ଫିରିଙ୍ଗିଆ, ୮/୫ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ଘାଟି ରାସ୍ତାରେ  ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ମାଡ଼ ମାରି ଲୁଟ ହେଉଥିବା ଅଭିଯୋଗ ହୋଇ ଆସୁଥିଲା l ତେବେ ଗୁରୁବାର ଭୋରୁ  ଘାଟି ରାସ୍ତାରେ ଜଣଙ୍କ ଠାରୁ ଲୁଟ ବେଳେ  ଲୋକମାନେ ୫ ଜଣ  ଲୁଟେରାଙ୍କୁ କାବୁ କରିଥିଲେ। ତେବେ ଅନ୍ୟ ଲୁଟେରା ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ପହଞ୍ଚି ୫ ଜଣଙ୍କୁ ଗିରଫ  କରିଥିଲା। ଅଭିଯୁକ୍ତମାନେ ହେଲେ ପୁଇଁତଲା ଥାନା କସାବାହାଲ ଗାଁର ସୁନିଲ ସାଣ୍ଢ,, ବାଞ୍ଜି ପଲି ଥାନା ଦେଓଗାଁର ଶରତ କୁମ୍ଭାର, ପୁଇଁତଲା ଥାନା ତଣ୍ଡା ମୁଣ୍ଡା ଗାଁର ସତ୍ୟ ନନ୍ଦ, ପୁଇଁତଲା ଥାନା କୁରୁଲ ଗାଁର ସୁରୁ ସେଠ, ପୁଇଁତଲା ଥାନା ତଣ୍ଡା ମୁଣ୍ଡା ଗାଁର କରୁଣା ନନ୍ଦ ।  ଅଭିଯୁକ୍ତମାନେ  ବଲାଙ୍ଗୀର ଜିଲ୍ଲାର ବୋଲି ଏକ ପ୍ରେସ ମିଟ ଜରିଆରେ ଉପଖଣ୍ଡ ଅଧିକାରୀ ଶୁଭ୍ରଜିତ ବିଶ୍ୱାଳ ସୂଚନା ଦେଇଛନ୍ତି l 

ଗୋଚ୍ଛାପଡା ଥାନା ଅଧୀନ କେନ୍ଦୁ ଗୁଡା ଗାଁର ବାବୁଲା ମଲିକ ବୌଦ୍ଧ ଜିଲ୍ଲା ନାରାୟଣ ପ୍ରସାଦ ଗାଁକୁ ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୋରୁ ଯାଉଥିଲେ।  ଏହି ସମୟରେ କେନ୍ଦୁଗୁଡା ଘାଟିରେ ବାବୁଲା ମଲିକଙ୍କୁ  ଡକାୟତି ଗ୍ୟାଙ୍ଗ ଅଟକାଇଥିଲେ । ବାବୁଲାକୁ ଧମକ ଚମକ ଦେବା ସହ ମୋବାଇଲ  ଛଡାଇ  ନେଇଥିଲେ l ଏହି ଘଟଣା ପରେ ବାବୁଲା ଚିତ୍କାର  କରିଥିଲା।  ଗ୍ରାମର କିଛି ଲୋକ ଧାଇଁ ଆସିବାରୁ ଘଟଣା ସ୍ଥଳରୁ ୩ ଜଣ ଡକାୟତ ଜଙ୍ଗଲ ଭିତରକୁ ଦୌଡି ଫେରାର ହୋଇଯାଇଥିଲେ। ଅନ୍ୟ ୫ ଜଣକୁ ଗ୍ରାମବାସୀ କାବୁ କରିଥିଲେ l  ଏହି ଘଟଣା ପରେ ବାବୁଲା ମଲିକର ଅଭିଯୋଗ କ୍ରମେ ଗୋଚ୍ଛାପଡା ପୋଲିସ ୫ ଜଣକୁ ଗିରଫ କରିଛି।  ଏଥିସହ ଡକାୟତରେ ବ୍ୟବହୃତ ୩ ଟି ବାଇକ, ୪ ଟି ମୋବାଇଲ ଫୋନ, ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି। ଏହି ଘଟଣାରେ ଗୋଚ୍ଛାପଡା ଥାନାରେ ପୋଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।