ଯାଜପୁର,୧୫/୧୧: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରେ ୨୦୧୯ରେ ଜମିଜମାକୁ ନେଇ ଘଟିଥିବା ହତ୍ୟା ଉଦ୍ୟମ ମାମଲାର ରାୟ ପ୍ରକାଶ ପାଇଛି । ଯାଜପୁର କୋର୍ଟ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି । ୪ଜଣ ଅଭିଯୁକ୍ତଙ୍କୁ ୭ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି । ଗିରଫ ଅଭିଯୁକ୍ତମାନେ ବିଞ୍ଝାରପୁର ଥାନା ଜରି ଗ୍ରାମର ସୁଦର୍ଶନ ମଲିକ, ଲମ୍ବୋଦର ମଲିକ, ନନ୍ଦୀ ମଲିକ ଓ ଦାମୋଦର ମଲିକ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଜରି ଗ୍ରାମରେ ୨୦୧୯ ଅଗଷ୍ଟ ମାସରେ ଜମିଜମାଙ୍କୁ ନେଇ ଗ୍ରାମର ଲମ୍ବୋଦର ମଲିକଙ୍କୁ ଅଭିଯୁକ୍ତ ସୁଦର୍ଶନ, ଲମ୍ବୋଦର, ନନ୍ଦୀ, ଦାମୋଦର ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଲମ୍ବୋଦରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଘଟଣାକୁ ନେଇ ଲମ୍ବୋଦରଙ୍କ ପତ୍ନୀ ସବିତା ମଲିକ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଦୀର୍ଘ ୬ବର୍ଷ ପରେ ଏହି ମାମଲାର ରାୟ ଶୁଣାଣି ହୋଇଛି । ବିଚାରପତି ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ କମ୍ ଆସିଷ୍ଟାଣ୍ଟ ସେସନ୍ ଜଜ୍ ସର୍ବେଶ୍ୱର ଦାସ ୧୧ଜଣ ସାକ୍ଷ୍ୟ ଓ ଗୁରୁତ୍ୱପୂର୍ଣ ଦସ୍ତାବିଜକୁ ଆଧାର କରି ସମସ୍ତ ଅଭିଯୁକ୍ତଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୫ହଜାର ଟଙ୍କା ଲେଖାଏଁ ଜରିମାନା ଏବଂ ଅନାଦେୟରେ ଅଧିକ ୧ବର୍ଷ କାରାଦଣ୍ଡର ରାୟ ଶୁଣାଣି କରିଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ବିରଜା ପରିଡ଼ା ପରିଚାଳନା କରୁଥିଲେ।