ନୂଆଦିଲ୍ଲୀ,୨୩/୧୨: ଏନକାଉଣ୍ଟରରେ ଟଳିଲେ ଆତଙ୍କୀ । ଉତ୍ତରପ୍ରଦେଶ ପିଲିଭିତରେ ବଡ ଧରଣର ଏନକାଉଣ୍ଟର ହୋଇଛି । ଖଲିସ୍ତାନୀ କମାଣ୍ଡୋ ଫୋର୍ସର ୩ ହାର୍ଡକୋର ଆତଙ୍କୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଦୁଇଟି ଏକେ-୪୭ ବନ୍ଧୁକ ଜବତ କରିଛି ପୋଲିସ । ଏନକାଉଣ୍ଟରରେ ୨ ପୋଲିସ କନଷ୍ଟେବଳ ଆହତ ହୋଇଛନ୍ତି ।

ପଞ୍ଜାବ ଓ ଉତ୍ତରପ୍ରଦେଶ ପୋଲିସର ମିଳିତ ଏନକାଉଣ୍ଟରରେ ବଡ ସଫଳତା ମିଳିଛି । ଉତ୍ତରପ୍ରଦେଶ ପିଲିଭିତରେ ପୋଲିସର ମିଳିତ ଏନକାଉଣ୍ଟରରେ ଖଲିସ୍ତାନୀ କମାଣ୍ଡୋ ଫୋର୍ସର ୩ ଆତଙ୍କୀ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ୨ଟି ଏକ-୪୭ ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି ।  ଗୁରୁଦାସପୁରର ଏକ ଥାନା ଉପରେ ଆଟାକ୍ କରିଥିଲେ ୩ ଆତଙ୍କବାଦୀ । ଗ୍ରେନେଡ ଓ ବୋମାମାଡ କରିଥିଲେ । ପିଲିଭିତ ଥାନା ଅଞ୍ଚଳର କମରିୟା ପଏଣ୍ଟରେ ଗୋଟିଏ ବାଇକରେ ୩ ଜଣ ଯୁବକ କିଛି ସନ୍ଧିଗ୍ଧ ଜିନିଷ ଧରି ଆସୁଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ପଞ୍ଜାବ ପୋଲିସ ଟିମ୍ ସେମାନଙ୍କ ପିଛା କରିଥିଲା । ପୋଲିସକୁ ଦେଖି ସେମାନେ ଗାଡି ସ୍ପିଡ କରିବା ସହ ଗୁଳି ଚଳାଇଥିଲେ । ପୋଲିସ ପାଲଟା ଜବାବ ଦେଇ ଏନକାଉଣ୍ଟର କରିଥିଲା ।

ନିପାତ ହୋଇଥିବା ୩ ଖଲିସ୍ତାନୀ ଆତଙ୍କୀ ହେଉଛନ୍ତି ଗୁରବିନ୍ଦର ସିଂହ, ବିରେନ୍ଦ୍ର ସିଂହ ଏବଂ ଯଶନପ୍ରୀତ ସିଂହ । ଏମାନେ ପଞ୍ଜାବର ଗୁରୁଦାସପୁରର ଏକ ଥାନାକୁ ବୋମାମାଡ କରି ଫେରାର ହୋଇଥିଲେ । ପିଲିଭିତ ଅଞ୍ଚଳରେ ଖଲିସ୍ତାନୀ ଆତଙ୍କୀ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସଜାଗ ହୋଇଥିଲା ପୋଲିସ । ପଞ୍ଜାବ ଓ ୟୁପି ପୋଲିସ ମିଳିତ ଅପରେସନ କରିଥିଲେ । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ଅପରେସନ ଚଳାଇଥିଲେ । ନିହତ ଆତଙ୍କୀଙ୍କର ବିଦେଶୀ ଲିଙ୍କ ଥିବା ଜଣାପଡିଛି ।