ଠାକୁରମୁଣ୍ଡା,୨୯/୮: ଶତ ଚେଷ୍ଟା ସତ୍ତ୍ୱେ ଗୋ-ଚାଲାଣ ଥମିବାର ନାଁ ଧରୁନି l ପୁଣି ଜବତ ହେଲା ଗୋରୁ ବୋଝେଇ ଗାଡ଼ି । ଗୁରୁବାର ରାତିରେ ମହୁଲଡିହା ପୁଲିସ ୪ ଗୋରୁ ବୋଝେଇ ପିକଅପ୍ ଗାଡ଼ି ଜବତ କରିବା ସହିତ ୮ ଜଣଙ୍କୁ ଅଟକ ରଖିଛି। ଉକ୍ତ ଗାଡ଼ିରୁ ୩୪ଟି ଗୋରୁ ଉଦ୍ଧାର କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଚିଆଁବେଡା ଛକ ନିକଟରେ ପୁଲିସ ପକ୍ଷରୁ ଚଢ଼ଉ ହୋଇଥିଲା । 

ସୂଚନା ମୁତାବକ, ବେଆଇନ ଗୋ-ଚାଲାଣ ହେଉଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ମହୁଲଡିହା ପୁଲିସ। ଖବର ପାଇ ରାଇରଙ୍ଗପୁର ଅତିରିକ୍ତ ଏସପି ଯଦୁମଣି ଜେନାଙ୍କ ନିର୍ଦ୍ଦେଶକ୍ରମେ ମହୁଲଡିହା ଥାନା ଅଧିକାରୀ ଅରୁଣ କୁମାର ଟୁଡୁ,ଏଏସ ଆଇ ସଞ୍ଜୟ କୁମାର ନାଏକ,ବିକେ ସାଆନ୍ତେରା, ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ ଏବଂ ଦୁଇ ଥାନାର ପୁଲିସ ଚିଆଁବେଡା ଛକ ନିକଟରେ ଜଗି ରହିଥିଲେ । ରାତି ଗୋଟାଏରେ ୪ଟି ଗୋରୁ ବୋଝେଇ ପିକଅପ୍‌କୁ ଜବତ କରି ମହୁଲଡିହା ଥାନାକୁ ଆଣିଥିଲେ । ଉକ୍ତ ୪ଟି ଗାଡ଼ିରୁ ୨୯ଟି ଗାଈ ଏବଂ ୫ଟି ବଳଦ ଉଦ୍ଦାର କରାଯାଇଛି । ଏନେଇ ମହୁଲଡିହା ଥାନାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ମହୁଲଡିହା ଥାନା ଅଧିକାରୀ ଅରୁଣ କୁମାର ଟୁଡୁ। ସେପଟେ ହୋଇଥିବା ୨୯ ଗାଈ ଏବଂ ୫ ବଳଦକୁ କେନ୍ଦୁଝର ଜିଲ୍ଲା ରାଜନଗର ସ୍ଥିତ ନନ୍ଦିନୀ ଗୋଶାଳାକୁ ପଠାଇ ଦିଆଯାଇଛି।