ଓ ଡବ୍ଲ୍ୟୁପିରେ ୭୦୫ ଜଣ ନାମ ଲେଖାଇଛନ୍ତି । ଆହୁରି ୧୫ ହଜାର ୫୫୦ ସିଟ୍ ଫାଙ୍କା ପଡ଼ିଛି । ସେହିପରି ଆଇଟିଆଇରେ ୭୮ ହଜାର ୨୨୪ ସିଟ୍‌ରୁ  ୬୧ ହଜାର ୩୪୩ରେ ନାମଲେଖା ହୋଇଥିବା ବେଳେ ୧୬୮୮୧ ସିଟ୍ ଫାଙ୍କା । ଡିଇଆଇଇଡି (ସିଟି) ନାମଲେଖା ପାଇଁ ୬୫୫୦ ସିଟ୍ ଥିବା ବେଳେ ୫୯୫୨ ସିଟ୍‌ରେ ନାମଲେଖା ହୋଇଛି । ସେହିପରି ବିଏଡ୍, ଏମ୍ଏଡ୍ ପାଇଁ ମୋଟ ୨୭୫୦ ସିଟ୍ ଥିବା ବେଳେ ମାତ୍ର ଗୋଟିଏ ସିଟ୍‌କୁ ଛାଡ଼ି ସବୁ ସିଟ୍ ପୂରଣ ହୋଇଛି ।