ଭୁବନେଶ୍ୱର,୦୩/୦୩: ବିମାନ ଚଳାଇବା  ପାଇଁ ସ୍ୱପ୍ନ ରଖିଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ  ଆସିଛି ନୂଆ ସୁଯୋଗ । କାରଣ ରାଜ୍ୟ ସରକାର  ୫୦ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଇଲଟ୍‌ ତାଲିମ  ଦେବା ପାଇଁ ସ୍ଥିର କରିଛନ୍ତି । ଏହି ୫୦ ଜଣଙ୍କ ଭିତରେ ଅଧିକାଂଶ ଛାତ୍ରୀ ରହିବେ । ଏଥିପାଇଁ  ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ ଏକ  ପେସାଦାର ସଂସ୍ଥାକୁ ନିଯୁକ୍ତ କରିବାକୁ ଟେଣ୍ଡର  ଆହ୍ୱାନ କରିଛି ।  

ବିଭାଗର ଜଣେ ଅଧିକାରୀ କହିଛନ୍ତି,  ଟେଣ୍ଡର ଅନୁଯାୟୀ, ସରକାର ଉକ୍ତ ସଂସ୍ଥା ମାଧ୍ୟମରେ ଅତିକମ୍‌ରେ ୩ ଶହ ଆଦିବାସୀ  ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବ । ସେଥିରୁ ୫୦ ଜଣଙ୍କୁ ବଛାଯାଇ ତାଲିମ ପ୍ରଦାନ କରାଯିବ । ଏହି  ୫୦ ଜଣ ‘ଏୟାରଲାଇନ୍‌ କ୍ୟାଡେଟ୍‌ ପାଇଲଟ୍‌ ଆସେସମେଣ୍ଟ୍‌’ ପରୀକ୍ଷା ପାଇଁ ଭୁବନେଶ୍ୱରରେ ୮ ସପ୍ତାହ ପାଇଁ କୋଚିଂ ନେବେ । ଦିନକୁ ୬  ଘଣ୍ଟା ଲେଖାଁ ସପ୍ତାହରେ ୫ ଦିନ ତାଲିମ ନେବେ । ଡିଜିସିଏ ଦ୍ୱାରା ଧାର୍ଯ୍ୟ ଫାଉଣ୍ଡେସନ୍‌  ପାଠ୍ୟକ୍ରମ ତଥା ବିମାନ ତାଲିମ ପାଠ୍ୟକ୍ରମର  ଏକ ମୋଟାମୋଟି ଧାରଣା ମଧ୍ୟ ସେମାନଙ୍କୁ ଦିଆଯିବ । ଇଂରାଜୀରେ ଦକ୍ଷତା, ବ୍ୟକ୍ତିତ୍ୱ  ବିକାଶ, ମୌଳିକ ବିମାନ ଚଳାଚଳ ଜ୍ଞାନ, ଗ୍ରୁପ୍‌  ଆଲୋଚନା ଏବଂ ସାକ୍ଷାତକାର ଆଦି ବିଷୟରେ  ଶିକ୍ଷା ଦିଆଯିବ । ପ୍ରତ୍ୟେକ ମଡ୍ୟୁଲ୍‌ ଶେଷ ପରେ  ନିୟମିତ ମୂଲ୍ୟାଙ୍କନ କରାଯିବ । ପଛରେ ପଡ଼ିଥିବା  ଛାତ୍ରଛାତ୍ରୀଙ୍କ ପାଇଁ ସପ୍ତାହନ୍ତରେ ସ୍ୱତନ୍ତ୍ର ତାଲିମ  ପ୍ରଦାନ କରାଯିବ । ଏହି ତାଲିମ ପରେ ୫୦  ଜଣ ଛାତ୍ରଛାତ୍ରୀ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ  ଭଳି ବିମାନ କମ୍ପାନୀ ଦ୍ୱାରା ଚୟନ ହେବେ ।  ସେହି ବିମାନ କମ୍ପାନୀଗୁଡିକ ଶ୍ରେଷ୍ଠ ୧୦  ଛାତ୍ରଛାତ୍ରୀଙ୍କୁ ବାଛି ପେସାଦାର ପାଇଲଟ୍‌ ହେବା  ପାଇଁ ବୈଷୟିକ ତାଲିମ ପ୍ରଦାନ କରିବେ ବୋଲି  ଉକ୍ତ ଅଧିକାରୀ ସୂଚନା ଦେଇଛନ୍ତି ।