ନୂଆଦିଲ୍ଲୀ,୦୮/୧୨; ଗୋଆର ଅରପୋରା ଅଞ୍ଚଳରେ ଥିବା ଏକ ନାଇଟ୍ କ୍ଲବ୍ରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୫ ଜଣ ପର୍ଯ୍ୟଟକ ଓ ୨୦ ଜଣ କ୍ଲବ କର୍ମଚାରୀ ରହିଛନ୍ତି । ଏହି ଭୟଙ୍କର ଟ୍ରାଜେଡି ସମସ୍ତଙ୍କୁ ସ୍ତବ୍ଧ କରିଛି । ସମସ୍ତ ୨୫ ମୃତଦେହକୁ ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । ଅବହେଳା କାରଣ ଦର୍ଶାଯାଇ ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ଗୋଟିଏ ସପ୍ତାହରେ ତଦନ୍ତ ରିପୋର୍ଟ ଆସିବ । ଦୁର୍ଘଟଣାଟି ନର୍ଥ ଗୋଆର ଅରପୋରା ଗାଁରେ ହୋଇଛି ଯାହା ରାଜଧାନା ପାଣାଜୀଠୁ ୨୫ କିଲୋମିଟର ଦୂରରେ ।
୪ ଜଣ ଗିରଫ, ମାଲିକ ଉପରେ ମାମଲା ରୁଜ୍ଜୁ- କ୍ଲବର ଡ୍ୟାନ୍ସ ଫ୍ଲୋରରୁ ପ୍ରଥମେ ନିଆଁ ଲାଗିଥିଲା । ବୈଦ୍ୟୁତିକ ଆତସବାଜି ଯୋଗୁ ଅଗ୍ନିକାଣ୍ଡ ଘଟିଛି । କ୍ଲବର ଏଣ୍ଟ୍ରି-ଏକଜିଟ୍ ଅଣଓସାରିଆ ହୋଇଥିବାରୁ ଲୋକ ବାହାରି ପାରିନଥିଲେ । ଫଳରେ ଶ୍ୱାସରୁଦ୍ଧ ହୋଇ ଅଧିକାଂଶଙ୍କ ଜୀବନ ଯାଇଛି । ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାଇଟ୍ କ୍ଲବ୍ ପରିଚାଳନା ଦଳର ୪ ଜଣଙ୍କୁ ଗିରଫ କରିଛି। ଏଥିରେ ମୁଖ୍ୟ ମହାପ୍ରବନ୍ଧକ, ମହାପ୍ରବନ୍ଧକ, ବାର ପରିଚାଳକ ଏବଂ ଗେଟ୍ ପରିଚାଳକ ଅନ୍ତର୍ଭୁକ୍ତ । କ୍ଲବ୍ ମାଲିକ ଏବଂ ଇଭେଣ୍ଟ ଆୟୋଜକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି ।
୩ ସରକାରୀ ଅଧିକାରୀ ନିଲମ୍ବିତ- ଘଟଣାରେ ୩ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ୨୦୨୩ ମସିହାରେ ସୁରକ୍ଷା ନିମୟ ଉଲ୍ଲଂଘନ ସତ୍ତ୍ୱେ କ୍ଲବକୁ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଥିବା ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଘଟଣାର ତଦନ୍ତ ପାଇଁ ସରକାର ଏକ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି । ଏଥିରେ ଦକ୍ଷିଣ ଗୋଆର କଲେକ୍ଟର, ଅଗ୍ନିଶମ ଏବଂ ଜରୁରୀକାଳୀନ ସେବାର ଉପ-ନିର୍ଦ୍ଦେଶକ ଏବଂ ଫୋରେନସିକ୍ ଲ୍ୟାବର ନିର୍ଦ୍ଦେଶକ ଅଛନ୍ତି । କମିଟିକୁ ସପ୍ତାହେ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।
ଆହତଙ୍କ ଚିକିତ୍ସା ଜାରି- ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କେତେକଙ୍କ ଅବସ୍ଥା ଗୁରୁତର ରହିଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଅନ୍ୟ ରାଜ୍ୟ ଏବଂ ନେପାଳରୁ ଆସିଥିବା କର୍ମଚାରୀଙ୍କ ମୃତଦେହକୁ ସେମାନଙ୍କ ଘରକୁ ପଠାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଏଣିକି ନାଇଟ୍ କ୍ଲବ, ରେଷ୍ଟୁରାଣ୍ଟ ଏବଂ ଭିଡ଼ପୂର୍ଣ୍ଣ କାର୍ଯ୍ୟକ୍ରମ ସ୍ଥାନ ଗୁଡ଼ିକରେ ଗୁଡ଼ିକର ସୁରକ୍ଷା ଯାଞ୍ଚ କରାଯିବ । ନିୟମ ପାଳନ ନକଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