କଟକ,୧୮/୦୧: କଟକ ରୁପା ତାରକସିକୁ ଜିଆଇ ମାନ୍ୟତା ମିଳିବା ପରେ  କାରିଗର, ବିକ୍ରେତା ଏବଂ ଉତ୍ପାଦକ ଗୋଷ୍ଠୀ  କ’ଣ ଲାଭ ପାଇବେ ତାକୁ ନେଇ ଗତ କିଛି  ମାସ ଧରି ଚର୍ଚ୍ଚା ଲାଗି ରହିଥିଲା । ଏବେ ଏ ଚିତ୍ର ଏକପ୍ରକାର ସ୍ପଷ୍ଟ ହୋଇଛି । ରୁପା ତାରକସି ସହ ଜଡ଼ିତ ଥିବା କାରିଗରମାନେ ଏଣିକି ବ୍ୟକ୍ତିଗତ ଭାବେ ଜିଆଇ ମାନ୍ୟତାର ଲାଭ ପାଇପାରିବେ । କାରିଗର, ବିକେତ୍ରା ଓ  ଉତ୍ପାଦନକାରୀ ଗୋଷ୍ଠୀଙ୍କୁ ଜିଆଇ ପ୍ରମାଣପତ୍ର  ଦିଆଯିବ । ଏନେଇ ମଧ୍ୟମ, କ୍ଷୁଦ୍ର, ଅଣୁ  ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗ ତରଫରୁ  ଉଦ୍ୟମ ଆରମ୍ଭ ହୋଇଛି । ସେହିକ୍ରମରେ ଶୁକ୍ରବାର କଟକର ୪୨ଜଣ କାରିଗର, ବିକ୍ରେତା ଜିଆଇ ପ୍ରମାଣପତ୍ର ପାଇଁ ଆବେଦନ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଥମଥର କୌଣସି  ଜିଆଇ ମାନ୍ୟତାପ୍ରାପ୍ତ ଦ୍ରବ୍ୟର ଲାଭ ତୃଣମୂଳ ସ୍ତରରେ କାରିଗରଙ୍କୁ ସିଧାସଳଖ ପ୍ରମାଣପତ୍ର  ଆଧାରରେ ମିଳିବାକୁ ଯାଉଛି । ଯାହାଫଳରେ  କଟକର ଅସଲି ରୁପା ତାରକସିର ଆଦୃତି ଆହୁରି ବଢ଼ିବ ବୋଲି ଆଶା କରାଯାଉଛି । 

ଏମ୍‌ଏସ୍‌ଏମ୍‌ଇ ବିଭାଗ ତରଫରୁ ଆଜି  ‘ଜିଆଇ ଅଥରାଇଜ୍‌ଡ୍‌ ୟୁଜର୍ସ ଡ୍ରାଇଭ୍‌’  ଆୟୋଜନ କରାଯାଇଥିଲା । ଏଥିରେ ରୁପା  ତାରକସି ସହ ଜଡ଼ିତ ଥିବା କାରିଗର,  ବିକ୍ରେତା, ଉତ୍ପାଦନକାରୀ ଅଂଶଗ୍ରହଣ  କରିଥିଲେ । ଆଧାରକାର୍ଡ, ଉଦ୍ୟମ ପ୍ରମାଣପତ୍ର,  ସ୍କିଲ୍‌ ଇଣ୍ଡିଆ ପ୍ରମାଣପତ୍ର, କାରିଗର କାର୍ଡ  ଆଦି ଦାଖଲ କରିବା ପରେ ସେମାନଙ୍କ ନାମ  ପଞ୍ଜିକରଣ କରାଯାଇଛି । 

