ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଗୁଜରାଟରୁ ମହିଳାଙ୍କ ସମେତ ୫ ସାଇବର ଠକ ଗିରଫ,ଜୁଏଲାରୀ ସପ୍‌ ମାଲିକଙ୍କଠୁ ଠକି ନେଇଥିଲେ ୬ କୋଟି

Published By : Suraj Kumar | March 26, 2025 10:28 PM

କଟକ,୨୬ା୩(ବ୍ୟୁରୋ): ବ୍ରହ୍ମପୁରର ଏକ ପ୍ରମୁଖ ଜୁଏଲାରୀ ଦୋକାନର ସ୍ୱତ୍ୱାଧିକାରୀ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ବି ଅଧିକ ଲାଭ ଆଶାରେ ଅନ୍‌ଲାଇନ୍‌ ପୁଞ୍ଜିନିବେଶ କରି ଫସିଯାଇଥିଲେ ସାଇବର ଠକଙ୍କ ଜାଲରେ । ଅନଲାଇନ ଇନ୍‌ଭେଷ୍ଟମେଣ୍ଟ ବିଜନେସ୍‌ ଆଡଭାଇଜର ଭାବେ ସେ ସୋସିଆଲ୍‌ ମିଡିଆରେ ବେଶ ସକ୍ରିୟ ଥିଲେ । ଅନ୍‌ଲାଇନ୍‌ରେ ଟଙ୍କା ବିନିଯୋଗ କରିବାକୁ ଅନ୍ୟକୁ ପରାମର୍ଶ ଦେଉଥିଲେ । ହେଲେ ନିଜେ ଫସିଯାଇ ୬ କୋଟି ୧୬ ଲକ୍ଷ ୩୭ ହଜାର ଟଙ୍କା ଠକେଇର ଶିକାର ହୋଇ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ । ଘଟଣାର ତଦନ୍ତ ଚଳାଇ କ୍ରାଇମବ୍ରାଞ୍ଚ ସାଇବର ଥାନା ଶେଷରେ ଜଣେ ମହିଳାଙ୍କ ସମେତ ସମୁଦାୟ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସେଜଲ୍‌ ରଭିସ କୁମାର ସଭୟା (୩୩), ସଭୟା ରବି କୁମନ ଭାଇ(୩୨), ସଭୟା କୁମନ ଭାଇ(୫୮), ପାରସ ଧିରୁଭାଇ ଜେସାନୀ(୩୨) ଓ ଧର୍ମେଶ ନାନୁଭାଇ ସଭଲିୟା(୨୬) । ସାଇବର ଅଧିକାରୀ ୫ ଜଣ ଯାକ ସାଇବର ଠକଙ୍କୁ ଗୁଜରାଟରୁ ଗିରଫ କରି ସୁରଟସ୍ଥିତ ଏସଡିଜେଏମ୍‌ କୋର୍ଟରେ ହାଜର କରାଇବା ପରେ କୋର୍ଟଙ୍କ ଅନୁମତି ନେଇ କଟକ ଆଣୁଥିବା ସୂଚନା ମିଳିଛି । 

  ମିଳିଥିବା ସୂଚନାନୁସାରେ, ବ୍ରହ୍ମପୁରର ଏକ ପ୍ରମୁଖ ଜୁଏଲାରୀ ଦୋକାନର ମାଲିକ ବ୍ୟବସାୟରୁ ରୋଜଗାର କରୁଥିବା ଅର୍ଥକୁ ଅନ୍‌ଲାଇନ୍‌ରେ ବିଭିନ୍ନ ପୁଞ୍ଜି ଲଗାଣକାରୀ ସଂସ୍ଥାରେ ବିନିଯୋଗ କରିବା ସହ ଏ ଦିଗରେ ଅନ୍ୟମାନଙ୍କୁ ପରାମର୍ଶ ଦେଇଥାନ୍ତି । ସୋସିଆଲ୍‌ ମିଡିଆରେ ସେ ଅନ୍‌ଲାଇନ୍‌ ଟ୍ରେଡିଂ ବ୍ୟବସାୟରେ ସକ୍ରିୟ ଥିଲେ । ଫେସ୍‌ବୁକ୍‌ ଆଇଡିରେ ଗତ ବର୍ଷ ମେ ମାସରେ ସଞ୍ଜନା ଶ୍ରୀନିବାସନ ନାମକ ମହିଳା ହଂକଂର ଏକ ସଫ୍ଟୱେୟର ଡେଭଲପର ଭାବେ ପରିଚୟ ଦେଇ ତାଙ୍କୁ ମେସେଜ୍‌ ଦେଇଥିଲେ । ସୋସିଆଲ ମିଡିଆରେ ସମ୍ପର୍କ ଯୋଡ଼ି ଅନ୍‌ଲାଇନ୍‌ରେ ଟଙ୍କା ବିନିଯୋଗ କରି ଅଧିକ ଲାଭ ଉଠାଇବା ପାଇଁ ବିଭିନ୍ନ ଲୋଭନୀୟ ସ୍କିମ୍‌ ବାବଦରେ ଆଲୋଚନା କରିଥିଲେ । ଉକ୍ତ ସ୍କିମ୍‌ ଅନୁସାରେ ଅନ୍‌ଲାଇନ୍‌ରେ ଟଙ୍କା ବିନିଯୋଗ କରି ପ୍ରଚୁର ଅର୍ଥ କମାଇବା ଲୋଭରେ ପଡ଼ି ବ୍ୟବସାୟୀ ଜଣକ ଗତ ବର୍ଷ ମେ ୨୩ ତାରିଖରୁ ଜୁନ୍‌ ୨୪ ତାରିଖ ମଧ୍ୟରେ ୬ କୋଟି ୧୬ ଲକ୍ଷ ୩୭ ହଜାରରୁ ଅଧିକ ଟଙ୍କା ବିନିଯୋଗ କରିଥିଲେ । ଟଙ୍କା ବିନିଯୋଗ କରିବାର ଦୀର୍ଘ ଦିନ ପରେ ମଧ୍ୟ ଲାଭ କିଛି ପାଇନଥିଲେ । ଲାଭ ମିଳିବା ତ ଦୂରର କଥା, ବ୍ୟବସାୟୀ ନିଜ ମୂଳ ବିନିଯୋଗ ଅର୍ଥକୁ ଉଠାଇବା ପାଇଁ ଚାହିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । ଉକ୍ତ ଅନ୍‌ଲାଇନ୍‌ ଟ୍ରେଡିଂ ସଂସ୍ଥା ସହ ଯୋଗାଯୋଗ କରିବା ପରେ ଆଉ ୮୯ ହଜାର ଟଙ୍କା ଜମା କରିବାକୁ ସେମାନେ କହିଥିଲେ । ଯୋଗାଯୋଗ ମଧ୍ୟରେ ବ୍ୟବସାୟୀ ଜଣକ ଠକେଇର ଶିକାର ହୋଇଥିବା ଅନୁଭବ କରିଥିଲେ । ମାତ୍ର ସେତେବେଳକୁ ସେ ୬ କୋଟିରୁ ଅଧିକ ଟଙ୍କା ମାସକ ମଧ୍ୟରେ ହରାଇ ସାରିଥିଲେ । ନିରାଶ ହୋଇ ଶେଷରେ ସେ ଜୁଲାଇ ୯ ତାରିଖରେ କ୍ରାଇମବ୍ରାଞ୍ଚରେ ପହଞ୍ଚି ସାଇବର ଥାନାରେ ଏତଲା ଦେଇଥିଲେ । 

ଅଭିଯୁକ୍ତମାନଙ୍କ ସମ୍ପର୍କରେ ସୁରାକ ପାଇବା ପାଇଁ ଦୀର୍ଘ ୫ ମାସ ହେଲା ସାଇବର ଥାନା ଖୋଳତାଡ଼ ଚଳାଇଥିଲା । କ୍ରାଇମବ୍ରାଞ୍ଚ ଡିଏସ୍‌ପି ରତ୍ନପ୍ରଭା ଶତପଥିଙ୍କ ନେତୃତ୍ୱରେ ଏକ ଟିମ୍‌ ଗୁଜରାଟର ସୁରଟ ଅଞ୍ଚଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ତେବେ ଠକି ନିଆଯାଇଥିବା ୬ କୋଟିରୁ ଅଧିକ ଟଙ୍କାରୁ ସାଇବର ଟିମ୍‌ ଅଭିଯୁକ୍ତମାନଙ୍କ ପାଖରୁ ଫଟା ପାହୁଲାଟିଏ ମଧ୍ୟ ଅଦ୍ୟାବଧି ଜବତ କରି ପାରିନାହାନ୍ତି । ଗୁଜରାଟରୁ ଗିରଫ କରିବା ସମୟରେ ସାଇବର ଅଧିକାରୀ ଅଭିଯୁକ୍ତମାନଙ୍କ ପାଖରୁ ଆଧାର କାର୍ଡ, ମୋବାଇଲ୍‌ ଫୋନ୍‌, ସିମ୍‌ କାର୍ଡ, ପାନ୍‌ କାର୍ଡ, ବ୍ୟାଙ୍କ ପାସବୁକ୍‌ ଓ ଡେବିଟ୍‌ କାର୍ଡ ଆଦି ଜବତ କରି ସେମାନଙ୍କୁ କଟକ ଆଣୁଥିବା ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.