ରାଇରଙ୍ଗପୁର,୧୪।୧୦(ଆପ୍ର) : ଡକାୟତି ଯୋଜନା ସମୟରେ ମାଡି ବସିଲା ପୁଲିସ । ୪ ଡକାୟତ ଗିରଫ ସମେତ ମାରଣାସ୍ତ ଜବତ। ଏଭଳି ସଫଳତା ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ପୁଲିସକୁ। ଗିରଫ ଡକାୟତମାନେ ହେଲେ କରଞ୍ଜିଆ ଥାନା ଅନ୍ତର୍ଗତ ଭରଣା ଗ୍ରାମର ମନୋଜ କୁମାର ପାତ୍ର ଓରଫ ମୋତିଲାଲ ଓ ଘୋଡ଼ାସାହି ଗ୍ରାମର ବନ୍ଦନ କୁମାର ପଣ୍ଡା। ସେହିପରି ଅନ୍ୟ ଦୁଇ ଜଣ ଯାଜପୁର ଥାନା ଅଧୀନସ୍ଥ ମୋରମଛାଇ ଗ୍ରାମର କୁନା ସୁଣ୍ଡି ଓ ଧବଳଗିରି ଗ୍ରାମର ରାଜେଶ ଡଙ୍ଗା।
ଗତ ବାର ତାରିଖ ରାତିରେ ଡକାୟତି ଗ୍ୟାଙ୍ଗ ବିଶୋଇ ଥାନା ଅଧିନସ୍ଥ ବାଢୁଣୀଆ ଗ୍ରାମରେ ଜନୈକ ଘରୁ ଚୋରି ଉଦ୍ୟମ କରୁଥିବା ବେଳେ ଘର ଲୋକେ ପାଟିତୁଣ୍ଡ କରିବାରୁ ଗ୍ରାମଲୋକେ ଆସି ପହଂଚିଥିଲେ। କିନ୍ତୁ ଡକାୟତମାନେ ସେଠାରୁ ପଳାଇ ଯାଇଥିଲେ। ସୋମବାର ବହଳଦା ଥାନା ଗମ୍ଭାରୀଆ ଠାରେ ପୁଣି ଡକାୟତି ପ୍ଲାନ୍ କରୁଥିବା ବେଳେ ଜଣେ ଛେଳି ଚରାଉଥିବା ବ୍ୟକ୍ତି ସେମାନଙ୍କର କଥା ଶୁଣି ପୁଲିସକୁ ଖବର ଦେଇଥିଲା। ଏହାପରେ ପୁଲିସ ଅତର୍କିତ ମାଡି ବସି ସେମାନଙ୍କୁ ଗିରଫ କରିଥିଲା। ଡକାୟତି କାର୍ଯ୍ୟରେ ବ୍ୟବହାର କରିଥିବା ମାରଣାସ୍ତ୍ର, ଗୋଟିଏ ବନ୍ଧୁକ, ୧୦ଟି ଗୁଳି, ୩ଟି କଟୁରୀ, ଗୋଟିଏ ଛୁରୀ, ଦୁଇ ପ୍ୟାକେଟ୍ ଲଙ୍କା ଗୁଣ୍ଡ ,ଗୋଟିଏ ବାଉଁଶ ବାଡ଼ି,ଗୋଟିଏ ମଙ୍କି କ୍ୟାପ୍, ତିନୋଟି ମୋବାଇଲ,ଓ ଗୋଟିଏ ଆର୍ଟିକା କାର ଜବତ୍ କରିଛି।
ଗିରଫ ହୋଇଥିବା ଡକାୟତ ମାନେ ଦୁଇ ଜଣ କରଞ୍ଜିଆ ଥାନା ଅଞ୍ଚଳର ହୋଇଥିବା ବେଳେ ଆଉ ଦୁଇ ଜଣ ଯାଜପୂର ଥାନା ଅଞ୍ଚଳର ବୋଲି ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଜେନା ସାମ୍ବାଦିକ ସମ୍ମିଳନୀରେରେ କହିଛନ୍ତି। ଅନ୍ୟ ଡକାୟତ ମାନଙ୍କୁ ବହୁତ ଶୀଘ୍ର ଗିରଫ କରାଯିବା ବୋଲି କହିଛନ୍ତି।
ଗିରଫ ଡକାୟତ ମାନେ କରଞ୍ଜିଆ ଥାନା ଅନ୍ତର୍ଗତ ଭରଣା ଗ୍ରାମର ମନୋଜ କୁମାର ପାତ୍ର ଓରଫ ମୋତିଲାଲ ଓ ଘୋଡ଼ାସାହି ଗ୍ରାମର ବନ୍ଦନ କୁମାର ପଣ୍ଡା।ସେହିପରି ଅନ୍ୟ ଦୁଇ ଜଣ ଯାଜପୁର ଥାନା ଅଧୀନସ୍ଥ ମୋରମଛାଇ ଗ୍ରାମର କୁନା ସୁଣ୍ଡି ଓ ଧବଳଗିରି ଗ୍ରାମର ରାଜେଶ ଡଙ୍ଗା ।ଏମାନେ ଏକାଧିକ ଅପରାଧରେ ଜଡ଼ିତ ଥିବାର ପୁଲିସ ପ୍ରକାଶ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ବହଳଦା ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।