ସୂଚନା ଥାଉ କି,  ଜିଆଇ ମାନ୍ୟତାର ପ୍ରକ୍ରିୟା ଅନୁସାରେ ରାଜ୍ୟ  ସରକାରଙ୍କ ହସ୍ତତନ୍ତ ୟୁନିଟ୍‌ ‘ଉତ୍କଳିକା’  ଆବେଦନକାରୀ ଭାବେ କଟକ ରୁପା  ତାରକସିର ଜିଆଇ ଟ୍ୟାଗ୍‌ ହାସଲ କରିଛି।  ଏବେ କାରିଗର, ବିକ୍ରେତାମାନେ ଜିଆଇର  ‘ପାର୍ଟ-ବି ସାର୍ଟିଫିକେଟ୍‌’ ପାଇଁ ଆବେଦନ  କରୁଛନ୍ତି । ଏଥିଲାଗି ଉତ୍କଳିକା ତରଫରୁ  ମଧ୍ୟ ଏନ୍‌ଓସି (ଆପତ୍ତିବିହୀନ ପ୍ରମାଣପତ୍ର)  ପ୍ରଦାନ କରାଯିବ । ଏନ୍‌ଓସି ପ୍ରକ୍ରିୟା ଶେଷ  ହେଲେ ବ୍ୟକ୍ତିଗତ ପ୍ରମାଣପତ୍ର ଅର୍ଥାତ୍‌  ଜିଆଇ ଅଥରାଇଜ୍‌ଡ୍‌ ୟୁଜର୍ସ ପ୍ରମାଣପତ୍ର  ପାଇବାକୁ କାରିଗର, ବିକ୍ରେତା ଗୋଷ୍ଠୀଙ୍କୁ ପ୍ରାୟ  ୪ମାସ ସମୟ ଲାଗିବ ବୋଲି କୁହାଯାଉଛି । 

ପ୍ରଥମଥର ପାଇଁ କୌଣସି ଜିଆଇ  ମାନ୍ୟତାପ୍ରାପ୍ତ ଦ୍ରବ୍ୟର ତୃଣମୂଳ ସ୍ତରରେ  ଲାଭ ଦେବାକୁ ଏଭଳି ଅଭିଯାନ ଆରମ୍ଭ  ହୋଇଛି । ଜିଆଇ ୟୁଜର୍ସ ପ୍ରମାଣପତ୍ର ପାଇଲେ  କାରିଗରମାନେ ଜାତୀୟ, ଅନ୍ତର୍ଜାତୀୟ ସ୍ତରର  ପ୍ରଦର୍ଶନୀରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ  ଓ ପ୍ରୋତ୍ସାହନ ପାଇବେ । ରୁପା ତାରକସି ନାଁରେ  ଓଡ଼ିଶା ବଜାରରେ ପ୍ରବେଶ କରିଥିବା ନକଲି  ରୁପାକସି ବିଶେଷ କରି କଲିକତା ଫ୍ୟାନ୍ସି  ରୁପା ଦ୍ରବ୍ୟ ଉପରେ ରୋକ୍‌ ଲାଗିପାରିବ । ପର୍ଯ୍ୟଟକମାନେ ୟୁଜର୍ସ ପ୍ରମାଣପତ୍ରଧାରୀଙ୍କ  ସମ୍ପର୍କରେ ଜାଣି ସେମାନଙ୍କଠାରୁ ଅସଲି  ସାମଗ୍ରୀ କିଣିବାକୁ ସୁଯୋଗ ପାଇବେ । କେବଳ ସେତିକି ନୁହେଁ, କାରିଗରମାନେ  ସେମାନଙ୍କ ଉତ୍ପାଦ ବା ସାମଗ୍ରୀରେ ଜିଆଇ  ଟ୍ୟାଗ୍‌ଲାଇନ୍‌ (ଅତୁଲ୍ୟ ଭାରତର ଅମୂଲ୍ୟ  ନିଧି) ଏବଂ ଲୋଗୋ ବ୍ୟବହାର କରିପାରିବେ ।  

ଜିଆଇ ବିଶେଷଜ୍ଞ ଡକ୍ଟର ଅନୀତା ସାବତ  ଆଜି କାରିଗରମାନଙ୍କୁ ଜିଆଇ ମାନ୍ୟତା  ସାର୍ଟିଫିକେଟ୍‌ର ସୁବିଧା ସମ୍ପର୍କରେ ବିସ୍ତୃତ  ଭାବେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟରପ୍ରିନ୍ୟୁୟର୍‌ସିପ୍‌  ଡେଭେଲପ୍‌ମେଣ୍ଟ୍‌(ଆଇଇଡି)ର ପି.ପ୍ରଭାକର  ରାଓ, ହସ୍ତଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ  ଜ୍ୟୋତିରଞ୍ଜନ ଜେନା, ଡିଆଇସିର ପରିଚାଳନା  ନିର୍ଦ୍ଦେଶକ ତୁରଣକାନ୍ତି ମହାନ୍ତି, ଜିଆଇ  ବିଶେଷଜ୍ଞ ଡକ୍ଟର ଏସ୍‌.କେ. କର, ଡକ୍ଟର  ପୟୋଧର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।