ନୂଆଦିଲ୍ଲୀ : ଲେବାନନର ଦକ୍ଷିଣାଞ୍ଚଳରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀର ଚାରି ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଇସ୍ରାଏଲୀ ସେନା ଏହା ନିଶ୍ଚିତ କରି କହିଛି । ଏହା ସହ ଯୁଦ୍ଧରେ ୨ ଜଣ ସୈନିକ ଆହତ ହୋଇଥିବା ମଧ୍ୟ କହିଛି। ଜେରୁଜେଲମ ପୋଷ୍ଟର ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ କ୍ୟାପ୍ଟେନ ନୋଆମ୍ ମାଡମୋନି, ଷ୍ଟାଫ୍ ସାର୍ଜେଣ୍ଟ ବେନ୍ କୋହେନ୍ ଏବଂ ଷ୍ଟାଫ୍ ସାର୍ଜେଣ୍ଟ ମ୍ୟାକ୍ସିମ୍ ଆଣ୍ଟିସ୍ ସାମିଲ ଅଛନ୍ତି । ଚତୁର୍ଥ ସୈନିକଙ୍କ ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଘଟଣାରେ ଆହତ ଦୁଇ ସୈନିକଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି, ଯେତେବେଳେ ଅନ୍ୟ ଜଣଙ୍କୁ ମଧ୍ୟମ ଆଘାତ ଲାଗିଛି। ସେନା କହିଛି ଯେ ସମସ୍ତ ପ୍ରଭାବିତ ସୈନିକଙ୍କ ପରିବାରକୁ ସୂଚନା ଦିଆଯାଇଛି।
ଅପରେସନ 'ରୋରିଂ ଲାୟନ'ରେ ଏଯାଏଁ କେତେ ସୈନିକଙ୍କ ମୃତ୍ୟୁ ହୋଇଛି ?
ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୮ ତାରିଖରେ ଅପରେସନ ରୋରିଂ ଲାୟନ ଆରମ୍ଭ ହେବା ପର ଠାରୁ ଲେବାନନରେ ହୋଇଥିବା ଯୁଦ୍ଧରେ ମୋଟ ୯ ଜଣ ଇସ୍ରାଏଲୀ ସୈନିକଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଲେବାନନ ଏବଂ ଇରାନରୁ ରକେଟ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ ୨୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଦିନ, ଉତ୍ତର ଇସ୍ରାଏଲର ନାହାରିଆ ସହରରେ ହିଜବୋଲା ରକେଟ ଦ୍ୱାରା ସିଧାସଳଖ ଆଘାତରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ଅନ୍ୟ ୨୫ ଜଣ ଆହତ ମଧ୍ୟ ହୋଇଛନ୍ତି ।
ଇସ୍ରାଏଲ-ଇରାନ ଯୁଦ୍ଧ ଉପରେ ନେତାନ୍ୟାହୁଙ୍କ ବୟାନ...
ସୋମବାର ଦିନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ମିଳିତ ସାମରିକ ଅଭିଯାନ ଏବେ "ଅଧାରୁ ଅଧିକ ସମାପ୍ତ"। ସେ କହିଛନ୍ତି ଯେ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇରାନର ସମୃଦ୍ଧ ୟୁରାନିୟମ ଭଣ୍ଡାରକୁ କବଜା କରିବା କିମ୍ବା ନଷ୍ଟ କରିବା। ଏକ ସାକ୍ଷାତକାରରେ ନେତାନ୍ୟାହୁ କହିଛନ୍ତି ଯେ ଏହି ଅଭିଯାନ ଫଳରେ ଇରାନର ସାମରିକ ଏବଂ ପରମାଣୁ କ୍ଷମତା ଯଥେଷ୍ଟ ଦୁର୍ବଳ ହୋଇଯାଇଛି। ସେ କହିଛନ୍ତି, "ଆମେ ସେମାନଙ୍କର କ୍ଷେପଣାସ୍ତ୍ର କ୍ଷମତାକୁ କ୍ଷତି ପହଞ୍ଚାଇଛୁ । ଅସ୍ତ୍ର କାରଖାନାକୁ ନଷ୍ଟ କରିଛୁ ଏବଂ ପରମାଣୁ କାର୍ଯ୍ୟକ୍ରମରେ ସାମିଲ ପ୍ରମୁଖ ବୈଜ୍ଞାନିକ ମାନଙ୍କୁ ହତ୍ୟା କରିଛୁ।"
ଏହା ସହ ପଢନ୍ତୁ : ଗୋଟିଏ ଘରେ ଏକାଠି ଜଳିଗଲେ ୫ ଲୋକ, ସମସ୍ତେ ଥିଲେ ଗୋଟିଏ ପରିବାରର...