ଭୁବନେଶ୍ୱର, ୧୪/୦୧ : ୪ ଆସନ ଉପରେ ୪୦ ଆଖି। ଏପ୍ରିଲରେ ଖାଲି ହେବାକୁ ଥିବା ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଲବି, ଛକାପଞ୍ଝା ପ୍ରବଳ। ପରାଜିତ ବଡ଼ ନେତା ଲାଗି ପଡ଼ିଛନ୍ତି, ଯେମିତି ହେଉ ଦିଲ୍ଲୀ ଚୌକି ହାତେଇବାକୁ । ୨୦୨୬ର ପ୍ରଥମ ରାଜନୈତିକ ଲଢ଼େଇ ହେବ ରାଜ୍ୟସଭା ପାଇଁ । ଏପ୍ରିଲରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମମତା ମହାନ୍ତ, ନିରଞ୍ଜନ ବିଶି ଓ ମୁନ୍ନା ଖାଁଙ୍କ କାର୍ଯ୍ୟକାଳ ସରୁଛି । ଏହି ୪ଟି ଯାକ ଆସନ ପ୍ରଥମେ ଥିଲା ବିଜେଡିର । ଓଡ଼ିଶାରେ ଶାସନ ପରିବର୍ତ୍ତନ ପରେ ଶିବିର ବଦଳାଇଲେ ସୁଜିତ ଓ ମମତା । ଏବେ ବିଜେପିର ୨, ବିଜେଡିର ୨ । ସଂଖ୍ୟା ଗଣିତରେ ୨ଟି ରାଜ୍ୟସଭା ଆସନ ବିଜେପିକୁ, ଗୋଟିଏ ବିଜେଡିକୁ ଯିବାକୁ ଥୟ । ଚତୁର୍ଥ ଆସନ ପାଇଁ ଯାହା ଖେଳ ହିଟ୍ ହେବ, ସିଏ ବାଜିମାତ୍ କରିବ ।
ବର୍ତ୍ତମାନ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୯ । ୩ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ମିଶାଇଲେ ବିଜେପିର ସଂଖ୍ୟା ୮୨ । ବିଜେଡି ବିଧାୟକଙ୍କ ସଂଖ୍ୟା ୫୦ । କଂଗ୍ରେସ ୧୪, ସିପିଆଇଏମ୍ ୧ । ହିସାବ କହୁଛି, ଯେଉଁ ରାଜ୍ୟସଭା ପ୍ରାର୍ଥୀ ୩୧ଟି ଭୋଟ ପାଇବେ, ସେ ନିର୍ବାଚିତ ହେବେ । ବିଜେପି ପାଖରେ ଯେତିକି ବିଧାୟକ ଅଛନ୍ତି, ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ଆରାମରେ ଜିତିବେ । ଏହାବାଦ୍ ବିଜେପି ପାଖରେ ଆହୁରି ୨୦ଜଣ ବିଧାୟକ ଅଛନ୍ତି । ଆଉ ଗୋଟିଏ ଆସନ ଜିତିବା ପାଇଁ ବିଜେପିକୁ ଦରକାର ୧୧ ବିଧାୟକ । ସେହିପରି ବିଜେଡି ନିଜର ପ୍ରଥମ ପ୍ରାର୍ଥୀଙ୍କୁ ଜିତାଇବା ପରେ ଆହୁରି ୧୯ ବିଧାୟକ ରହୁଛନ୍ତି । ଯଦି ବିଜେଡି ଦ୍ୱିତୀୟ ପ୍ରାର୍ଥୀ ଦିଏ ଆଉ ୧୨ଜଣ ବିଧାୟକଙ୍କ ଭୋଟ ଦରକାର ପଡ଼ିବ । ସିପିଆଇଏମ୍ ବିଧାୟକଙ୍କ ସମର୍ଥନ ମିଳିବା ପରେ ବି ଆଉ ୧୦ ବିଧାୟକ ଦରକାର ପଡ଼ିବେ । ଏମିତିରେ କିଛି ବି ଖେଳ ହୋଇପାରେ ।
