ବାଲେଶ୍ୱର,୨୪/୧୨ : ବାଲେଶ୍ବର ଷ୍ଟେସନ ଛକରୁ ଫକୀରମୋହନ ଗୋଲେଇ ଓଟି ରୋଡ଼ ଜବରଦଖଲକୁ ଉଚ୍ଛେଦ କରିଛି ଜିଲ୍ଲା ପ୍ରଶାସନ। ଓଟି ରୋଡ଼ର ରାସ୍ତା ପ୍ରଶସ୍ତିକରଣ ସମୟରେ ଦୀର୍ଘ ଦିନରୁ ଏହି ରାସ୍ତା ଜବରଦଖଲ ହୋଇ ହାଇକୋର୍ଟରେ ମାମଲା ଝୁଲି ରହିଥିଲା । ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ବାଲେଶ୍ବର ଓଟି ରୋଡ଼ସ୍ଥିତ ଷ୍ଟେସନ ଛକରୁ ଫକୀର ମୋହନ ଗୋଲେଇ ପର୍ଯ୍ୟନ୍ତ ବେଆଇନ ଭାବେ ଗଢି ଉଠିଥିବା ଦୋକାନ ଘର ଉଚ୍ଛେଦ କରାଯାଇଛି ।
ପୂର୍ବରୁ ଏହି ରାସ୍ତା ୨୨ମିଟର ପର୍ଯ୍ୟନ୍ତ ଭାଙ୍ଗିବାକୁ ଥିବାବେଳେ ଲୋକଙ୍କ ଦାବିକୁ ରକ୍ଷା କରି ରାସ୍ତାରୁ ୧୮ମିଟର ପର୍ଯ୍ୟନ୍ତ ଭଙ୍ଗା ହୋଇଛି । ଏହି ସ୍ଥାନରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ସହ ଡ୍ରେନେଜ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଥିଲା । ତେଣୁ ସହରର ମୁଖ୍ୟରାସ୍ତା ପ୍ରସସ୍ଥିକରଣରେ ଏକ ବଡ଼ ବାଧକ ସାଜିଥିବା ଏହି ଜବରଦଖଲକୁ ହଟେଇଛି ଜିଲ୍ଲା ପ୍ରଶାସନ। ବାରମ୍ବାର ବାଲେଶ୍ବର ପୌରପାଳିକାର ତାଗିଦ୍ ଓ ନୋଟିସ୍ ପରେ ମଧ୍ୟ ଏହି ଜବରଦଖଲକାରୀ ଜବରଦଖଲମୁକ୍ତ କରୁ ନ ଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ଜିଲ୍ଲା ପ୍ରଶାସନ ମଙ୍ଗଳବାର ସନ୍ଧ୍ୟା ସମୟରୁ ଡାକବାଜି ଯୋଗେ ସମସ୍ତଙ୍କୁ ଦୋକାନ ଖାଲି କରିବା ପାଇଁ କହିଥିଲେ ।
ବୁଧବାର ସକାଳ ୯ଟା ବେଳକୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥିଲା। ଏହି ଉଚ୍ଛେଦ ପ୍ରକ୍ରିୟାରେ ବାଲେଶ୍ବର ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ବାଲେଶ୍ବର ପୌରପାଳିକାର ଅଧିକାରୀମାନେ ସାମିଲ ହୋଇଛନ୍ତି ।