ଉତ୍ତରାଖଣ୍ଡ, ୧।୩: ଉତ୍ତରାଖଣ୍ଡର ବଦ୍ରିନାଥ ଚମୋଲିରେ ପ୍ରବଳ ତୁଷାରପାତ । ଖବର ଲେଖାଯିବା ସୁଦ୍ଧା ୪୭ ଜଣ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ଏବେ ବି ୮ ଜଣ ଫସିରହିଥିବା ଜଣାପଡ଼ିଛି । ଉଦ୍ଧାରକାର୍ଯ୍ୟରେ ରାଜ୍ୟ ସରକାରୀ ସଂସ୍ଥା ‘ୟୁକାଡ଼ା’ ଏବଂ ଘରୋଇ କମ୍ପାନୀର ହେଲିକପ୍ଟର ସାମିଲ ।

ବଦ୍ରିନାଥର ସୀମାନ୍ତ ମାନା ଗାଁ ନିକଟରେ ଏକ ହିମସ୍ଖଳନ ଯୋଗୁ ଫସି ରହିଥିଲେ ୫୫ ଜଣ ବର୍ଡର ରୋଡ୍ସ ଅର୍ଗାନାଇଜେସନ୍‌ର କର୍ମଚାରୀ । ଖବର ଲେଖାଯିବା ସୁଦ୍ଧା ୫୫ ଜଣଙ୍କ ମଧ୍ୟରୁ ୪୭ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ଯେତେବେଳେ ଅନ୍ୟ ୮ ଜଣଙ୍କ ସନ୍ଧାନ ଜାରି ରହିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଚିବ ବିନୋଦ କୁମାର ସୁମନ କହିଛନ୍ତି, ପ୍ରଥମେ ବଦ୍ରିନାଥ ଧାମଠାରୁ ଛଅ କିଲୋମିଟର ଆଗକୁ ଘଟିଥିବା ହିମସ୍ଖଳନ ଘଟଣାରେ ୫୭ ଜଣ ଶ୍ରମିକ ଫସି ରହିଥିବା ଖବର ମିଳିଥିଲା, କିନ୍ତୁ ଏବେ ସ୍ଥାନୀୟ ପ୍ରଶାସନ କହିଛି, ଦୁଇଜଣ ଶ୍ରମିକ ଛୁଟିରେ ଥିବାରୁ ଘଟଣାସ୍ଥଳରେ ୫୫ ଜଣ ଶ୍ରମିକ ଫସିଥିଲେ ।

ସେ କହିଛନ୍ତି, ସନ୍ଧ୍ୟା ୫ଟା ସୁଦ୍ଧା ୩୨ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା । ବିଳମ୍ବିତ ରାତିରେ ଆଉ ଜଣେ ଶ୍ରମିକଙ୍କୁ ବାହାର କରାଯାଇଥିଲା । ଏହି ସମୟରେ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ବିଳମ୍ବିତ ରାତିରେ ପୁଣି ଥରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଛନ୍ତି । ଶନିବାର ସକାଳୁ ଉଦ୍ଧାର କାର୍ଯ୍ୟରେ ବାୟୁସେନାର ହେଲିକପ୍ଟର ସହିତ ରାଜ୍ୟ ସରକାରୀ ସଂସ୍ଥା ‘ୟୁକାଡ଼ା’ ଏବଂ ଘରୋଇ କମ୍ପାନୀଗୁଡ଼ିକର ହେଲିକପ୍ଟରକୁ ସାମିଲ କରିବାକୁ ସେ ନିର୍ଦ୍ଦେଶ ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଶ୍ରମିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଆମେ ଯାହା ସମ୍ଭବ ତାହା କରିବୁ । ମୁଖ୍ୟମନ୍ତ୍ରୀ ଧାମି ଶନିବାର ଦିନ ହିମସ୍ଖଳନ ଉଦ୍ଧାର କାର‌୍ୟ୍ୟର ସମୀକ୍ଷା କରିବା ପାଇଁ ଘଟଣାସ୍ଥଳ ମଧ୍ୟ ପରିଦର୍ଶନ କରିପାରନ୍ତି । ସକାଳ ପ୍ରାୟ ୭.୧୫ ସମୟରେ ହିମସ୍ଖଳନ ଘଟିଥିଲା, ଯାହା ଫଳରେ ଶ୍ରମିକମାନେ ବରଫ ତଳେ ପୋତି ହୋଇଯାଇଥିଲେ । ଏହି କର୍ମଚାରୀମାନେ ସେନା ଗତିବିଧି ପାଇଁ ନିୟମିତ ଭାବରେ ବରଫ ସଫା କରନ୍ତି ।