ଭୁବନେଶ୍ୱର, ୧୧/୦୨ : ପ୍ରେମ ଶାଶ୍ୱତ... ପ୍ରେମ ଅନ୍ଧ... ପ୍ରେମ ଚିରନ୍ତନ ସତ୍ୟ...। ପ୍ରେମକୁ ନେଇ ଏମିତି କିଛି ଧାରଣା ରହିଛି ପ୍ରାୟ ସମସ୍ତଙ୍କ ମନରେ। ହେଲେ ବାସ୍ତବିକ ଜୀବନରେ ସ୍ଥିତି ପୂରା ଅଲଗା । ଏହି ପ୍ରେମ ପାଇଁ ଯାଉଛି ଅନେକ ଅମୂଲ୍ୟ ଜୀବନ । ଜଣେ କି ଦୁଇ ଜଣ ନୁହେଁ... ପ୍ରେମ ଯୋଗୁ ଗତ ୯ ବର୍ଷରେ ଓଡ଼ିଶାର ୪୯୧ ଜଣ ହତ୍ୟାର ଶିକାର ହୋଇଛନ୍ତି। ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ (ଏସ୍ସିଆର୍ବି)ରୁ ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସୁଛି।
ପ୍ରେମ ପାଇଁ କେତେବେଳେ ହତ୍ୟା ତ’ ପୁଣି କେତେବେଳେ ଏସିଡ୍ ଆକ୍ରମଣ । ପ୍ରତିବର୍ଷ ବଢ଼ି ଚାଲିଛି ଏଭଳି କାଣ୍ଡ । ଦୀର୍ଘ ବର୍ଷର ପ୍ରେମ ପରେ ଯଦି ପ୍ରେମିକା ବାହା ହେବାକୁ ମନା କରେ ତେବେ ରକ୍ତମୁଖା ହୋଇଯାଉଛି ପ୍ରେମିକ । ନିଜର କରିବାର ଜିଦ୍ ତାକୁ ଅପରାଧ ଆଡକୁ ବାଟ କଢ଼ାଇ ନେଉଛି । ୨୦୧୭ ମସିହାରେ ପ୍ରେମ ପାଇଁ ୫୪ ଜଣ ହତ୍ୟାର ଶିକାର ହୋଇଥିଲେ । ଏଥିରୁ ୨୭ଟି ଥିଲା ପରକୀୟା ପ୍ରୀତି ପାଇଁ। ୨୦୧୮ ମସିହାରେ ୩୮, ୨୦୧୯ରେ ୫୧ଟି, ୨୦୨୦ରେ ୫୯ଟି, ୨୦୨୧ରେ ୬୭ଟି, ୨୦୨୨ରେ ୬୮ଟି, ୨୦୨୩ରେ ୪୨ଟି, ୨୦୨୪ରେ ୬୧ ଓ ୨୦୨୫ରେ ୪୯ ଜଣଙ୍କୁ ପ୍ରେମ ପାଇଁ ହତ୍ୟା କରାଯାଇଥିଲା।
ପ୍ରେମ ପାଇଁ ହତ୍ୟାର କାରଣ ବିଷୟରେ ଓଡ଼ିଶା ପୁଲିସ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ରେମରେ ବିଫଳ ହେଲେ କିଛି ବ୍ୟକ୍ତି ନିଜର ମାନସିକ ଭାରାସାମ୍ୟ ହରାଇ ବସୁଛନ୍ତି। ଏହାର ନିରାକରଣ କରିବାକୁ ହେଲେ ପରିବାର ଲୋକଙ୍କ ସହାୟତା ଆବଶ୍ୟକ। ପ୍ରେମରେ ଧୋକା ଜଣାପଡ଼ିବା ପରେ ଘର ଲୋକ ତାଙ୍କୁ ତୁରନ୍ତ କାଉନସେଲିଂ କରାନ୍ତୁ । ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କ ମନ ପରିବର୍ତ୍ତନ ହେବାର ସମ୍ଭାବନା ଅଧିକ ରହିଥାଏ।
ଏହି ଖବରଟିକୁ ପଢନ୍ତୁ- ଅନଲାଇନ୍ ଗେମିଂର ଏମିତି ନିଶା , ନାବାଳକ ପୁଅ ଚୋରେଇ ନେଲା ନିଜ ମାଆର ସବୁ ଗହଣା