ପୁରୀ, ୧୬।୭ : ରଥଯାତ୍ରା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଘଟଣାରେ ତିନିଜଣଙ୍କ ମୃତ୍ୟୁ ପରେ ଏହାକୁ ନେଇ ତଦନ୍ତ ଜାରି ରହିଛି। ଦଳାଚକଟା ଘଟଣାରେ ବୁଧବାର ପୁରୀ ସର୍କିଟ ହାଉସ ଠାରେ ଚତୁର୍ଥ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ନିକଟରେ ୪୨ ଜଣ ବିଭିନ୍ନ ଅଧିକାରୀ ଓ କର୍ମଚାରୀ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ, ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ ଦାୟିତ୍ବରେ ଥିବା ପୋଲିସ ଅଧିକାରୀ ଏବଂ ଦଳାଚକଟା ଦିନ କାର୍ଯ୍ୟରତ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଛି।
ସେପଟେ ମଙ୍ଗଳବାର ଜିଲ୍ଲା ପ୍ରଶାସନର ୪୦ ଜଣ ସରକାରୀ କର୍ମଚାରୀଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ପୂର୍ବରୁ ପୁରୀରେ ୪୮ ଜଣ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ସାକ୍ଷ୍ୟ ପ୍ରଦାନ କରିଥିଲେ। ସେହିପରି ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଠାରେ ୧୭ ଜଣଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ତେବେ ଆଗକୁ ଏହି ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି।