ଭୁବନେଶ୍ୱର, ୧୬/୧୨: ଦୀର୍ଘ ବର୍ଷ ଧରି ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ଶେଷ ହେଲାଣି । କିନ୍ତୁ ମୁଖ୍ୟ ଫାଟକ, ୱେବ୍ସାଇଟ୍ ଓ କାଗଜକଲମରେ ସ୍ୱୟଂଶାସିତ ମହାବିଦ୍ୟାଳୟ । ଏହାକୁ ନବୀକରଣ କରିବା ନିୟମ ଥିବା ସତ୍ତେ୍ୱ କର୍ତ୍ତୃପକ୍ଷ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ରାଜ୍ୟର ୩୧ଟି ମହାବିଦ୍ୟାଳୟ ନିଜର ସ୍ୱୟଂଶାସିତ ମହାବିଦ୍ୟାଳୟ ମାନ୍ୟତା ହରାଇ ସାରିଲାଣି । ମାନ୍ୟତା ନଥିବାରୁ ମିଳୁଥିବା ଗ୍ରାଣ୍ଟ ମଧ୍ୟ କମୁଛି ।

୩୧ଟି କଲେଜର ଦୀର୍ଘ ବର୍ଷ ହେଲା ସରିଲାଣି ମାନ୍ୟତା

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୫୩ଟି ମହାବିଦ୍ୟାଳୟ ସ୍ୱୟଂଶାସିତ ମାନ୍ୟତା ପାଇଛନ୍ତି । ତନ୍ମଧ୍ୟରୁ ୩୧ଟି ମହାବିଦ୍ୟାଳୟ ମାନ୍ୟତା ନବୀକରଣ କରିନାହାନ୍ତି । ରାଜ୍ୟରେ ଜଣାଶୁଣା ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ମହାବିଦ୍ୟାଳୟ । ଏହାର ସ୍ୱୟଂଶାସିତ ମାନ୍ୟତା ୨୦୨୨ରୁ ସରିଲାଣି । ୩ ବର୍ଷ ହେଲାଣି କଲେଜ କର୍ତ୍ତୃପକ୍ଷ ସ୍ୱୟଂଶାସିତ ମାନ୍ୟତା ନବୀକରଣ କରିବାର ନାଁ ଧରୁନାହାନ୍ତି । ପୁରୀର ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟର ୨୦୨୨- ୨୩ରୁ ସ୍ୱୟଂଶାସିତ ମାନ୍ୟତା ଶେଷ ହୋଇଛି । ସବୁବେଳେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଦାବି ହେଉଥିବା ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦୨୨-୨୩ ମସିହାରୁ ମାନ୍ୟତା ସରିଛି । କଥା ଉଠୁଛି ଯେତେବେଳେ ଗୋଟିଏ କଲେଜ ନିଜକୁ ବିଶ୍ୱବିଦ୍ୟାଳୟ ଦିଆଯାଉ ବୋଲି ଦାବି ଦାଖଲ କରନ୍ତି ସେତେବେଳେ ସ୍ୱୟଂଶାସିତ ମାନ୍ୟତା ଏକ ଗ୍ରେଡ୍ ବା ମାନଦଣ୍ଡ ଭାବେ ଧରାଯାଏ । ଯେଉଁ ସ୍ୱୟଂଶାସିତ କଲେଜମାନେ ବିଶ୍ୱବିଦ୍ୟାଳୟ ପାଇଁ ଦାବି କରୁଛନ୍ତି ଏକ୍ଷେତ୍ରରେ କାହିଁକି ଆଗ୍ରହ ଦେଖାଉନାହାନ୍ତି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବେଫିକର କଲେଜ କର୍ତ୍ତୃପକ୍ଷ, ୟୁଜିସି ନିୟମକୁ ବେଖାତିର

