ଆଳି/ନମୌଜା,୧୮/୮: କେନ୍ଦ୍ରାପଡ଼ା  ଜିଲ୍ଲା ଆଳି ବ୍ଲକ୍‌ ଅନ୍ତର୍ଗତ ଏକମାଣିଆ  ପଞ୍ଚାୟତରେ ରବିବାର ଏକ  ଅଭାବନୀୟ ଘଟଣା ଘଟିଯାଇଛି। ସବୁଦିନ ପରି ରବିବାର ସକାଳେ ଚରିବା ପାଇଁ ସ୍ଥାନୀୟ ଗଳିଆ ନାଳିରେ ପଶିଥିଲେ ମଇଁଷି ପଲ ।  ହେଲେ ନାଳି ଉପରକୁ ଉଠିପାରିଲେନି । ଆଶ୍ଚର୍ଯ୍ୟଜନକ ଭାବେ ନାଳରେ ଗୋଟେ ପରେ  ଗୋଟେ ମଇଁଷି ବୁଡ଼ିଗଲେ । ଗ୍ରାମର ତିନି ଜଣ ବ୍ୟକ୍ତିଙ୍କର ପ୍ରାୟ ୩୫ରୁ ଅଧିକ ମଇଁଷି ଗଳିଆ ନାଳିରେ ବୁଡ଼ି ପ୍ରାଣ ହରାଇଥିବାବେଳେ ୩୭ରୁ  ଅଧିକ ମଇଁଷି ନିଖୋଜ ହୋଇଯାଇଛନ୍ତି । ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ  ସୃଷ୍ଟି କରିଛି । ଏଭଳି ଘଟଣାକୁ ନେଇ ମଇଁଷି  ରଖି ପରିବାର ପ୍ରତିପୋଷଣ କରୁଥିବା ତିନି  ପରିବାର ହତବାକ୍‌ ହୋଇଯାଇଛନ୍ତି ।  

ମିଳିଥିବା ସୂଚନା ମୁତାବକ, ରବିବାର  ସକାଳ ପ୍ରାୟ ୮ଟାରେ ଏକମାଣିଆ ସେତୁ  ନିକଟରୁ କିଛି ଦୂରରେ ବନ୍ଧା ହେଉଥିବା  ଏକମାଣିଆ ଗ୍ରାମର ଗଣେଶ ଦାସଙ୍କର  ୩୦ଟି, ଜଗନ୍ନାଥ ଦାସଙ୍କର ୩୦ଟି ଓ  ନଳପାହି ଗ୍ରାମର ପରମାନନ୍ଦ ବିଶ୍ୱାଳଙ୍କର  ୧୨ଟି ମଇଁଷି ଚରିବା ନିମନ୍ତେ ଯାଇଥଲେ ।  ମଇଁଷି ବ୍ରାହ୍ମଣୀ ନଦୀରୁ ଦକ୍ଷିଣଡିହା ଆଡ଼କୁ  ଯାଇଥିବା ଶାଖା ଗଳିଆ ନାଳ ମଧ୍ୟକୁ ଗୋଟିଏ  ପରେ ଗୋଟିଏ ଯାଇଥିଲେ କିନ୍ତୁ ନାଳିରେ  ପଶିଥିବା ମଇଁଷିଗୁଡ଼ିକ ପାଣିରେ ହଠାତ୍‌  ବୁଡ଼ି ଯାଇଥିଲେ । ଏହା ଦେଖି ମଇଁଷି  ଜଗୁଆଳ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଡ଼ଙ୍ଗା ନେଇ ନାଳିରେ ଖୋଜାଖୋଜି  କରି ପ୍ରାୟ ୩୫ଟି ମଇଁଷିର ମୃତଦେହ  ଉଦ୍ଧାର କରିଥିଲେ । ଅନ୍ୟ ମଇଁଷିଗୁଡ଼ିକ ନାଳସ୍ରୋତରେ ଭାସି ଯାଇଥିବା କିମ୍ବା  ଦଳବଣରେ ବୁଡ଼ି ରହିଥିବା ସ୍ଥାନୀୟ ଲୋକେ  ଆଶଙ୍କା କରୁଛନ୍ତି । ଏତେ ସଂଖ୍ୟକ ମଇଁଷିଙ୍କର ଗୋଟିଏ  ସ୍ଥାନରେ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । କାରଣ ମଇଁଷି ଅଥଳ  ନଦୀ ଗର୍ଭରେ ପହଁରିବା ସହ ଘଣ୍ଟାଘଣ୍ଟା  ପାଣିରେ ପଡ଼ି ରହନ୍ତି । ମୃତ ମଇଁଷିଗୁଡ଼ିକ ସବୁ ଦିନ ଯେଉଁ ସ୍ଥାନ ଦେଇ ଚରିବାକୁ  ଯାଆନ୍ତି ସେହି ସ୍ଥାନରେ ବୁଡ଼ିଯିବା ଘଟଣାକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି । 

ଅନ୍ୟପକ୍ଷରେ କୁମ୍ଭୀର ପଲ ଆକ୍ରମଣ  କରିବା ଯୋଗୁଁ ମଇଁଷିଗୁଡ଼ିକ ନାଳିରେ ବୁଡ଼ିଯିବା ଆଲୋଚନା ହେଉଥିବା ବେଳେ  ମଇଁଷି ମୃତ୍ୟୁ ପଛର ରହସ୍ୟ ଜଣାପଡୁନି ।  ମଇଁଷି ମୃତ୍ୟୁର କାରଣ ଜାଣିବା ପାଇଁ ଜିଲ୍ଲା  ପ୍ରଶାସନ ଶବ ବ୍ୟବଚ୍ଛେଦ କରିବା ସହ  କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ  ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି  କରିଛନ୍ତି । ମଇଁଷି ରଖିଥିବା ପରିବାର ବିଭିନ୍ନ  ସ୍ଥାନରୁ ଋଣ କରି ମଇଁଷି କିଣିଥିବାବେଳେ  ଏହି ଘଟଣା ସେମାନଙ୍କୁ ମାନସିକ ଓ  ଆର୍ଥିକ ସ୍ତରରେ ଭାଙ୍ଗି ଦେଇଛି । ଏ ନେଇ  ତହସିଲ୍‌ଦାର ଶାନ୍ତି ସ୍ୱରୂପ ମିଶ୍ର ଓ ଆଳି  ବ୍ଲକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀ ବଦ୍ରି ନାରାୟଣ  ଚାନ୍ଦଙ୍କୁ ପଚାରିବାରୁ, ଏହି ଘଟଣା ବନବିଭାଗ  ବୁଝିବ ବୋଲି କହିଛନ୍ତି । ତେବେ ଏ ନେଇ  ରାଜନଗର ବନ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା  ମିଳିପାରିନି । ଅପରପକ୍ଷେ ଏହି ଘଟଣାକୁ  ନେଇ ଏକମାଣିଆ ସ୍ତବ୍ଧ ହୋଇଯାଇଛି। ଅପରାହ୍ଣରେ କ୍ଷତିଗ୍ରସ୍ତ ପରିବାର ସହ  ସ୍ଥାନୀୟ ସରପଞ୍ଚ ଅହଲ୍ୟା ବିଶ୍ୱାଳଙ୍କ ପ୍ରତିନିଧି  ପ୍ରମୋଦ ବିଶ୍ୱାଳ ଓ ଗ୍ରାମବାସୀ ରାଜନଗର ବନ ବିଭାଗ ଅଧିକାରୀଙ୍କୁ ଭେଟିବାକୁ ଯାଇଥିବା ସୂଚନା ମିଳିଛି ।