ଭରତପୁର: ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ASI) ରାଜସ୍ଥାନର ଭରତପୁର ଜିଲ୍ଲାରେ ପ୍ରାୟ ୪୫୦୦ ବର୍ଷ ପୁରୁଣା ଏକ ମାନବ ସଭ୍ୟତାର ପୁରାତନ ଅବଶେଷ ଆବିଷ୍କାର କରିଛି। ଦୀଗ୍ ଜିଲ୍ଲାର ବାହାଜ ଗାଁରେ ଚାରି ମାସର ଯାଞ୍ଚ ପରେ ଏହି ଗୁରୁତ୍ଵପୂର୍ଣ୍ଣ ଆବିଷ୍କାର ହୋଇଛି। ଯାହା ମହାଭାରତ କାଳ ଓ ଋଗବେଦରେ ଉଲ୍ଲେଖିତ ସରସ୍ଵତୀ ନଦୀ ସହ ଜଡ଼ିତ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଯାଞ୍ଚରେ ମିଳିଥିବା ବିଭିନ୍ନ ଅବଶେଷ:
ମାନବ କଙ୍କାଳ: ଯାଞ୍ଚ ସମୟରେ ଏହି ସାଇଟରୁ ମାନବ କଙ୍କାଳର ଅବଶେଷ ମିଳିଛି। ଯାହା ପ୍ରାୟ ୩୫୦୦ ବର୍ଷ ପୁରୁଣା ହେବ ବୋଲି ଅନୁମାନ କରାଯାଉଛି।
ପାତ୍ର ଓ ମୂର୍ତ୍ତି: ବାହାଜ ଗାଁରେ ପୋଡ଼ା ମାଟିରେ ତିଆରି ପାତ୍ର ଏବଂ ମୂର୍ତ୍ତି ମଧ୍ୟ ମିଳିଛି। ଏହା ମଧ୍ୟରେ ଅଶ୍ଵିନୀ କୁମାରଙ୍କ ମୂର୍ତ୍ତି (ହିନ୍ଦୁ ଧର୍ମରେ ଔଷଧ, ସ୍ଵାସ୍ଥ୍ୟ ଓ ବିଜ୍ଞାନ ସହ ଜଡ଼ିତ ଦେବତା) ମଧ୍ୟ ମିଳିଛି। ଯାହା ଶୁଙ୍ଗ ଯୁଗ (୧୮୫-୭୩ ଖ୍ରୀ.ପୂ.) ସହ ସମ୍ପର୍କିତ।
ଧାତୁ ଅସ୍ତ୍ର ଓ ମୁଦ୍ରା: ଧାତୁରେ ନିର୍ମିତ ଅସ୍ତ୍ରଶସ୍ତ୍ର ଏବଂ ମୁଦ୍ରା ମଧ୍ୟ ଉଦ୍ଧାର ହୋଇଛି। ଯାହା ତତ୍କାଳୀନ ସମାଜରେ ବ୍ୟାପାର ଓ ଯୁଦ୍ଧ କାର୍ଯ୍ୟରେ ବ୍ୟବହାର ହେଉଥିବା ନେଇ ସୂଚନା ଦେଉଛି।
ଯଜ୍ଞ କୁଣ୍ଡ: ଏକ ଯଜ୍ଞ କୁଣ୍ଡ (ପବିତ୍ର ଅଗ୍ନି ପୂଜା ପାଇଁ ବ୍ୟବହୃତ ପାତ୍ର) ମଧ୍ୟ ମିଳିଛି। ଯାହା ତତକାଳିନ ସମୟର ହେଉଥିବା ବିଭିନ୍ନ ଧାର୍ମିକ ରୀତିନୀତିର ପ୍ରମାଣ ଦେଉଛି।
ସରସ୍ଵତୀ ନଦୀର ପୁରାତନ ପ୍ରଣାଳୀ: ଏହି ସାଇଟର ଯାଞ୍ଚରେ ୨୩ ମିଟର ଗଭୀରତାରେ ଏକ ପୁରାତନ ନଦୀପଥ (ପାଲେଓ-ଚ୍ୟାନେଲ) ମିଳିଛି। ଯାହାକୁ ଗବେଷକମାନେ ଋଗବେଦରେ ଉଲ୍ଲେଖିତ ସରସ୍ଵତୀ ନଦୀ ସହ ସଂଯୋଗ କରୁଛନ୍ତି।
ମହାଭାରତ କାଳ ସହ ସମ୍ପର୍କ:
ଏହି ଆବିଷ୍କାର ମହାଭାରତ ଯୁଗରେ ବ୍ୟବହୃତ ହାଡ଼ରେ ତିଆରି ଉପକରଣ ଏବଂ ମାଟିର ଖଣ୍ଡାଂଶ ସହ ସମ୍ପର୍କିତ ହୋଇପାରେ ବୋଲି ଗବେଷକମାନେ ମତ ଦେଇଛନ୍ତି। ଏହା ଭାରତୀୟ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାରେ ସହାୟକ ହେବ।
ଏନେଇ ଜୟପୁର ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ଆର୍କିଓଲୋଜି ବିନୟ ଗୁପ୍ତା କହିଛନ୍ତି, "ବ୍ରଜ ଅଞ୍ଚଳରେ ୫୦ ବର୍ଷ ପରେ ଏତେ ବଡ଼ ପରିମାଣରେ ଖୋଳାଖୋଳି କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟ ଆଗକୁ ଜାରି ରହିବ ଏବଂ ଆହୁରି ଅନେକ ତଥ୍ୟ ପ୍ରମାଣ ମିଳିବାର ସମ୍ଭାବନା ରହିଛି।"
ଆର୍କିଓଲୋଜିକାଲ ଗବେଷକ ପବନ ସରସ୍ଵତ କହିଛନ୍ତି ଯେ ଏହି ଖୋଳାଖୋଳି ସରସ୍ଵତୀ ନଦୀର ଅସ୍ତିତ୍ଵ ଓ ତତ୍କାଳୀନ ନାଗରିକତାର ଜୀବନଶୈଳୀ ବିଷୟରେ ନୂତନ ତଥ୍ୟ ପ୍ରଦାନ କରିପାରେ। ASI ଏହି ସ୍ଥାନରେ ଖୋଳାଖୋଳି ଜାରି ରଖିବା ସହ ଅବଶେଷଗୁଡ଼ିକର ବୈଜ୍ଞାନିକ ବିଶ୍ଲେଷଣ କରିବ।
ଏହି ଆବିଷ୍କାର ଭାରତୀୟ ପୁରାତତ୍ତ୍ଵରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ଏବଂ ପ୍ରାଚୀନ ଭାରତୀୟ ନାଗରିକତା ବିଷୟରେ ଅଧିକ ଜ୍ଞାନ ଆହରଣରେ ସହାୟକ ହେବ।