ବିଶାଖାପାଟଣା,୨୧/୧୧: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ୨୦ ବର୍ଷୀୟା ଆଇନ ଛାତ୍ରୀଙ୍କୁ  ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।  ଏହି ଘଟଣାରେ ପୀଡ଼ିତାଙ୍କ ପ୍ରେମିକଙ୍କ ସମେତ ୪  ଜଣଙ୍କୁ ଗିରଫ କରାଯାଇଛି । ପୁଲିସ ସେମାନଙ୍କୁ ରିମାଣ୍ଡରେ ନେଇଛି । 

ଥାନାରେ ହୋଇଥିବ  ଅଭିଯୋଗ ଅନୁସାରେ, ଅଭିଯୁକ୍ତ ବଂଶୀ ସହ ବର୍ଷେ  ହେଲା ପୀଡ଼ିତା ଆଇନ ଛାତ୍ରୀଙ୍କର ପ୍ରେମ ସମ୍ପର୍କ  ଥିଲା । ଉଭୟ ସହପାଠୀ । ଚଳିତବର୍ଷ ଅଗଷ୍ଟରେ  ପୀଡ଼ିତାଙ୍କୁ ବଂଶୀ ବିଶାଖାପାଟଣାର କ୍ରିଷ୍ଣାନଗରରେ  ଥିବା ଏକ ବନ୍ଧୁଙ୍କ ଘରକୁ ନେଇଥିଲା । ସେଠାରେ  ତାଙ୍କୁ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମର ଭିଡିଓ  ବି ବନାଇଥିଲା । ପରେ ଭିଡିଓ କ୍ଲିପ୍‌ ଭାଇରାଲ  କରିବାର ଭୟ ଦେଖାଇ ପୀଡ଼ିତାଙ୍କୁ ସେ ବାରମ୍ବାର  ଯୌନ ଉତ୍ପୀଡ଼ନ ଦେଇଥିଲା । ଏମିତିକି ଶେଷରେ  ତା’ର ୩ ଜଣ ବନ୍ଧୁ ଭିଡିଓ ଲିକ୍‌ କରାଇଦେବେ  ବୋଲି କହି  ଦୁଷ୍କର୍ମ କରିଥିଲେ । ଅକଥନୀୟ  ଅତ୍ୟାଚାରର ଶିକାର ହେବା ପରେ ପୀଡ଼ିତା ଜଣକ  ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲେ । ସୋମବାର  ସେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କ  ପିତା ତାଙ୍କୁ ରୋକିଥିଲେ । ପରିବାର ଲୋକଙ୍କୁ  ସବୁକଥା କହିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା  ରୁଜୁ ହୋଇଥିଲା । ସେମାନଙ୍କୁ ଗିରଫ କରାଯାଇଛି ।