ଭୁବନେଶ୍ୱର,୨୬/୦୭: ଇସ୍ପାତ କାରଖାନାର ଉନ୍ନତି କରାଇବା ଆଳରେ ୩୧.୫ ଲକ୍ଷ ଟଙ୍କା ଉଧାର ନେଲେ । କିନ୍ତୁ ଟଙ୍କା ଫେରାଇଲେନି କି ଧରାଛୁଆଁ ଦେଲେନି । ଏଭଳି ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଜଣେ ଓଡ଼ିଆ ସିନେ ଅଭିନେତାକୁ ଗିରଫ କରିଛି । ସେ ହେଲେ ଉଦୟନ ଅପରାଜିତ ଓରଫ୍ ଉଦୟ (୪୦) । ତାଙ୍କ ଘର ଯାଜପୁର ଜିଲ୍ଲା ଧର୍ମଶାଳା ବଡ଼ମଙ୍ଗଳପୁର ଅଞ୍ଚଳରେ । ଉଦୟ ‘ବଦମାସ ଟୋକା’ ସହ ଅନ୍ୟ କିଛି ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି । ସେ ମଧ୍ୟ କେତେକ ଛତିଶଗଡ଼ୀ ଓ କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏଥିସହ ସେ କଳାହାଣ୍ଡି ଜିଲ୍ଲାରେ ଏକ ବହୁଭାଷୀ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ । ସେଥିରେ ଉଦୟନ ମୁଖ୍ୟ ନାୟକ ଥିଲାବେଳେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଖ୍ୟାତନାମା ନିର୍ଦ୍ଦେଶକ ଉଦୟ ନିର୍ଦ୍ଦେଶନା ଦେଉଥିଲେ । କିନ୍ତୁ ତାହାର ନିର୍ମାଣ ଶେଷ ହୋଇପାରିନାହିଁ । ଏହି ଚଳଚ୍ଚିତ୍ର ପାଇଁ ସେ ବହୁ ବ୍ୟକ୍ତିଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଉଧାର ନେଇଥିଲେ । କିନ୍ତୁ ତାହାକୁ ପରିଶୋଧ କରିପାରି ନ ଥିବା ଜଣାପଡ଼ିଛି ।
ପୁଲିସ ସୂଚନା ମୁତାବକ, ସରୋଜ କୁମାର ସାହୁ ବରମୁଣ୍ଡା ଅଞ୍ଚଳରେ ସପରିବାର ରୁହନ୍ତି । ୨୦୨୧ ଅକ୍ଟୋବର ମାସରେ ଉଦୟ ତାଙ୍କୁ ଭେଟିଥିଲେ । ଏକ ଇସ୍ପାତ କାରଖାନାର ଉନ୍ନତୀକରଣ ଲାଗି ତାଙ୍କ ଠାରୁ ୩୧ ଲକ୍ଷ ୫୦ ହଜାର ଟଙ୍କା ଧାର ସୂତ୍ରରେ ନେଇଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା । ଅଭିଯୋଗକାରୀ ବାରମ୍ବାର ଟଙ୍କା ମାଗିବାରୁ ଉଦୟ ତାଙ୍କୁ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏକ ଚେକ୍ ମଧ୍ୟ ଦେଇଥିଲେ । କିନ୍ତୁ ଉକ୍ତ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ଅଭାବରୁ ତାହା ବାଉନ୍ସ ହୋଇଯାଇଥିଲା । ସରୋଜ ଏକାଧିକବାର ଉଦୟଙ୍କୁ ଯୋଗାଯୋଗ କରି ଧାର ଟଙ୍କା ମାଗିବାରୁ ଉଦୟ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଅନ୍ୟ କୌଣସି ଉପାୟ ନପାଇ ସରୋଜ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଆଜି ଉଦୟଙ୍କୁ ବଡ଼ଗଡ଼ କେନାଲ ରୋଡ୍ ନିକଟରୁ ଧରିଥିଲା।