ନୂଆଦିଲ୍ଲୀ, ୧୫/୧୧: ବିହାର ମୁଜାଫରପୁରର ମୋତିପୁର ଥାନା ଅଞ୍ଚଳରେ ବଡ଼ ଅଘଟଣ। ଘରେ ନିଆଁ ଲାଗି ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ । ଏଥିସହ ଅନ୍ୟ ପାଞ୍ଚ ଜଣ ପୋଡ଼ି ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି।

ଘଟଣାକୁ ନେଇ ଡିଏସପି ସୁଚିତ୍ରା କୁମାରୀ କହିଛନ୍ତି , ସଟସର୍କିଟ୍ ଯୋଗୁଁ ଘରେ ନିଆଁ ଲାଗିଥିଲା। ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ପୋଡ଼ି ଯାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୋତିପୁର ଥାନା ଅଞ୍ଚଳର ପୁଲିସ କହିଛି ଯେ, ଗୋଟିଏ ଘରେ ନିଆଁ ଲାଗିଥିବାର ଖବର ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଡକାଯିବା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ପରିବାର ଲୋକେ ବର୍ତ୍ତି ପାରିନଥିଲେ। ଅଗ୍ନିକାଣ୍ଡ ଘଟିଥିବା ଘରର ମାଲିକ ଜେନା ଶାହ ବୋଲି ଚିହ୍ନଟ କରାଯାଇଛି। ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ସରିଲେ ସେମାନଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି ।