ହରଭଙ୍ଗା,୭/୧୧ : ବାରହା ମାଂସ ସହ ଦୁଇ ଶିକାରୀ ଗିରଫ । ଶିକାରୀ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କଲା ବନ ବିଭାଗ। ସୂଚନା ଅନୁସାରେ, ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ବନାଞ୍ଚଳ ପକ୍ଷରୁ ଗତ ଗୁରୁବାର ରାତିରେ ବନାଞ୍ଚଳ ଅଧିକାରୀ ଆସିକ ଦିଗାଲଙ୍କ ନେତୃତ୍ୱରେ ପାଟ୍ରୋଲିଂ ଚାଲୁଥିବା ସମୟରେ କୌଣସି ଏକ ବିଶେଷ ସୂତ୍ରରୁ ଖବରପାଇ ରାଣୀଗଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ନିକଟରୁ ୩୪କେଜି ବାରହା ମାଂସ ସହ ଦୁଇ ଜଣ ଶିକାରୀଙ୍କୁ କାବୁ କରିଥିଲା। ଶିକାରୀ ଦୁଇ ଜଣ ହେଲେ ରାଣୀଗଞ୍ଜ ଗ୍ରାମର କପିନ୍ଦ୍ର ମାଝୀ (୬୫) ଓ ସତ୍ୟ ବେହେରା(୫୭)।
ବନାଞ୍ଚଳ ଅଧିକାରୀଙ୍କ ସୂଚନା ଅନୁସାରେ ଶିକାରୀ ଦୁଇ ଜଣ ରାଣୀଗଞ୍ଜ ନିକଟସ୍ଥ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ଏକ ବାରହା ଶିକାର କରି ଆଣି ନିକଟସ୍ଥ ଏକ ବିଲ ପାଖରେ ମାଂସ କାଟୁଥିବା ସମୟରେ ବିଶେଷ ସୂତ୍ରରୁ ଖବରପାଇ ଚଢ଼ଉ କରିଥିଲା ବନ ବିଭାଗ। ଦୁଇ ଜଣ ଶିକାରୀଙ୍କ ସହ ୩୪କେଜି ବାରହା ମାଂସ, ଦୁଇଟି ଟାଙ୍ଗିଆ, ଦୁଇଟି କଟୁରୀକୁ ଜବତ କରିଥିଲେ ।
ମାଂସ ସହିତ ଦୁଇ ଜଣ ଶିକାରୀ ଓ ଟାଙ୍ଗିଆ କଟୁରୀକୁ ମାଧପୁର ରେଞ୍ଜ ଅଫିସକୁ ନେଇ ଯାଇଥିଲେ । ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶକ୍ରମେ ଶୁକ୍ରବାର ସକାଳେ ହରଭଙ୍ଗା ପ୍ରାଣୀ ଚିକିତ୍ସକ ଦ୍ୱାରା ମାଂସର ପରୀକ୍ଷା କରାଯାଇ ମାଂସ ସବୁକୁ ପୋତି ଦେବା ସହ ଏକ ମାମଲା ରୁଜୁ କରାଯାଇ ଆସାମୀ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଉକ୍ତ ଚଢ଼ଉ ସମୟରେ ବନାଞ୍ଚଳ ଅଧିକାରୀଙ୍କ ସହିତ ଫରେଷ୍ଟର ଭକ୍ତ ବତ୍ସଳ ମଲିକ, ଫରେଷ୍ଟ ଗାର୍ଡ଼ ମଞ୍ଜୁ ସାହୁଙ୍କ ସମେତ ମାଧପୁର ରେଞ୍ଜର ସମସ୍ତ ସ୍କ୍ୱାର୍ଡ଼ ସାମିଲ ଥିଲେ।