ଭୁବନେଶ୍ୱର ୦୩/୦୧: ଅନୁଭବ ଓ ଅନୁଭୂତିର କଥା କହିବେ । ବିକଶିତ ଭାରତ ଗଠନ ପାଇଁ ଦେବେ ନକ୍ସା । ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରବାସୀମାନେ ଦେବେ ଦିଗ୍‌ଦର୍ଶନ । ଓଡ଼ିଶାରେ ଆସନ୍ତା ୮ରୁ ଆରମ୍ଭ ହେବାକୁଯାଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ । ଏ ୩ଦିନିଆ ସମ୍ମିଳନୀର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଏଥିରେ ୫ଟି ସ୍ୱତନ୍ତ୍ର ବିଷୟକୁ ନେଇ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ । 

କାର୍ଯ୍ୟସୂଚୀ ଅନୁସାରେ, ୮ ତାରିଖରେ ପ୍ରବାସୀ ଭାରତୀୟ ଦିବସର ପ୍ରଥମ ଦିବସରେ ଯୁବ ପ୍ରବାସୀ ଭାରତୀୟ ଦିବସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏବଂ କେନ୍ଦ୍ର ଯୁବ ଓ କ୍ରୀଡ଼ାମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ଶୁଭାରମ୍ଭ କରିବେ । ଦିନ ୯.୩୦ରୁ ୧୦.୩୦ ମଧ୍ୟରେ ଉଦ୍‌ଘାଟନ ପରେ ଆରମ୍ଭ ହେବ ପୂର୍ଣ୍ଣାଙ୍ଗ ଅଧିବେଶନ । ପ୍ରଥମ ଦିନ ‘ବିଶ୍ୱରେ ପ୍ରବାସୀ ଯୁବ ନେତୃତ୍ୱ’ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହେବ । ପ୍ରଥମ ଦିନ ଓଡ଼ିଶା ସରକାର ଅଧିବେଶନରେ ରାଜ୍ୟର ବିଭିନ୍ନ କ୍ଷେତ୍ର ସମ୍ପର୍କରେ ଖୋଲା ଚର୍ଚ୍ଚା କରିବେ । ଦିନ ୨ଟାରୁ ୩.୩୦ ଏବଂ ୩.୪୫ରୁ ୫.୧୫ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଦ୍ୱାରା ଅଧିବେଶନ ଆୟୋଜନ ହେବ । 

ରାଜ୍ୟର ଭବିଷ୍ୟତ ଯୋଜନା ଓ ପ୍ରବାସୀଙ୍କ ସହଯୋଗ ସମ୍ପର୍କରେ ବିଶଦ ଭାବେ ଆଲୋଚନା ହେବ । ଜାନୁଆରୀ ୯ ରେ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍‌ କାର୍ଲ କାଙ୍ଗାଲୁ । ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟାଦଶ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ । ପୂର୍ବାହ୍ନ ୧୦ରୁ ୧୧.୩୦ ଯାଏଁ ଉଦ୍‌ଘାଟନ କାର୍ଯ୍ୟକ୍ରମ ଚାଲିବ । ଅପରାହ୍ନ ୨.୩୦ରୁ ୪ଟା ଓ ୪.୧୫ରୁ ୫.୪୫ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ । ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । 

ସେହିଭଳି ୧୦ରେ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଦ୍‌ଯାପନୀ ଉତ୍ସବରେ ପ୍ରବାସୀ ଭାରତୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯିବ । ସକାଳ ୯.୩୦ରୁ ୧୧ଟା ଓ ୧୧.୧୫ରୁ ୧୨.୪୫ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ । ଅପରାହ୍ଣ ୩ଟାରୁ ୪.୪୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଓ ସମ୍ମାନ ସମାରୋହ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ତିନି ଦିନରେ ୫ଟି ବିଷୟରେ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଛି । ଦ୍ୱିତୀୟ ଅଧିବେଶନରେ ‘ପ୍ରବାସୀଙ୍କ ଦକ୍ଷତାର କାହାଣୀ’, ତୃତୀୟ ଅଧିବେଶନରେ ‘ସବୁଜ ସଂଯୋଗ: ନିରନ୍ତର ବିକାଶରେ ପ୍ରବାସୀଙ୍କ ଅବଦାନ’ ସମ୍ପର୍କରେ ଚର୍ଚ୍ଚା ହେବ । 

ସେହିଭଳି ଚତୁର୍ଥ ଅଧିବେଶନରେ ପ୍ରବାସୀ ଦିବସ: ମହିଳା ନେତୃତ୍ୱ ଓ ପ୍ରଭାବ-ନାରୀ ଶକ୍ତି ଏବଂ ଶେଷ ତଥା ୫ମ ଅଧିବେଶନରେ ‘ସଂସ୍କୃତି, ସଂଯୋଗ ଏବଂ ସମ୍ପୃକ୍ତିର କାହାଣୀ’ ବିଷୟରେ ଆଲୋଚନା ହେବ । ଏହି ବିଶାଳ ମହାକୁମ୍ଭକୁ ଆଉ ମାତ୍ର ୫ ଦିନ ଥିଲା ବେଳେ ପଞ୍ଜୀକରଣ ସଂଖ୍ୟା ବଢ଼ି ଚାଲିଛି । ଏଥିପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ପ୍ରବାସୀ ଭାରତୀୟଙ୍କ ସମେତ ସମସ୍ତ ବ୍ୟକ୍ତିବିଶେଷ ଓ ଗଣମାଧ୍ୟମ ସଂସ୍ଥା ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରି ଆବଶ୍ୟକ ତଥ୍ୟ ପାଇପାରିବେ । ଗୃହ ବିଭାଗରେ ଖୋଲାଯାଇଥିବା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଚଳିତ ଜାନୁଆରୀ ୨ରୁ ୧୧ ତାରିଖ ଯାଏଁ କାର୍ଯ୍ୟକ୍ରମ ରହିବ । ନିୟନ୍ତ୍ରଣ କକ୍ଷ ଟେଲିଫୋନ୍‌ ନମ୍ବର ହେଉଛି ୦୬୭୪-୨୩୯୦୪୧୧ ଏବଂ ୦୬୭୪-୨୩୯୦୮୧୧ ।