ଭୁବନେଶ୍ବର, ୭।୫ : ରାଜଧାନୀ ଉପକଣ୍ଠରେ ବର୍ବରକାଣ୍ଡ । ଜଣେ ଯୁବକଙ୍କୁ ପିଟିପିଟି ମାରି ଦେଲେ ଲୋକେ । ଲୋକଙ୍କ ମାଡ଼ରେ ଓଲଟପୁର ଥାନା ମଉଜପୁର ଗାଁର ସୌମ୍ୟ ରଞ୍ଜନ ସ୍ଵାଇଁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଏଥିସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଏହି ଘଟଣା ପରେ ବାଲିଅନ୍ତା ଥାନା ପରିସରରେ ଉତ୍ତେଜନା ଦେଖା ଦେଇଛି। ସୌମ୍ୟଙ୍କ ସମ୍ପର୍କୀୟ ବାଲିଅନ୍ତା ଥାନା ଘେରାଉ କରିଛନ୍ତି ।ଏପରିକି ଥାନାରେ ପୁଲିସ – ସୌମ୍ୟଙ୍କ ସମ୍ପର୍କୀୟ ମୁହାଁମୁହିଁ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ବାଲିଅନ୍ତା ଥାନା ଅଞ୍ଚଳର ୨ ଜଣ ଯୁବତୀ ଏକ ସ୍କୁଟିରେ ଭିଙ୍ଗାରପୁର ଯାଉଥିଲେ। ଏହି ସମୟରେ ସୌମ୍ୟ ରଞ୍ଜନ ଏବଂ ତାଙ୍କର ଜଣେ ସହଯୋଗୀ ଓମ ପ୍ରକାଶ ଏକ ବାଇକରେ ଆସି ୨ ଯୁବତୀଙ୍କୁ ଆକ୍ରମଣ ସହ ଅସଦାଚାରଣ କରିଥିଲେ।ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ।ଘଟଣା ସ୍ଥଳରେ ବାଲିଅନ୍ତା ପୋଲିସ ପହଁଞ୍ଚି ୨ଯୁବକଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଥିଲେ । କ୍ୟାପିଟାଲ୍ ହସ୍ପିଟାଲରେ ଡାକ୍ତର ସୌମ୍ୟଙ୍କୁ ମୃତ ଘୋଷଣା କରିଛନ୍ତି ।ଭୁବନେଶ୍ବର ଡିସିପି ଜଗମୋହନ ମୀନାସେ ଆହୁରି କହିଛନ୍ତି,ବର୍ତ୍ତମାନଘଟଣାର ତଦନ୍ତ ଚାଲିଛି । ଏହି ଘଟଣାରେ ତିନୋଟି ପକ୍ଷ ଅଛନ୍ତି । ଦୁଇଟି ଝିଅ ଯେଉଁମାନେ ସ୍କୁଟିରେ ଥିଲେ। ଦୁଇ ଜଣ ପୁଅ ଯିଏ ବାଇକରେ ଥିଲେ ଏବଂ ସ୍ଥାନୀୟ ଲୋକ। ମୃତକଙ୍କ ସହିତ ଥିବା ଯୁବକଙ୍କୁ ରଖି ପଚାର ଉଚରା କରୁଛୁ। ଭିଡିଓ ଜରିଆରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଉଛି।ସୌମ୍ୟ ରଞ୍ଜନ ଜିଆରପିରେ କାର୍ଯ୍ୟରତ ଥିଲେ ।ଏନେଇ ଜିଆରପିର ଉଚ୍ଚ ପଦାଧିକାରୀଙ୍କୁ ଅବଗତକରାଯାଇଛି।