ବାଙ୍ଗିରିପୋଷି,୨୪ା୩(ଆପ୍ର): ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କାର୍‌କେଡ୍‌ ଗାଡ଼ି ଉପରକୁ ପଥର ମାରି କାଚ ଭାଙ୍ଗିବା,  ପୁଲିସକୁ ମାଡ଼ ମାରିବା ଘଟଣାରେ ବାଙ୍ଗିରିପୋଷି ପୁଲିସ ନେଇଛି କଡ଼ା ଆକ୍ସନ । ଉକ୍ତ ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ଚାରିଜଣଙ୍କୁ ବାଙ୍ଗିରିପୋଷି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ  ଅଭିଯୁକ୍ତମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରେଳଷ୍ଟେସନ ନିକଟସ୍ଥ ହାଣଦା ଗ୍ରାମର ପ୍ରତିମା ଚାଟାର୍ଜୀ (ପୁତୁଲ), ମଝିଗାଁ ଗ୍ରାମର ସୁନୀଲ ଶର୍ମା (୪୦), ହାଣଦା ଗ୍ରାମର ବିଶ୍ୱନାଥ ସାହୁ (୩୫) ଓ ସୋମପ୍ରକାଶ ସାହୁ (୨୧) । ଘଟଣା ସ୍ଥାନରେ ଡିୟୁଟିରେ ଥିବା ପୁଲିସ ଏସ୍‌ଆଇ ସସ୍ମିତା ସାମଲଙ୍କ ଲିଖିତ ଅଭିଯୋଗ କ୍ରମେ ଏହି ଘଟଣାରେ ମୋଟ୍‌ ୧୯ ଜଣଙ୍କ ନାଁରେ ପୁଲିସ ମାମଲା ଦାୟର କରିଥିବାବେଳେ ଅନ୍ୟ ପଚାଶ ଜଣ ଥିବା ମଧ୍ୟ ଦର୍ଶାଇଛି । 

ବାଙ୍ଗିରିପୋଷି ଥାନା ଅଧିକାରୀ ବୀରେନ୍ଦ୍ର ସେନାପତିଙ୍କ ସୂଚନା ମୁତାବକ, ଗତ ରବିବାର ମୟୂରଭଞ୍ଜ ଜିଲ୍ଲାକୁ କାଳବୈଶାଖୀ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ବାଙ୍ଗିରିପୋଷି ପହଞ୍ଚି କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନ କରିଥିଲେ । ତେବେ ଅଭିଯୁକ୍ତମାନେ ଲାଠି ଓ ଠେଙ୍ଗା ଧରି ଭିଭିଆଇପି ଯିବା ରାସ୍ତା ଅବରୋଧ କରିଥିଲେ । ଡିୟୁଟିରେ ଥିବା ପୁଲିସ କର୍ମଚାରୀ ଏବଂ ସରକାରୀ କର୍ମଚାରୀ, ଡେଲିଗେଟ୍‌ସ ଉପରକୁ ଢେଲା ପଥର ମାଡ଼ କରିଥିଲେ । ଏହି ଘଟଣାରେ ହେଲିପ୍ୟାଡରୁ ଫେରୁଥିବା କାର୍‌କେଡ୍‌ ଗାଡିର କାଚ ଭାଙ୍ଗି ଯାଇଥିଲା।  ସେମାନଙ୍କ ଆକ୍ରମଣରେ ଧ୍ରୁବଚରଣ ସାହୁ ନାମକ ଜଣେ ପୁଲିସ କନେଷ୍ଟବଳ ମଧ୍ୟ ଆହତ ହୋଇଥିଲେ।