ନୂଆଦିଲ୍ଲୀ,୧୪/୧୨: ଗୃହଯୁଦ୍ଧରେ ଅଶାନ୍ତ ହୋଇଥିବା ସିରିଆରେ ରେସ୍କ୍ୟୁ ଅପରେସନ ଜୋରଦାର ହୋଇଛି । ଆଜି ଦ୍ବୀତୟ ପର୍ଯ୍ୟାୟରେ ୪ ଭାରତୀୟ ସ୍ବଦେଶ ଫେରିଛନ୍ତି । ପୂର୍ବରୁ ଡିସେମ୍ବର ୧୧ ତାରିଖରେ ୭୫ ଭାରତୀୟ ଫେରିଥିଲେ । ଆଜି ଆଉ ୪ ଜଣ ଭାରତ ଫେରିବା ପରେ ଦୂତବାସକୁ ଧନ୍ୟବାଦ ଦେବା ସହ ଯୁଦ୍ଧ ବିଭୀଷିକା ସିରିଆର ଭୟଙ୍କର ସ୍ଥିତି ବଖାଣିଛନ୍ତି ।

ସିରିଆରୁ ଫେରିଥିବା ଜଣେ ଭାରତୀୟ କହିଛନ୍ତି, ସେଠାରେ ୪ମାସ ଡ୍ୟୁଟି କରିଥିଲୁ । ପ୍ଲାଣ୍ଟରେ କାମ କରୁଥିଲୁ ଅଚାନକ ରକେଟ ମାଡ ହୋଇଥିଲା । ଏହାପରେ ଆମେ ଦୂତବାସକୁ ଯୋଗାଯୋଗ କରିଥିଲୁ । ଦାମାସ୍କସ ଦୂତବାସକୁ ଆମକୁ ଡାକିଥିଲେ । ସେଠାରେ ୨ରୁ୩ ଦିନ ରହିଥିଲୁ । ସେଠାରୁ ବେରୁଟ ଆସିଥିଲୁ । ବେରୁଟରୁ ଦୋହା ପରେ ନୂଆଦିଲ୍ଲୀରେ ପହଞ୍ଚିଛୁ । ସେଠାରେ ସ୍ଥିତି ସଙ୍ଗୀନ ରହିଛି । ଗୋଟିଏ ରାତି ନାହିଁ ଯେବେ ଆମେ ବନ୍ଧୁକ ଓ ରକେଟ ଶଦ୍ଦ ଶୁଣିନାହୁଁ । ଦୂତବାସ ଆମକୁ ବହୁତ ସାହାଯ୍ୟ କରିଛନ୍ତି ।

ସେହିପରି ଆଉ ଜଣେ ଭାରତୀୟ କହିଛନ୍ତି, ୨୦ ଦିନ ତଳେ ଆମେ ସିରିଆ ଯାଇଥିଲୁ । ଏହାପରେ ସିରିଆରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଆଜି ଭାରତୀୟ ଦୂତବାସ ଆମରୁ ଉଦ୍ଧାର କରିଛନ୍ତି । ପ୍ରଥମେ ଲେବାନନ ପରେ ଗୋଆରୁ ଏବେ ଦିଲ୍ଲୀରେ ପହଞ୍ଚିଛୁ । 

ଭାରତୀୟଙ୍କୁ ସିରିଆରୁ ଉଦ୍ଧାର ଏବଂ ସ୍ଥାନାନ୍ତର କରିବାରେ ସରିଆ ରାଜଧାନୀ ଦାମାସ୍କସ୍ ଓ ଲେବାନନ ରାଜଧାନୀ ବେରୁଟରେ ଥିବା ଭାରତୀୟ ଦୂତବାସ ମିଳିତ ସହଯୋଗ କରିଛନ୍ତି । ବିଦେଶରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଭାରତ ସରକାରଙ୍କ ପ୍ରମୁଖ ପ୍ରାଥମିକତା । ସିରିଆରେ ଥିବା ବାକି ଭାରତୀୟମାନେ ଦାମାସ୍କସ ସ୍ଥିତ ଦୂତବାସ ସହ ଯୋଗାଯୋଗରେ ରହିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହା ସହିତ ହେଲ୍ପଲାଇନ ନମ୍ବର ଓ ଇମେଲ ଆଇଡି ଜାରି କରାଯାଇଛି ।

ପ୍ରକାଶ ଥାଉ କି, ଏହାପୂର୍ବରୁ ଗତ ଡିସେମ୍ବର ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ସିରିଆରୁ ୭୫ଜଣ ଭାରତୀୟ ଫେରିଥିଲେ । ଲେବାନନ ଦେଇ ସମସ୍ତେ ସ୍ବଦେଶ ଫେରିଥିଲେ । ସିରିଆରେ ବଶର ଅଲ ଅସଦଙ୍କ ସରକାର ବିଦ୍ରୋହୀଙ୍କ ଦ୍ବାରା କ୍ଷମତାଚ୍ୟୁତ ହେବାପରେ ଦେଶରେ ଅସ୍ଥିରତା ଦେଖା ଦେଇଛି ।