ଜୋହାନ୍ସବର୍ଗ, ୧୫/୧୧ : ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମୁକାବିଲା ଖେଳାଯିବ । ଭାରତ ୨-୧ରେ ସିରିଜ ଆଗୁଆ ରହିଛି । ଆଜି ଏହି ବିଜୟଧାରାକୁ ଜାରି ରଖି ଭାରତ ଆଉ ଏକ ରେକର୍ଡରେ ନାମ ସାମିଲ କରିବ । ଘରୋଇ ଦଳ ‘କର ବା ମର’ ପରିସ୍ଥିତିରେ ରହିଛି । ଜୋହାନ୍ସବର୍ଗରେ ବିଜୟ ସହ ସିରିଜ ବରାବର କରିବା ପାଇଁ ଘରୋଇ ଦକ୍ଷିଣ ଆଫ୍ରିକା ଆଜି ସବୁ ଶକ୍ତି ଖଟାଇବ । ଚଳିତ ବର୍ଷ ଭାରତ ୨୫ଟି ଟିଟ୍ୱେଣ୍ଟି ଖେଳି ୨୩ଟି ବିଜୟ ହାସଲ କରିଛି । ଏହି ସଂଖ୍ୟା ୨୪କୁ ବୃଦ୍ଧି କରିବାକୁ ଦଳ ପ୍ରୟାସ କରିବ । 

ଚଳିତ ବର୍ଷ ଭାରତ ସର୍ବାଧିକ ୮ଥର ୨୦୦ରୁ ଉଦ୍ଧ୍ୱର୍ ସ୍କୋର ସଂଗ୍ରହ କରିବାରେ ମଧ୍ୟ ରେକର୍ଡ ସ୍ଥାପନ କରିଛି । ଇତି ମଧ୍ୟରେ ଖେଳାଯାଇଥିବା ୩ଟି ମ୍ୟାଚ୍‌ରେ ୨ଟି ଶତକୀୟ ଇନିଂସ ଦେଖିବାକୁ ମିଳିଛି । ପ୍ରଥମ ମ୍ୟାଚ୍‌ରେ ସଞ୍ଜୁ ସାମସନ ଓ ତୃତୀୟ ମ୍ୟାଚ୍‌ରେ ତିଳକ ବର୍ମା ଶତକ ଅର୍ଜନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଜାନସେନ୍‌ ଏକାକୀ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ତଥାପି ଅନେକ ଲଢୁଆ ଇନିଂସ ଦେଖିବାକୁ ମିଳିଛି । ଦ୍ୱିତୀୟ ମ୍ୟାଚ୍‌ରେ ଟ୍ରିଷ୍ଟନ ଷ୍ଟବ୍ସ ଓ ତୃତୀୟ ମ୍ୟାଚ୍‌ରେ ମାର୍କୋ ଜାନସେନଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଭାରତୀୟ ଦଳକୁ ସତର୍କ କରାଇବା ସ୍ୱାଭାବିକ । 

ଆଜି ଉଭୟ ଦଳ ଅପରିବର୍ତ୍ତିତ ରହିବା ଆଶା କରାଯାଉଛି । ତଥାପି ଘରୋଇ ଖେଳାଳି ନକାବ୍ୟୋମଜି ପିଟର ଏକାଦଶକୁ ଫେରି ପାରନ୍ତି । ସେ ଖେଳିଲେ ଗେରାଲ୍ଡ କୋଏଜି ଏକାଦଶରୁ ବାଦ ପଡ଼ିବେ । ଆଜି ଅର୍ଶଦୀପ ସିଂହଙ୍କ ନିକଟରେ ରେକର୍ଡ ସ୍ଥାପନ କରିବାକୁ ସୁଯୋଗ ରହିଛି । ଆଉ ୫ଟି ୱିକେଟ୍‌ ନେଲେ ଅର୍ଶଦୀପ ଭାରତ ପକ୍ଷରୁ ଟି-ଟ୍ୱେଣ୍ଟିରେ ସର୍ବାଧିକ ୱିକେଟ୍‌ ହାସଲରେ ରେକର୍ଡ କରିବେ । ବର୍ତ୍ତମାନ ସର୍ବାଧିକ ୱିକେଟ୍‌ ରେକର୍ଡ ୟୁଝବେନ୍ଦ୍ର ଚହଲଙ୍କ ନାମରେ ରହିଛି । ଅର୍ଶଦୀପ ୯୨ଟି ୱିକେଟ୍‌ ଓ ଚହଲ ୯୬ଟି ୱିକେଟ୍‌ ନେଇଛନ୍ତି । ତିଳକ ବର୍ମା ସେଞ୍ଚୁରୀୟନ୍‌ରେ ଭାରତର କନିଷ୍ଠ ଖେଳାଳି ଭାବେ ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ଶତକ ଅର୍ଜନ କରିଥିଲେ । ତିଳକଙ୍କୁ ମିଶାଇ ଭାରତ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ସର୍ବାଧିକ ୨୧ଟି ଶତକ ଅର୍ଜନ କରିଛି । ୧୨ ଶତକ ସହ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଓ ୧୧ ଶତକ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି । ରୋହିତ ଶର୍ମା ସର୍ବାଧିକ ୫ଟି ଶତକ ଅର୍ଜନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ୪ଟି ଶତକ ରହିଛି । 

ବ୍ୟାଟିଂର ସ୍ୱର୍ଗ: ଜୋହାନ୍ସବର୍ଗ ପିଚ୍‌ ପାରମ୍ପରିକ ଭାବେ ବ୍ୟାଟରଙ୍କୁ ସହାୟତା କରିଆସିଛି । ଆଜି ମଧ୍ୟ ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର ନିଶ୍ଚିତ । ଫଳରେ ଟସ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତ ନେବା ଆଶା କରାଯାଉଛି । ଏଠାରେ ଗତ ଡିସେମ୍ବରରେ ସୂର୍ଯ୍ୟକୁମାର ଶତକ ଅର୍ଜନ କରିଥିଲେ । ଭାରତ ୭/୨୦୧ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୯୫ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା ।

ସମ୍ଭାବ୍ୟ ଦଳ

ଦକ୍ଷିଣ ଆଫ୍ରିକା: ରିଜା ହେଣ୍ଡରିକ୍ସ, ର‌୍ୟାନ ରିକେଲଟନ, ଆଡେନ ମାରକ୍ରମ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ହେନରିକ କ୍ଲାସେନ, ଡେଭିଡ୍‌ ମିଲର, ମାର୍କୋ ଜାନସେନ, ଗେରାଲ୍ଡ କୋଏଜି, ଆଣ୍ଡିଲ ସିମେଲେନ/ ଲୁଥୋ ସିମ୍ପାଲା, ନକାବ୍ୟୋମଜି ପିଟର, କେଶବ ମହାରାଜ । ଭାରତ: ସଞ୍ଜୁ ସାମସନ, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଅକ୍ଷର ପଟେଲ, ରମଣଦୀପ ସିଂହ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ।