ପୁରୀ, ୧୯/୧୧  : ଧାନ ବିକ୍ରି ସମୟରେ ଯେଭଳି କୌଣସି ଚାଷୀ ହଇରାଣ ନ ହୁଏ ଓ ଅବହେଳାର ଶୀକାର ନ ହୁଏ ତାହା ଦେଖିବା ଆମ ସମସ୍ତଙ୍କ ଦାୟିତ୍ୱ । କୌଣସି କ୍ଷେତ୍ରରେ ଅବହେଳା ବା ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ବୋଲି କଡା ଚେତାବନୀ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମଙ୍ଗଳବାର ଅପରାହ୍ନରେ ସର୍କିଟ ହାଉସ ଠାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଶ୍ରୀମତୀ ପରିଡା କହିଥିଲେ ଯେ, ଚଳିତ ବର୍ଷ ସରକାର ଧାନର ସହାୟକ ମୂଲ୍ୟକୁ ଛାଡି କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରିବେ । ଚଳିତ ବର୍ଷ ଚାଷୀ ଧାନ ବିକ୍ରି କରି କୁଇଣ୍ଟାଲ୍ ପିଛା ୩୧୦୦ଟଙ୍କା ପାଇବେ ଓ ଧାର୍ଯ୍ୟ କରାଯାଇଥିବା ଶତକଡା ଶହେ ଭାଗ ଧାନ କ୍ରୟ କରାଯିବ। ଏଥିପାଇଁ ଚାଷୀମାନଙ୍କୁ ବ୍ୟାପକ ସଚେତନ କରାଯିବ । ସରକାର ଧାନ ସଂଗ୍ରହକୁ ଗୁରୁତ୍ୱ ଦେବା ସହ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ମଧ୍ୟ ଦେଇଛନ୍ତି । କୌଣସି କ୍ଷେତ୍ରରେ ଅବହେଳା ଦୃଷ୍ଟିକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଦେଇଥିଲେ।

ବୈଠକରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଯୋଗଦେଇ ଚାଷୀ ମାନଙ୍କ ଧାନ ସଂଗ୍ରହକୁ ସୁନିୟନ୍ତ୍ରିତ ଓ ସରକାରଙ୍କ ମାର୍ଗଦର୍ଶିକା ଆଧାରରେ ଶୃଙ୍ଖଳିତ ଭାବେ କ୍ରୟ କରିବାକୁ ମତ ଦେବା ସହ ସମସ୍ତ ମଣ୍ଡିରେ ଚାଷୀମାନଙ୍କ ପାଇଁ ସର୍ବନିମ୍ନ ସୁବିଧା ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ଧାନ ସଂଗ୍ରହକୁ ସରକାରୀ ନିୟମ ଅନୁସାରେ ସଂଗ୍ରହ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଧାନ ସଂଗ୍ରହ ପୂର୍ବରୁ ବ୍ୟାପକ ଜନ ସଚେତନତା ସହ ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟର ଶତକଡ଼ା ଶହେ ଭାଗ ଧାନ ସଂଗ୍ରହ ହେବା ସମ୍ପର୍କରେ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । କୌଣସି ବି କ୍ଷେତ୍ରରେ ଅନିୟମିତତା ବା ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଲୋଚନା କରିଥିଲେ।

୨୦୨୪-୨୫ ଖରିଫ ଧାନ ସଂଗ୍ରହ ଜାନୁଆରୀ ୭ତାରିଖରୁ ଶୁଭାରମ୍ଭ ହେବ ଓ ବିଭିନ୍ନ ବ୍ଲକରେ ଧାନ ଅମଳକୁ ଦେଖି ଭିନ୍ନ ଭିନ୍ନ ତାରିଖରେ ସଂଗ୍ରହ ପାଇଁ ସର୍ବସମ୍ମତ କ୍ରମେ ସ୍ଥିର ହେଲା । ୨୦୨୩-୨୪ଖରିଫ ଓ ରବି ଋତୁରେ ୧୩୬୮୧୪.୮୭୫ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇ ଥିଲା। ଚଳିତ ବର୍ଷ ୪୯୨୪୦ ଚାଷୀ ପଞ୍ଜିକରଣ କରିଛନ୍ତି । ଚଳିତ ଖରିଫ୍ ଋତୁରେ ପ୍ରଥମ ଦଫାରେ ୧୮୭ଟି ପ୍ୟାକ୍ସରେ ୧୧୬୮୬୦.୨୯୪ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ  କରାଯିବ। ଚାଷୀମାନଙ୍କ ପାଇଁ ମଣ୍ଡିରେ ଆଶ୍ରୟସ୍ଥଳୀ, ପିଇବା ପାଣି ବ୍ୟବସ୍ଥା ନିଶ୍ଚିତ କରିବା ସହ ନିର୍ଦ୍ଧାରିତ ଦିନରେ ମିଲରମାନଙ୍କ ଦ୍ୱାରା ଧାନ ଉଠାଣ ସହ ଧାନ ସଂଗ୍ରହ ସଠିକ୍ ଭାବେ କରିବାକୁ ଚାଷୀ ପ୍ରତିନିଧିମାନେ ପ୍ରସ୍ତାବ ଦେଇଥିଲେ ଯାହା ଗ୍ରହଣ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ବୈଠକରେ ଉପଜିଲ୍ଲାପାଳ ନୀଳମାଧବ ମାଝୀ, ଡିଆରସିଏସ ସୁନିତା ପତି, ଏଆରସିଏସ ସ୍ବରୂପ କୁମାର କର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ଦାସ, ବିଭିନ୍ନ ବିଭାଗର ଅଧିକାରୀ, ଆରଏମସିର ସମ୍ପାଦକ, ମିଲର, ଯୋଗାଣ ନିରୀକ୍ଷକ ପ୍ରମୁଖ ଯୋଗ ଦେଇଥିଲେ।