ଏମିତି କିଛି କଲେଜ ଅଛି ଯେଉଁମାନେ ଶେଷ ଥର ପାଇଁ ୨୦୧୨ରେ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ନବୀକରଣ କରିଥିଲେ । ଏହା ପରଠୁ ସ୍ୱୟଂଶାସିତ ମାନ୍ୟତା ନାହିଁ । କିନ୍ତୁ ପରୀକ୍ଷା ପରିଚାଳନା, ଫଳ ପ୍ରକାଶ ସବୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଢାଞ୍ଚାରେ ହେଉଛି । ପିଲାଙ୍କ ପ୍ରମାଣପତ୍ରରେ ମଧ୍ୟରେ ସ୍ୱୟଂଶାସିତ କଲେଜ ବୋଲି ଉଲ୍ଲେଖ ରହୁଛି । ୟୁଜିସିର ତଥ୍ୟ ଅନୁଯାୟୀ, ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ୨୦୧୨ରୁ ଶେଷ ହେଲାଣି । ୨୦୧୪ରୁ ରଘୁନାଥପଲ୍ଲୀ କଲେଜ, ୨୦୧୫ରୁ ଟିଟିଲାଗଡ଼ ଡିଏଭି କଲେଜ ଓ ରାଜେନ୍ଦ୍ର କଲେଜ, ୨୦୨୧ରୁ ବ୍ୟାସନଗର କଲେଜ, ୨୦୨୩ରୁ ଉଦୟନାଥ କଲେଜ, ୨୦୧୬ରୁ ତାଳଚେର ସ୍ୱୟଂଶାସିତ କଲେଜ, ୨୦୨୧ରୁ ସାଲେପୁର କଲେଜ୍, ୨୦୧୯ରୁ ପ୍ରାଣନାଥ କଲେଜ୍, ୨୦୨୩ରୁ ନୟାଗଡ଼ କଲେଜ୍, ୨୦୨୨ରୁ ନିମାପଡ଼ା କଲେଜ, ୨୦୧୬ରୁ ନୀଳଶୈଳ କଲେଜ, ୨୦୨୧ରୁ ଇସ୍ପାତ୍ କଲେଜ, ୨୦୨୩ରୁ ବାବା ଭୈରବାନନ୍ଦ କଲେଜ ଏବଂ ୨୦୧୬ରୁ ନିରାକାରପୁର କେବିଡିଏଭି କଲେଜ୍ର ସ୍ୱୟଂଶାସିତ ମାନ୍ୟତା ନାହିଁ ।

ସ୍ୱୟଂଶାସିତ ମାନ୍ୟତା ନଥାଇ ନିଜେ ପରୀକ୍ଷା ପରିଚାଳନା କରିବା ଆଇନର ଉଲ୍ଲଂଘନ । ଫଳରେ ୟୁଜିସିର କନ୍ଫର୍ମେଣ୍ଟ ଅଫ ଅଟୋନୋମସ ଷ୍ଟାଟସ୍ ଓପନ୍ କଲେଜ, ମେଜର୍ସ ଫର ମେଣ୍ଟେନାନ୍ସ ଅଫ୍ ଷ୍ଟାଣ୍ଡାର୍ଡସ ଇନ୍ ଅଟୋନୋମସ କଲେଜ ନିୟମାବଳୀ ୨୦୨୩ ନିୟମକୁ ଭାଙ୍ଗୁଛନ୍ତି । ଏହାକୁ ନେଇ ୟୁଜିସି ପକ୍ଷରୁ ବାରମ୍ବାର ତାଗିଦ୍ କରାଯାଉଛି । ନିୟମ ଅଛି, ମାନ୍ୟତା ଅବଧି ଶେଷ ହେବାର ୩ମାସ ପୂର୍ବରୁ ନବୀକରଣ ପାଇଁ ଆବେଦନ କରାଯିବ । ଏପରିକି ନାକ୍ ମାନ୍ୟତା ଅନୁଯାୟୀ ସ୍ୱୟଂଶାସିତ ମାନ୍ୟତା ମିଳିବ । ସର୍ବନିମ୍ନ ନାକ୍ ‘ଏ’ ଗ୍ରେଡ୍ ପାଇଥିବା ଶିକ୍ଷାନୁଷ୍ଠାନକୁ ପ୍ରାଥମିକ ଭାବେ ୧୦ ବର୍ଷ ପାଇଁ ସ୍ୱୟଂଶାସିତ ମାନ୍ୟତା ଦିଆଯିବ ।