ଭୁବନେଶ୍ୱର,୨୨/୧୧: ଗୋଟିଏ କି ଦୁଇଟି ନୁହେଁ, ୩୦ରୁ ଅଧିକ ଶାଗୁଆନ ଗଛ କାଟି ଗଡାଇଦେଲେ । ଆଜେବାଜେ ନୁହେଁ, ସବୁଠୁ ଦାମୀ ଶାଗୁଆନ ଗଛ । ଗଛ  ତ କାଟିଲେ କାଳେ କିଏ ଦେଖିନେବ ସେଥିପାଇଁ ମୂଳ ବି ତାଡ଼ିଦେଲେ । ଏବେ  ଖାଲି ଚେର ପଡ଼ିଛି । ଲଣ୍ଡା କଲାପରେ ଚୁଟି ଭଳି ଗୋଟିଏ ଗଛ ରଖିଛନ୍ତି । ଏଭଳି  ରହସ୍ୟଜନଗ କାଣ୍ଡ ଘଟିଛି ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପରିସରରେ । ଆଶ୍ଚର୍ଯ୍ୟର ବିଷୟ, ଗଛ କଟା ବାବଦରେ ଓୟୁଏଟି କର୍ତ୍ତୃପକ୍ଷଙ୍କ  ପାଖରେ ଖୋଜଖବର ନାହିଁ । କେହି ଜାଣିନାହାନ୍ତି କି କେହି ଅନୁମତି ଦେଇନାହାନ୍ତି । 

ଓୟୁଏଟି ମୁଖ୍ୟ ଫାଟକ ଭିତରେ ପଶିଲେ ପରିସରରେ ବାୟୋ ଇନଫୋରମେଟିକ୍ସ ଓ ଏଗ୍ରିକଲଚର୍‌ ଇଞ୍ଜିନିୟରିଂ କୋଠା ରହିଛି । ଆଉ ଟିକେ ଆଗକୁ  ଗଲେ ପଡିବ ସେଣ୍ଟ୍ରାଲ ଲ୍ୟାବ୍‌ । ଏହି ଲ୍ୟାବ୍‌ ପଛପଟେ ୩୮ଟି ଶାଗୁଆନ ଗଛ ଥିଲା ।  ଏବେ ମାତ୍ର ଗୋଟିଏ ଗଛ  ଅଛି । ସେହି ଲ୍ୟାବ୍‌ ପଟେ  ଥିବା ଗେଟ୍‌ ବାଟରେ ଗଣ୍ଡି  ଚୋରି କରି ନିଆଯାଇଥିବା  ବିଶ୍ୱସ୍ତ ସୁତ୍ରରୁ ଖବର  ମିଳିଛି । ଏବେ ସେଠାରେ  ଜେସିବିରେ ମାଟି ପକାଇ  ସମତୁଲ କରାଯାଇଛି ।  ଏହି ସ୍ଥାନରେ କୌଣସି  ପ୍ରକଳ୍ପ ହେବାର ମଧ୍ୟ  ସୂଚନା ନାହିଁ ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଓୟୁଏଟି  ଭଳି ଶିକ୍ଷାନୁଷ୍ଠାନ ପରିସରରେ ଗଛ କଟା କର୍ତ୍ତୃପକ୍ଷ କିପରି ଜାଣିପାରିଲେନି ବୋଲି  ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ  କହିଛନ୍ତି, ଏ ବିଷୟରେ ତାଙ୍କ ପାଖରେ କୌଣସି ଖବର ନାହିଁ । ବୋଧହୁଏ ଫନି  ସମୟରେ ମରି ଯାଇଥିବା ଗଛକୁ କଟାଯାଇ ସଫା କରାଯାଉଛି । ଯଦି ବି ଏବେ  କଟାଯାଇଛି ତେବେ ଏନେଇ ସେ ସେଣ୍ଟ୍ରାଲ ଲ୍ୟାବ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ  ପଚାରିବେ । ପ୍ରକାଶ ଥାଉକି, ଭୁବନେଶ୍ୱରରେ ଉତ୍ତାପ ବୃଦ୍ଧି ପାଉଥିବା ବେଳେ  ବୃକ୍ଷରୋପଣକୁ ଗୁରୁତ୍ୱ ଦିଆଯାଉଛି । ହେଲେ କିଛିଦିନ ପୂର୍ବେ ରାସ୍ତା ସଂପ୍ରସାରଣ  ପାଇଁ କାରଗିଲ ବସ୍ତିରୁ ପଳାଶପଲ୍ଲୀ ପର୍ଯ୍ୟନ୍ତ ଥିବା ଗଛ କାଟି ଦିଆଯାଇଥିଲା ।