ମନମୋହନ, ସମୀର, ଗୋଲକ, ଦିଲ୍ଲୀପ ନା ସରପ୍ରାଇଜ୍
ନୂଆବର୍ଷ ଆରମ୍ଭ ସହ ରାଜ୍ୟସଭାକୁ ନେଇ ଆରମ୍ଭ ହୋଇଯାଇଛି ଦୌଡ଼ । ବିଜେପି ୨ଟି ଜିତିବା ଏକପ୍ରକାର ନିଶ୍ଚିତ ଥିବାବେଳେ ବାକି ଗୋଟିଏ ଆସନ ଦଖଲ କରିବାକୁ ଶାସକ ଦଳ ସବୁ ରଣକୌଶଳ ଆପଣାଇବ । ସୁଜିତ ଓ ମମତାଙ୍କୁ ଦଳ ପୁଣି ରାଜ୍ୟସଭା ପଠାଇବ ନା ଅନ୍ୟ କାହାକୁ ବାଛିବ, ତାହା ସମୟ କହିବ । ଏମିତିରେ ଦଳର ବହୁ ହେଭିୱେଟ ରାଜ୍ୟସଭା ଆସନ ଉପରେ ନଜର ରଖିଛନ୍ତି । ଦଳୀୟ ସୂତ୍ର ଅନୁସାରେ ରାଜ୍ୟସଭା ପାଇଁ ସବୁଠାରୁ ଅଧିକ ଚର୍ଚ୍ଚା ଓ ସମ୍ଭାବ୍ୟ ତାଲିକାରେ ରହିଛି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ । ମନମୋହନଙ୍କୁ ରାଜ୍ୟସଭା ପଠାଇବାକୁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିଚାର କରୁଥିବା କୁହାଯାଉଛି । ଏହାବାଦ୍ ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମୀର ମହାନ୍ତି ଓ ଗୋଲକ ମହାପାତ୍ରଙ୍କ ନାମ ବି ଚର୍ଚ୍ଚାକୁ ଆସିଛି । ନୂଆପଡ଼ା ଉପନିର୍ବାଚନରେ ବସନ୍ତ ଓ ତାଙ୍କ ପୁଅ ଅଭିନନ୍ଦନଙ୍କୁ ଦଳ ବିଧାନସଭା ପାଇଁ ଟିକଟ ଦେଇନଥିଲା । ବସନ୍ତ ଓ ତାଙ୍କ ପୁଅକୁ ମ୍ୟାନେଜ କରିବାରେ ଦଳୀୟ ନେତୃତ୍ୱ ସଫଳ ହୋଇଥିଲେ । ତେଣୁ ବସନ୍ତଙ୍କୁ ରାଜ୍ୟସଭା ଟିକଟ ମିଳିପାରେ ବୋଲି ଗୋଟିଏ ମହଲରେ ଆଲୋଚନା ହେଉଛି । ସଂଗଠନ ପାଇଁ ଦୀର୍ଘ ବର୍ଷରୁ କାମ କରି ଆସୁଥିବା ସମୀର ଓ ଗୋଲକ ମଧ୍ୟ ରାଜ୍ୟସଭା ଦାବିଦାର ତାଲିକାରେ ଅଛନ୍ତି । ଏସବୁ ଚର୍ଚ୍ଚା ଭିତରେ ଦଳର ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଦିଲ୍ଲୀପ ପ୍ରାର୍ଥୀ ହେଲେ ବିରୋଧୀ ଦଳରୁ ତାଙ୍କୁ ଭିତିରି ସମର୍ଥନ ମିଳିପାରେ । ଚର୍ଚ୍ଚାରେ ନଥିବା କିଛି ବିଶିଷ୍ଟ ବ୍ୟକ୍ତିତ୍ୱ କିମ୍ବା ନୂଆ ମୁହଁକୁ ରାଜ୍ୟସଭା ପଠାଇ ବିଜେପି ଚକ୍ମା ଦେଇପାରେ । ପାରାସୁଟ ରାଜନୀତିରେ କୌଣସି କେନ୍ଦ୍ରୀୟ ନେତାଙ୍କୁ ବି ଦଳ ଓଡ଼ିଶାରୁ ରାଜ୍ୟସଭା ପଠାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଚର୍ଚ୍ଚା ବାଦ୍ ଆହୁରି ଡଜନେ ନେତା (ଅଧିକାଂଶ ବିଧାନସଭା ନିର୍ବାଚନରେ ପରାଜିତ) ରାଜ୍ୟସଭା ଆସନକୁ ଅନେଇ ରହିଛନ୍ତି, କାଳେ କେନ୍ଦ୍ରୀୟ ନେତାଙ୍କ ଶୁଭଦୃଷ୍ଟିରେ ନମ୍ବର ପଡ଼ିଯିବ ।
ସଂତୃପ୍ତ ନା ଦେବୀ, କାହାକୁ ଭରସିବେ ନବୀନ
ରାଜ୍ୟସଭା ଗଣିତ ଅନୁସାରେ ବିଜେଡିକୁ ଗୋଟିଏ ଆସନ ମିଳିବା ଏକପ୍ରକାର ନିଶ୍ଚିତ । ବିଜେଡିରେ ଦାବିଦାରଙ୍କ ତାଲିକା ବେଶ୍ ଲମ୍ବା । ସବୁଠାରୁ ଅଧିକ ସମ୍ଭାବନା ରହିଛି ସଂତୃପ୍ତ ମିଶ୍ରଙ୍କର । ସଂତୃପ୍ତଙ୍କୁ ଦିଲ୍ଲୀ ରାଜନୀତିରେ ସକ୍ରିୟ ରଖିପାରନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହାବାଦ୍ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅଶୋକ ପଣ୍ଡାଙ୍କ ନାଁ ଆଗରେ ରହିଛି । ଖାଲି ଆଗ ଧାଡ଼ିଆ ନୁହେଁ, ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା ଅନେକ ନେତା ରାଜ୍ୟସଭା ଯିବାକୁ ଆଶା ବାନ୍ଧିଛନ୍ତି । ଏପରିକି କିଛି ରିପିଟ ହେବାକୁ ବି ଆଶା ରଖିଛନ୍ତି । ରାଜନୀତି ମଇଦାନରେ କୌଣସି ନୂଆ ନାଁକୁ ଓହ୍ଲାଇ ନବୀନ ସଭିଙ୍କୁ ଚକିତ ବି କରାଇପାରନ୍ତି ।
ଚତୁର୍ଥ ଆସନ ପ୍ରାର୍ଥୀ ଦଳୀୟ ନା ଶୂନ୍ୟରୁ ଓହ୍ଲାଇବେ
ସଂଖ୍ୟା ଗଣିତରେ କଂଗ୍ରେସ ପାଇଁ କିଛି ଆଶା ନାହିଁ କି ସମ୍ଭାବନା ନାହିଁ । ମାତ୍ର ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ ଯଦି ବିରୋଧୀ ଦଳ ଏକାଠି ହୁଅନ୍ତି, ତେବେ କଂଗ୍ରେସର ପସନ୍ଦ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଏମିତିରେ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ହେବାକୁ ବି କିଛି ପ୍ରଭାବଶାଳୀ ଭିତରେ ଉଦ୍ୟମ ଚଳାଇଛନ୍ତି । ଅପରପକ୍ଷରେ ଆଉ କିଛି ପ୍ରଭାବଶାଳୀ ବ୍ୟକ୍ତିତ୍ୱ ବିଜେପି ଓ ବିଜେଡିର ସମର୍ଥନରେ ନିଦ୍ୱନ୍ଦ୍ୱରେ ରାଜ୍ୟସଭା ଯିବାକୁ ମନ ବଳାଇଛନ୍ତି ।