ଭୁବନେଶ୍ବର,୩।୧୦ : ରାଜଧାନୀରେ ପଲସର ଆତଙ୍କ। ଦିନ ଦ୍ୱିପ୍ରହରରେ କଲେ ଲୁଟ୍। ମହିଳାଙ୍କ ଠାରୁ ଝାମ୍ପି ନେଲେ ତିନି ଲକ୍ଷରୁ ଅଧିକ ଟଙ୍କା। ପଲସର୍ ଗାଡ଼ିରେ ପିଛା କରି ଆସି ନେଇଗଲେ ଟଙ୍କା। ଟଙ୍କା ଝାମ୍ପି ନେବା ବେଳେ ମହିଳା ଘୋଷାଡି ହୋଇ ପଡିଯାଇ ଆହତ ହୋଇଛନ୍ତି। ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।
ଘର କାମ ପାଇଁ ପ୍ରତିମା ବେହେରା ଏବଂ ତାଙ୍କ ଭାଇ ବ୍ୟାଙ୍କରୁ ଟଙ୍କା ଉଠାଇ ପ୍ଲଟ ପାଖକୁ ଯାଉଥିଲେ। ପ୍ଲଟ ସମ୍ମୁଖରୁ ମହିଳା ଧରିଥିବା ଭ୍ୟାନିଟିକୁ ଝାମ୍ପି ନେଇଥିଲେ ଦୁଇ ଲୁଟେରା। ଭ୍ୟାନିଟି ଝାମ୍ପିବା ବେଳେ ମହିଳା ଜଣକ ତଳେ ପଡ଼ି କିଛି ବାଟ ଘୋଷାଡି ହୋଇ ଯାଇଥିବାରୁ ଆହତ ମଧ୍ୟ ହୋଇଛନ୍ତି। ଏନେଇ ମହିଳା ଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।