ନୂଆଦିଲ୍ଲୀ: କେରଳର ଅଲାପୁଜା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସଡକ ଦୁର୍ଘଟଣାରେ ୫ ଜଣ MBBS ଛାତ୍ରଙ୍କ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ଆଲାପୁଜା ସ୍ଥିତ ବନ୍ଦନମ୍ ସରକାରୀ ମେଡିକାଲ୍ କଲେଜର ପ୍ରଥମ ବର୍ଷର ଏମବିବିଏସ୍ ଛାତ୍ର ସୋମବାର ରାତିରେ ଏକ ଭଡା କାରରେ ଯାତ୍ରା କରୁଥିଲେ। ଏହି ସମୟରେ ହଠାତ୍ କେରଳ ରାଜ୍ୟ ସଡକ ପରିବହନ ନିଗମ (କେଏସଆରଟିସି) ବସ୍ ସହିତ ସେମାନଙ୍କ କାର ଧକ୍କା ହୋଇଥିଲା । ଫଳରେ ପାଞ୍ଚ ଜଣ ଛାତ୍ରଙ୍କର ଅକାଳ ବିୟୋଗ ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଛାତ୍ର ମାନେ ହେଲେ କନ୍ନୁରର ମହମ୍ମଦ ଅବଦୁଲ ଜବର, ଲକ୍ଷଦୀପର ମହମ୍ମଦ ଇବ୍ରାହିମ, ମାଲାପୁରମର ଦେବନନ୍ଦନ, ଆଲାପୁଜାର ଆୟୁଷ ଶାଜି ଏବଂ ପାଲକ୍କଡର ଶ୍ରୀଦୀପ । 

ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ବର୍ଷା ରାତିରେ ଏକ ଯାତ୍ରୀବାହୀ ବସ୍ ସହିତ ଦ୍ରୁତ ଗତିରେ ଆସୁଥିବା ଏହି କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସ୍ଥାନୀୟ ଲୋକ କହିଛନ୍ତି ଯେ ଘଟଣାସ୍ଥଳରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୁହାଁମୁହିଁ ଧକ୍କା ହେବା ଫଳରେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଏଥିରେ ଥିବା ଛାତ୍ର ମାନଙ୍କୁ ସ୍ଥାନୀୟ ଲୋକଙ୍କ  ସାହାଯ୍ୟରେ ବାହାରକୁ ନିଆଯାଇଥିଲା ବୋଲି ପୋଲିସ କହିଛି। ତେବେ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିଲେ। ଘଟଣା ସଂପର୍କରେ ଅନ୍ୟ ଜଣେ ଏମବିବିଏସ ଛାତ୍ର କହିଛନ୍ତି ଯେ, ମୃତକ ମାନଙ୍କ ମଧ୍ୟରୁ ଜଣେ ତାଙ୍କ ରୁମମେଟ ଏବଂ ସେ ଗତ ରାତିରେ ତାଙ୍କୁ ଏକ ଫିଲ୍ମ ଦେଖିବାକୁ ଯାଉଛନ୍ତି ବୋଲି କହିଥିଲେ।