ନୂଆଦିଲ୍ଳୀ,୧୯।୪: ଇରାନ ଓ ଆମେରିକା ଭିତରେ ଜାରି ଯୁଦ୍ଧ ଭିତରେ ଏକ ଗୁରୁତ୍ବପୂର୍ଣ୍ଣ କଥା ସାମନାକୁ ଆସିଛି। ଆମେରିକା ସେନା ଓ ଗୁଇନ୍ଦା ଅଧିକାରୀଙ୍କ କହିବା ଅନୁସାରେ, ବହୁ ସପ୍ତାହର ଲଢେଇ ପରେ ବି ଇରାନ ପାଖରେ ପ୍ରାୟ ୪୦% ଆଟାକିଂ ଡ୍ରୋନ୍ ଓ ୬୦%ରୁ ଅଧିକ ମିସାଇଲ ଲଞ୍ଚର ଏବେ ରହିଛି। କୁହାଯାଉଛି ଯେ, ଏହି ଶକ୍ତି ହର୍ମୁଜରେ ଜାହାଜଙ୍କ ପାଇଁ ଆଗକୁ ବିପଦ ପାଲଟିପାରେ।
ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ଇରାନ ପାଖରେ ଏବେ ବି ତା’ର ଯୁଦ୍ଧ ପୂର୍ବର ଡ୍ରୋନ୍ର ବହୁ ଅଂଶ ରହିଛି। ଯଦି ମରାମତି ଓ ରିକଭରି କାମ ପୁରା ହୁଏ, ତେବେ ସେ ନିଜର ପୁରୁଣା ଡ୍ରୋନ୍ ଷ୍ଟକ ପ୍ରାୟ ୭୦% ପର୍ଯ୍ୟନ୍ତ ପୁଣିଥରେ ହାସଲ କରିପାରେ। ଅର୍ଥାତ ଏହାର ଶକ୍ତି ଆହୁରି ବଢିଯିବ। ମିସାଇଲ ସିଷ୍ଟମ ବିଷୟରେ ଯଦି କଥା ହେବା ତେବେ ଅସ୍ତ୍ରବିରତି ସମୟରେ ଇରାନ ପାଖରେ ପ୍ରାୟ ଅଧା ଲଞ୍ଚର ଥିଲା। ଏହାପରେ ସେ ସୁଡଙ୍ଗ ଓ ବଙ୍କର ଭିତରେ ଏହାକୁ ଲୁଚାଇକି ରଖିଥିଲା। ପ୍ରାୟ ୧୦୦ ମିସାଇଲ ସିଷ୍ଟମ ପୁଣିଥରେ ବାହାର କରାଯାଇଥିଲା। ଏହାଦ୍ବାରା ଏବେ ତା’ର ସକ୍ରିୟ ଲଞ୍ଚର ବଢିକି ପ୍ରାୟ ୬୦% ହୋଇଯାଇଛି।
ରୁଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଡେଭ ଏହି ପ୍ରସଙ୍ଗ ଉପରେ ମତ ରଖିଛନ୍ତି। ସେ କହିଛନ୍ତି, ଆମେରିକା ଓ ଇରାନ ଭିତରେ ହୋଇଥିବା ଅସ୍ତ୍ରବିରତି କେତେ ଦିନ ରହିବ, ଏହା ସ୍ପଷ୍ଟ ହୋଇପାରିନି। କିନ୍ତୁ ଗୋଟିଏ କଥା ଏହା ଯେ, ଇରାନ ନିଜର ଶକ୍ତି ଦେଖାଇଛି। ସେ ହର୍ମୁଜକୁ ଇରାନର ସବୁଠାରୁ ବଡ଼ ରଣନୈତିକ ଶକ୍ତି ବୋଲି କହିଛନ୍ତି। ତେବେ ଅଧିକାରୀଙ୍କ କହିବା ଅନୁସାରେ, ଇରାନ ପାଖରେ ମୋଟ୍ କେତେ ହତିଆର ଅଛି, ଏହାର ଠିକ୍ ତଥ୍ୟ ମିଳିବା କଷ୍ଟକର। ଗୁଇନ୍ଦା ଏଜେନ୍ସି କେବଳ ଅନୁମାନ କରିପାରିବ। ତଥାପି, ସମସ୍ତେ ଏକମତ ଯେ ଇରାନ ପାଖରେ ଏତେ ଶକ୍ତି ନିହାତି ରହିଛି ଯେ, ସେ ଚାହିଁଲେ ସମୁଦ୍ର ରାସ୍ତାରେ ବାଧା ସୃଷ୍ଟି କରିପାରିବ।