ନୂଆଦିଲ୍ଲୀ,୨୩/୦୯:ଇନ୍ଦୋରରେ ଅଘଟଣ। ପୁରୁଣା ତିନି ମହଲା କୋଠା ଭୁଶୁଡ଼ି ୨ ମୃତ । ସେହିପିର ୧୨ ଜଣ ଆହତ ଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଧ୍ୟପ୍ରଦେଶର ଜବାହାର ମାର୍ଗର ରାଣୀପୁରା ଅଞ୍ଚଳରେ ରାତି ପ୍ରାୟ ୯ଟା ବେଳେ ଏହି ଦୁର୍ଘଟଣା ଘଟିଛି। 

ପ୍ରଶାସନ ଏବଂ NDRF ଟିମ୍ ୫ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ। କଲେକ୍ଟର ଶିବମ୍ ବର୍ମା କହିଛନ୍ତି ଯେ ମୃତକଙ୍କ ନାମ ଆଲିଫା ଏବଂ ଫହୀମ୍। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, କୋଠାରେ ପୂର୍ବରୁ ଫାଟ ଥିଲା, କିନ୍ତୁ ଏତେ ବଡ଼ ଦୁର୍ଘଟଣା କେହି ଆଶା କରିନଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ମେୟର, ପୁଲିସ କମିଶନର ଏବଂ କଲେକ୍ଟର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।କଲେକ୍ଟର ଶିବମ୍ ବର୍ମା ଆହୁରି କହିଛନ୍ତି ଯେ, କୋଠାର ସମ୍ମୁଖ ଅଂଶକୁ ସମ୍ପ୍ରତି ନବୀକରଣ କରାଯାଇଥିଲା, ଯେତେବେଳେ ପଛ ଅଂଶ ବହୁତ ପୁରୁଣା ଥିଲା। ପୁଲିସ ଏବଂ ପ୍ରଶାସନ ମିଳିତ ଭାବରେ କୋଠାର ମୂଳଦୁଆ ଅବସ୍ଥା ଯାଞ୍ଚ କରିବେ। ସେପଟେ ମେୟର କହିଛନ୍ତି ଯେ ଭୁଶୁଡ଼ି ପଡ଼ିଥିବା ଅଂଶଟି ପାଖ ଘର ଉପରେ ମଧ୍ୟ ପଡ଼ିଥିଲା। ଅଧିକାଂଶ ଲୋକଙ୍କୁ ସମୟ ମଧ୍ୟରେ ଉଦ୍ଧାର କରାଯାଇଥିଲା। ଆହତମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି।