ଭୁବନେଶ୍ବର, ୨୦/୦୯: ଦିବ୍ୟାଙ୍ଗଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଦାରିଦ୍ର୍ୟ ଦୂରୀକରଣ ଓ ଜୀବନ ଜୀବିକା ଯୋଜନା ଅଧୀନରେ ଥିବା ସରକାରୀ ବିଭାଗ ନିଜର ବାର୍ଷିକ ବଜେଟ୍ରେ ଅତିକମ୍ରେ ଦିବ୍ୟାଙ୍ଗଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ରଖିବେ । ୪୧ଟି ବିଭାଗକୁ ଏହା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟରେ ଏବେ ୧୨ ଲକ୍ଷ ୪୪ ହଜାର ଦିବ୍ୟାଙ୍ଗ ରହିଛନ୍ତି । ଭୂମିହୀନ ଦିବ୍ୟାଙ୍ଗମାନଙ୍କୁ ଜମି ଯୋଗାଇବା ଏବଂ ବାସହୀନ ଦିବ୍ୟାଙ୍ଗମାନଙ୍କୁ ପକ୍କାଘର ନିର୍ମାଣ ସମେତ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ୟୋଗ, ଦକ୍ଷତା ବିକାଶ ଏବଂ ଆତ୍ମନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟାପ୍ତ ବଜେଟ୍ ରଖାଯିବ । ବିଭାଗମାନେ ନିଜ ନିଜ କ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କ ଜୀବିକା ପ୍ରୋତ୍ସାହନ ସହିତ ଜଡ଼ିତ ସଫଳତାର କାହାଣୀ ଏବଂ ସର୍ବୋତ୍ତମ ଅଭ୍ୟାସ ଗୁଡ଼ିକୁ ଚିହ୍ନଟ କରି ଡକ୍ୟୁମେଣ୍ଟ କରିବେ । ଏନେଇ ନୋଡାଲ ଅଫିସର ନିଯୁକ୍ତି ପାଇଁ ନିର୍ଦ୍ଦେଶ ଉକ୍ତ ଅଧିକାରୀଙ୍କ ବିଷୟରେ ସାମାଜିକ ସୁରକ୍ଷା ବିଭାଗକୁ ସୂଚନା ଦିଆଯିବ । ଦିବ୍ୟାଙ୍ଗଙ୍କ ପାଇଁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବେ ନୋଡାଲ ଅଧିକାରୀ । ‘ସବ୍କା ସାଥ୍, ସବ୍କା ବିକାଶ୍, ସବ୍କା ବିଶ୍ୱାସ୍, ସବ୍କା ପ୍ରୟାସ’ ମାର୍ଗଦର୍ଶିକା ନୀତି ଅନୁଯାୟୀ, ‘କୌଣସି ଦିବ୍ୟାଙ୍ଗ ବ୍ୟକ୍ତି ପଛରେ ନପଡ଼ିବା’ ନିଶ୍ଚିତ କରିବା ପାଇଁ ସାମୁହିକ ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରିବେ ।