ନୟାଗଡ,୧୨।୫ : ଓଡଗାଁ ସହରର କଦଳୀବନ୍ଧରେ ଅଜିତ ସାହୁଙ୍କୁ ହତ୍ୟା ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଏହାସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଏବଂ ଗୋଟିଏ କାର୍ ଜବତ ହୋଇଛି । ପ୍ରେସମିଟ୍ କରି ଏହି ସୁଚନା ଦେଇଛନ୍ତି ଆଇଜି ସତ୍ୟଜିତ୍ ନାୟକ । ହତ୍ୟାକାଣ୍ଡର ୨୪ଘଣ୍ଟା ମଧ୍ୟରେ ପୋଲିସ ୪ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଅତିଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପୂର୍ଣ୍ଣଚନ୍ଦ୍ର ନାୟକ, ମହନ୍ତ ନାୟକ, ମାନସ ସାହୁ ଏବଂ ଶ୍ରୀଧର ସାହୁ । ଘଟଣାର ମୁଖ୍ୟ ଅଭିଯୁକ୍ତ ମହନ୍ତ ଏବଂ ପୂର୍ଣ୍ଣଚନ୍ଦ୍ର ବୋଲି ପୋଲିସ କହିଛି ।
ଘଟଣା ଦିନ ରାତିରେ କଦଳୀବନ୍ଧ ସାହିକୁ ଦୁଇଟି ଟ୍ରକରେ ମାଙ୍କଡା ପଥର ଆସିଥିବାବେଳେ ମୃତକ ଅଜିତ୍ ଏବଂ ତାଙ୍କ ବନ୍ଧୁ ସନ୍ତୋଷ ପ୍ରଧାନ ଗାଡିକୁ ଅଟକାଇଥିଲେ । ଗାଡିର ଡ୍ରାଇଭର ସହ ସେମାନଙ୍କ ପାଟିତୁଣ୍ଡ ହେବାପରେ ଡ୍ରାଇଭର ଫୋନ ମାଧ୍ଯମରେ ଅଭିଯୁକ୍ତମାନଙ୍କୁ ଡାକିଥିଲେ । ପୂର୍ଣ୍ଣଚନ୍ଦ୍ର ଏବଂ ତାଙ୍କର ୫ଜଣ ସହଯୋଗୀ ଏକ କାରରେ ଘଟଣାସ୍ଥଳକୁ ଆସିବା ପରେ ସେମାନଙ୍କ ସହ ମଧ୍ୟ ଅଜିତଙ୍କ ପାଟିତୁଣ୍ଡ ଏବଂ ଠେଲାପେଲା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୂର୍ଣ୍ଣଚନ୍ଦ୍ର ଏବଂ ମହନ୍ତ ଏକ ଖଣ୍ଡାରେ ଅଜିତଙ୍କୁ ଅତି ନିର୍ମମଭାବେ ହାଣି ଦେଇଥିଲେ । ଘଟଣାସ୍ଥଳରେ ଅଜିତଙ୍କ ମୃତ୍ୟୁ ହୋଇଥିବାବେଳେ ସନ୍ତୋଷ ଘଟଣାସ୍ଥଳରୁ ଖସି ପଳାଇଯାଇଥିଲେ । ମୃତକ ଅଜିତ ଏବଂ ସନ୍ତୋଷ ବିଭିନ୍ନ ସମୟରେ ମାଙ୍କଡା ପଥର ବୋଝେଇ ଗାଡି ଅଟକାଇ ଟଙ୍କା ଆଦାୟ କରୁଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୪ଜଣଙ୍କୁ ଗିରଫ କରିଥିବାବେଳେ ବ୍ଯବହୃତ ଖଣ୍ଡାକୁ ଢେଙ୍କାନାଳ ଜିଲ୍ଲାର ଭାପୁର ଜଙ୍ଗଲରୁ ଜବତ କରିଛି । ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ।
ଆହୁରି ପଢନ୍ତୁ : କଳାମଣ୍ଡଳର ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ସଂସ୍କୃତି ମନ୍ତ୍ରୀଙ୍କ ନିର୍ଦ୍ଦେଶ