ଖଲ୍ଲିକୋଟ ,୨୨/୧୨ : ପେଟ ପୋଷିବା ପାଇଁ କାମ କରିବାକୁ ଯାଇଥିଲେ ସୁଦୂର ମାଲଦୀପ। ସେଠାରେ ଏକ ଘରୋଇ କମ୍ପାନୀ ରେ ଗତ ୮ ମାସ ହେଲା ଶ୍ରମିକ ଭାବେ କାମ କରୁଥିଲେ।ହେଲେ ନା ଠିକ ରେ ଦରମା ମିଳୁଛି ନା କମ୍ପାନୀ ଖାଇବାକୁ ଦେଉଛି। ଏମିତି କି ଯେଉଁ ଘର ଦେଇଛି ରହିବା ପାଇଁ ସେହି ଘର ଭଡା ଟଙ୍କା ନ ଦେଲେ ବିଦ୍ୟୁତ କାଟି ଦେଉଛି। ଗାଁ କୁ ଫେରି ଯିବାକୁ କହିଲେ କମ୍ପାନୀ ତରଫରୁ ମିଳୁଛି ଧମକ। ଦାଦନ ଖଟିବାକୁ ଯାଇ ସୁଦୂର ମାଲଦୀଭ ଦେଶ ରେ ଏମିତି ନିର୍ଯାତନା ର ଶୀକାର ହୋଇଛନ୍ତି ଖଲ୍ଲିକୋଟ ବ୍ଲକ ର ୧୫ ଓଡ଼ିଆ ଦାଦନ ଶ୍ରମିକ। ଭିଡିଓ ଜାରି କରି ସେମାନଙ୍କୁ ଗାଁ କୁ ଫେରାଇ ନେବାକୁ ସରକାର ଙ୍କୁ କରିଛନ୍ତି ଆକୁଳ ନିବେଦନ।
ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ବ୍ଲକ ର ୧୫ ଜଣ ଯୁବକ ଙ୍କ ସହ ଖୋର୍ଦ୍ଧା ଜିଲ୍ଲା ଏବଂ ଅନ୍ୟାନ୍ୟ ଜିଲ୍ଲା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମ ବଙ୍ଗ, ଉତ୍ତରପ୍ରଦେଶ ପ୍ରଭୃତି ରାଜ୍ୟ ର ୪୫ ଜଣ ଯୁବକ ଠିକାଦାର ଜରିଆରେ ଗତ ଏପ୍ରିଲ ମାସ ରେ ସୁଦୂର ମାଲଦୀପ ଯାଇଥିଲେ କାମ କରିବା ପାଇଁ। ସେଠାରେ ଏକ ଘରୋଇ କମ୍ପାନୀ ରେ ଶ୍ରମିକ ଭାବେ କାମ କରୁଥିଲେ। ତେବେ କମ୍ପାନୀ ଠିକ ଭାବରେ ଦରମା , ଖାଇବାକୁ ଦେଉ ନଥିବା ଏବଂ ଘର ଭଡା ଟଙ୍କା ନ ଦେଲେ ବିଦ୍ୟୁତ କାଟ କରୁଥିବା ଅଭିଯୋଗ କରିଛନ୍ତି ଶ୍ରମିକ ମାନେ। ଏପରିକି ଗାଁ କୁ ଫେରି ଯିବାକୁ କହିଲେ କମ୍ପାନୀ ତରଫରୁ ବିଭିନ୍ନ ଧମକ ଦିଆ ଯାଉଥିବା ଭିଡିଓ ରେ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। ସେମାନେ ନିର୍ଯାତନା ର ଶୀକାର ହେଉଥିବା ରୁ ତୁରନ୍ତ ସେମାନଙ୍କୁ ଗାଁ କୁ ଫେରାଇ ନେବାକୁ ସରକାର ଙ୍କୁ ଆକୁଳ ନିବେଦନ କରି ଶ୍ରମିକ ମାନେ ଭିଡିଓ ଜାରି କରିଛନ୍ତି।