ଭୁବନେଶ୍ୱର,୨୬/୦୭: ଇସ୍ପାତ କାରଖାନାର ଉନ୍ନତି କରାଇବା ଆଳରେ  ୩୧.୫ ଲକ୍ଷ ଟଙ୍କା ଉଧାର ନେଲେ । କିନ୍ତୁ  ଟଙ୍କା ଫେରାଇଲେନି କି ଧରାଛୁଆଁ ଦେଲେନି ।  ଏଭଳି ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ  ଜଣେ ଓଡ଼ିଆ ସିନେ ଅଭିନେତାକୁ ଗିରଫ  କରିଛି । ସେ ହେଲେ ଉଦୟନ ଅପରାଜିତ  ଓରଫ୍‌ ଉଦୟ (୪୦) । ତାଙ୍କ ଘର ଯାଜପୁର  ଜିଲ୍ଲା ଧର୍ମଶାଳା ବଡ଼ମଙ୍ଗଳପୁର ଅଞ୍ଚଳରେ ।  ଉଦୟ ‘ବଦମାସ ଟୋକା’ ସହ ଅନ୍ୟ କିଛି  ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି ।  ସେ ମଧ୍ୟ କେତେକ ଛତିଶଗଡ଼ୀ ଓ କନ୍ନଡ଼  ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏଥିସହ ସେ  କଳାହାଣ୍ଡି ଜିଲ୍ଲାରେ ଏକ ବହୁଭାଷୀ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ । ସେଥିରେ ଉଦୟନ ମୁଖ୍ୟ  ନାୟକ ଥିଲାବେଳେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର  ଖ୍ୟାତନାମା ନିର୍ଦ୍ଦେଶକ ଉଦୟ ନିର୍ଦ୍ଦେଶନା  ଦେଉଥିଲେ । କିନ୍ତୁ ତାହାର ନିର୍ମାଣ ଶେଷ  ହୋଇପାରିନାହିଁ । ଏହି ଚଳଚ୍ଚିତ୍ର ପାଇଁ ସେ ବହୁ ବ୍ୟକ୍ତିଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଉଧାର  ନେଇଥିଲେ । କିନ୍ତୁ ତାହାକୁ ପରିଶୋଧ  କରିପାରି ନ ଥିବା ଜଣାପଡ଼ିଛି । 

ପୁଲିସ ସୂଚନା ମୁତାବକ, ସରୋଜ କୁମାର ସାହୁ ବରମୁଣ୍ଡା ଅଞ୍ଚଳରେ ସପରିବାର  ରୁହନ୍ତି । ୨୦୨୧ ଅକ୍ଟୋବର ମାସରେ ଉଦୟ  ତାଙ୍କୁ ଭେଟିଥିଲେ । ଏକ ଇସ୍ପାତ କାରଖାନାର  ଉନ୍ନତୀକରଣ ଲାଗି ତାଙ୍କ ଠାରୁ ୩୧ ଲକ୍ଷ ୫୦  ହଜାର ଟଙ୍କା ଧାର ସୂତ୍ରରେ ନେଇଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର  ସ୍ୱାକ୍ଷର ହୋଇଥିଲା । ଅଭିଯୋଗକାରୀ ବାରମ୍ବାର ଟଙ୍କା ମାଗିବାରୁ ଉଦୟ ତାଙ୍କୁ କୋଟାକ ମହିନ୍ଦ୍ରା  ବ୍ୟାଙ୍କର ଏକ ଚେକ୍‌ ମଧ୍ୟ ଦେଇଥିଲେ । କିନ୍ତୁ ଉକ୍ତ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ଅଭାବରୁ ତାହା ବାଉନ୍ସ ହୋଇଯାଇଥିଲା । ସରୋଜ  ଏକାଧିକବାର ଉଦୟଙ୍କୁ ଯୋଗାଯୋଗ କରି ଧାର ଟଙ୍କା ମାଗିବାରୁ ଉଦୟ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଅନ୍ୟ  କୌଣସି ଉପାୟ ନପାଇ ସରୋଜ ଥାନାର  ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଆଜି ଉଦୟଙ୍କୁ  ବଡ଼ଗଡ଼ କେନାଲ ରୋଡ୍‌ ନିକଟରୁ ଧରିଥିଲା।