ନୂଆଦିଲ୍ଲୀ,୨୩/୦୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ସନାତନ ଧର୍ମର ଆସ୍ଥାର ମହାପର୍ବ ମହାକୁମ୍ଭ । ମହାକୁମ୍ଭକୁ ଦିବ୍ୟ, ଭବ୍ୟ କରିବା ଲାଗି ବ୍ୟାପକ ପ୍ରସ୍ତୁତି କରିଛନ୍ତି ୟୁପି ସରକାର । ମେଳା ପରିସରରେ ବିଭିନ୍ନ କଥାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ସେଥିମଧ୍ୟରେ ପଣ୍ଟୁନ୍ ପୋଲଗୁଡି଼କ ଅନ୍ୟତମ । ତ୍ରିବେଣୀ ସଙ୍ଗମ ଓ ୪୦୦୦ ହେକ୍ଟରରେ ପରିବ୍ୟାପ୍ତ ଆଖଡ଼ା ଅଞ୍ଚଳକୁ ଯୋଡି଼ବାରେ ଏଗୁଡି଼କ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଛି । ମେଳା କ୍ଷେତ୍ରକୁ ମୋଟ ୨୫ଟି ସେକ୍ଟରରେ ବଣ୍ଟା ଯାଇଥିବାବେଳେ ସଙ୍ଗମ ସହ ପ୍ରତି ସେକ୍ଟରକୁ ଯୋଡି଼ବା ଲାଗି ନିର୍ମିତ ହୋଇଛି ୩୦ଟି ପଣ୍ଟୁନ୍ ପୋଲ । ଏହା ୨୫୦୦ ବର୍ଷ ପୁରୁଣା ପର୍ସିଆର ଟେକ୍ନୋଲୋଜି ଉପରେ ଆଧାରିତ । ଏହି ପୋଲଗୁଡି଼କ ଦେଇ ଶ୍ରଦ୍ଧାଳୁଙ୍କ ସହିତ ଘୋଡ଼ା, ହାତୀ, ରଥ ଓ ଅନ୍ୟ ବାହନ ସୁବିଧାରେ ଯାତାୟତ କରିପାରୁଛି । ମହାକୁମ୍ଭ ନଗର ଅତିରିକ୍ତ ଜିଲ୍ଲାପାଳ ବିବେକ ଚତୁର୍ବେଦୀ କହିଛନ୍ତି, ମେଳାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଲା ପଣ୍ଟୁନ୍ ପୋଲ ।
ତ୍ରିବେଣୀ ସଙ୍ଗମ ଓ ଆଖଡ଼ା ଅଞ୍ଚଳକୁ ଏଗୁଡି଼କ ସଂଯୋଗ କରୁଛି । ତେବେ ଏହି ପୋଲଗୁଡି଼କର ନିରନ୍ତର ଅନୁଧ୍ୟାନ ଆବଶ୍ୟକ ହେଉଥିବାରୁ ପ୍ରତି ପୋଲରେ ଲାଗିଛି ସିସିଟିଭି କ୍ୟାମେରା । ଫୁଟେଜ୍କୁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ନଜର ରଖାଯାଉଛି । ବ୍ୟବହାର ଯୋଗ୍ୟ ହେବା ପୂର୍ବରୁ ଏହାକୁ ଅନେକଥର ପରୀକ୍ଷା କରାଯାଇଛି । ପୋଲଗୁଡି଼କୁ ଏଭଳି ନିର୍ମାଣ କରାଯାଇଛି ଯେ ତାହା ଏକସଙ୍ଗରେ ଅନେକ ଲୋକ, ଯାନବାହନର ଭାରକୁ ସମ୍ଭାଳିପାରିବ । ଖ୍ରୀଷ୍ଟପୂର୍ବ ୪୮୦ରେ ଏଭଳି ପଣ୍ଟୁନ୍ ପୋଲକୁ ପର୍ସିଆର ରାଜା ପ୍ରଥମେ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ଚୀନ୍ରେ ବି ଏହି ଟେକ୍ନୋଲୋଜି ବ୍ୟବହାର କରାଯାଇଥିଲା । ଭାରତରେ ୧୮୭୪ରେ ହୁଗଳି ନଦୀ ଉପରେ ନିର୍ମିତ ହୋଇଥିଲା ପ୍ରଥମ ପଣ୍ଟୁନ ପୋଲ । ସେଥିରେ କାଠ ପଣ୍ଟୁନ୍ ବ୍ୟବହାର ହୋଇଥିଲା ।
ତେବେ ଏକ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେବା ପରେ ଏହାକୁ ୧୯୪୩ରେ ଭାଙ୍ଗି ଦିଆଯାଇଥିଲା । ସେହି ସ୍ଥାନରେ ନିର୍ମିତ ହୋଇଛି ବର୍ତ୍ତମାନର ରବୀନ୍ଦ୍ର ସେତୁ । ରାଜ୍ୟର ପୂର୍ତ୍ତ ବିଭାଗର ଇଞ୍ଜିନିୟର ଆଲୋକ କୁମାର କହିଛନ୍ତି, ପାଣି ଉପରେ ଭାସୁଥିବା ବିରାଟ ବିରାଟ ଫମ୍ଫା ଲୁହା କଣ୍ଟେନର(ପଣ୍ଟୁନ୍) ଦ୍ୱାରା ପଣ୍ଟୁନ୍ ପୋଲ ତିଆରି ହୋଇଥାଏ । ଏଗୁଡି଼କ ଅସ୍ଥାୟୀ ସଂରଚନା ହୋଇଥାଏ । ଏହି ପୋଲକୁ ଅମୃତ ସ୍ନାନ ସମୟରେ ଶ୍ରଦ୍ଧାଳୁ, ୧୩ଟି ଆଖଡ଼ାର ସାଧୁ ସନ୍ଥ, ସେମାନଙ୍କର ରଥ, ହାତୀ, ଘୋଡ଼ା ଓ ଦିନକୁ ୧୦୦୦ରୁ ଅଧିକ ଗାଡି଼ ଯିବାଭଳି ନିର୍ମିତ କରାଯାଇଛି । ଅଗଷ୍ଟ ୨୦୨୩ରେ ଏଥିଲାଗି କାମ ଆରମ୍ଭ ହୋଇଥିଲା । ୩୦ଟି ପଣ୍ଟୁନ୍ ପୋଲ ଲାଗି ୨୨୧୩ ପଣ୍ଟୁନ୍ ବ୍ୟବହାର ହୋଇଛି । ଏହା ୧୦୦୦ରୁ ଅଧିକ ଶ୍ରମିକ, ଇଞ୍ଜିନିୟର ଦିନକୁ ୧୪ ଘଣ୍ଟାରୁ ଅଧିକ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରିବାର ଫଳ ।
ଗତବର୍ଷ ଅକ୍ଟୋବରରେ ପୋଲ ନିର୍ମାଣ କାର୍ଯ୍ୟ ସରିବା ପରେ ତାକୁ ମେଳା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା । ପୋଲ ନିର୍ମାଣ ଲାଗି ଲୁହା ସିଟ୍ରେ ତିଆରି ଫମ୍ପା ପଣ୍ଟୁନ୍କୁ କ୍ରେନ୍ ସହାୟତାରେ ନଦୀ ମଧ୍ୟରେ ପକାଯାଇଥିଲା । ତା’ ଉପରେ ଗର୍ଡର ବିମ୍ ପକାଯାଇ ନଟ୍, ବୋଲ୍ଟ ଦ୍ୱାରା ଟାଇଟ୍ କରାଯାଇଥିଲା । ହାଇଡ୍ରୋଲିକ୍ ମେସିନ୍ ଦ୍ୱାରା ପଣ୍ଟୁନ୍ଗୁଡିକୁ ଉପଯୁକ୍ତ ସ୍ଥାନରେ ଫିଟ୍ କରାଗଲା । ଏହାପରେ ମୋଟା କାଠର ପଟ୍ଟି, ମାଟି ଓ ଲୁହା ଆଙ୍ଗେଲ ଦ୍ୱାରା ପୋଲକୁ ଶକ୍ତିଶାଳୀ କରାଗଲା । ଶେଷରେ ତା’ ଉପରେ ଚେକର ପ୍ଲେଟ୍ ପକାଯାଇଥିଲା । ପଣ୍ଟୁନ୍ ପୋଲଗୁଡି଼କୁ ଏଭଳି ଭାବେ ଡିଜାଇନ୍ କରାଯାଇଛି ଯେ ଏହା ୫ ଟନ୍ ଯାଏ ଓଜନ ସହ୍ୟ କରିପାରିବ । ଓଜନ ସେହି ସୀମା ଅତିକ୍ରମ କଲେ ପୋଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ତେଣୁ ଏହାର ନିରନ୍ତର ଅନୁଧ୍ୟାନ ଆବଶ୍ୟକ ହୋଇଥାଏ ।
ସେ ଆହୁରି କହିଛନ୍ତି ଯେ, ପ୍ରତି ପଣ୍ଟୁନ୍ର ଓଜନ ପ୍ରାୟ ୫ ଟନ୍ ହୋଇଥାଏ । ଆର୍କମେଡିସ୍ଙ୍କ ସିଦ୍ଧାନ୍ତ ଯୋଗୁ ହିଁ ଏତେ ଅଧିକ ଓଜନ ସତ୍ତେ୍ୱ ଏହା ପାଣିରେ ଭାସିଥାଏ । ୩୦ଟି ପଣ୍ଟୁନ୍ ପୋଲର ନିର୍ମାଣରେ ୧୭.୩୧ କୋଟି ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ସେଥିମଧ୍ୟରୁ ଶ୍ରୀ ନାଗବାସୁକୀ ମନ୍ଦିରରୁ ଝୁସୀକୁ ସଂଯୋଗ କରୁଥିବା ପୋଲ ନିର୍ମାଣରେ ସବୁଠୁ ଅଧିକ ଅର୍ଥ ୧.୧୩ କୋଟି ଖର୍ଚ୍ଚ ହୋଇଛି । ଗଙ୍ଗେଶ୍ୱର ଓ ଭରଦ୍ୱାଜ ପୋଲ ପାଇଁ ଯଥାକ୍ରମେ ଖର୍ଚ୍ଚ ହୋଇଛି ୫୦ ଓ ୮୯ ଲକ୍ଷ ଟଙ୍କା । ମହାକୁମ୍ଭ ମେଳା ସରିବା ପରେ ଏହି ପୋଲଗୁଡି଼କୁ ଖୋଲି ଦିଆଯିବ । ଭବିଷ୍ୟତରେ ଅନ୍ୟ ସ୍ଥାନରେ ବ୍ୟବହାର ଲାଗି ସଂରକ୍ଷିତ କରାଯିବ । ଏଥିମଧ୍ୟରୁ କିଛି ପୋଲକୁ ପ୍ରୟାଗରାଜରେ ରଖାଯିବ । ପରବର୍ତ୍ତୀ ସମୟରେ ଅର୍ଦ୍ଧକୁମ୍ଭରେ ଏହାର ବ୍ୟବହାର ହୋଇପାରେ । ସେହିପରି ଆଉ କିଛି ପୋଲକୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ଥାୟୀ ପୋଲ ଭାବେ ବ୍ୟବହାର କରାଯିବାର ଯୋଜନା ରହିଛି ।