ରାଜନଗର, ୩୦/୧୨ : ଡିସେମ୍ୱର ମାସ ଶେଷ ରବିବାରରେ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା । ବିଭିନ୍ନ ସ୍ଥାନରୁ ୧୧୭ଟି ବୋଟ୍‌ ଟ୍ରିପରେ ଓ ସ୍ଥଳଭାଗରେ ଆସିଥିବା ୨୦୯୨ଜଣ ପର୍ଯ୍ୟଟକଙ୍କୁ ମିଶାଇ ମୋଟ ୩୭୦୬ ଜଣ ପର୍ଯ୍ୟଟକ ଭିତରକନିକା ପରିଦର୍ଶନରେ ଆସିଥିଲେ । ଭିତରକନିକା ମୁଖ୍ୟ ଗେଟ୍‌ ଦେଇ ସ୍ଥଳପଥରେ ୨୦୯୨ ଜଣ ପର୍ଯ୍ୟଟକ ଭିତରକୁ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ୪୪ ଟ୍ରିପ୍‌ ବୋଟରେ ବସି ପର୍ଯ୍ୟଟକ ଭିତରକନିକାର ଶୋଭା ଦେଖିବା ସହ ବୋଟିଂର ମଜା ଉଠାଇଥିଲେ । ଖୋଳାରୁ ୮୨ ଟ୍ରିପ୍‌ ବୋଟ୍‌ରେ ୧୧୪୦ ଜଣ ଆସିଥିବା ବେଳେ ଚାନ୍ଦବାଲିରୁ ୫ଟି ବୋଟ୍‌ରେ ୭୫ ଜଣ, ଗୁପ୍ତିରୁ ୩୦ ଟିପ୍‌ ବୋଟରେ ୩୭୯ ଜଣ ପର୍ଯ୍ୟଟକ ଭିତରକନିକା ପରିଭ୍ରମଣ କରିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି । 

ପର୍ଯ୍ୟଟକମାନେ ବୋଟ୍‌ରେ ବସି ନଦୀରେ ବୁଲିବା ସମୟରେ ନଦୀପଠାରେ ଶୋଇ ଖରା ଖାଉଥିବା କୁମ୍ଭୀର, ହରିଣ ପଲ ଓ ରଙ୍ଗବେରଙ୍ଗର ପକ୍ଷୀ ପର୍ଯ୍ୟଟକଙ୍କୁ ଆନମନା କରିଥିଲା । ଭିତରକନିକା ସେଲ୍‌ଫି ପଏଣ୍ଟ୍‌ରେ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକମାନେ ଭିଡ଼ ଜମାଇଥିଲେ । ମେଟା ନର୍ସରୀ, ସଂଗ୍ରହାଳୟ, ଗୋରୀ ଓ ମଲ୍ଲୀ ରହୁଥିବା ପୋଖରୀ ନିକଟରେ ବେଶ୍‌ ଭିଡ଼ ଲାଗିଥିଲା । ହାଚେରୀରେ ଛୋଟ ଛୋଟ କୁମ୍ଭୀର ଛୁଆ ସହ ଧଳା କୁମ୍ଭୀର ଶ୍ୱେତାକୁ ଦେଖିବା ପାଇଁ ଗହଳି ଲାଗିଥିଲା । ବୋଟ୍‌ ଲାଇବ୍ରେରୀକୁ ଦେଖିବା ସହ ସ୍କାଏ ୱାକ୍‌ରେ ବହୁ ସଂଖ୍ୟକ ପର୍ଯ୍ୟଟକ ଚାଲି ଚାଲି ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଥିଲା ।