ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଆସୁନି ସରକାରୀ ଅନୁଦାନ, ବଢୁଛି ଅସନ୍ତୋଷ: ଷ୍ଟାଇପେଣ୍ଡ୍ ଅପେକ୍ଷାରେ ୫୦ହଜାର ଆଦିବାସୀ ପିଲା

Published By : Manoj | August 1, 2025 2:58 PM

ସୁନ୍ଦରଗଡ଼,୦୧/୦୮:ସୁନ୍ଦରଗଡ଼  ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଛାତ୍ରଛାତ୍ରୀଙ୍କୁ  ପ୍ରୋତ୍ସାହିତ କରିବା ପାଇଁ ରହିଥିବା ଷ୍ଟାଇପେଣ୍ଡ  ବ୍ୟବସ୍ଥାର କରୁଣ ଚିତ୍ର ସାମ୍ନାକୁ ଆସିଛି ।  ସରକାର ଅନୁଦାନ ଦେଇ ନ ଥିବାରୁ ପ୍ରି-ମାଟ୍ରିକ୍‌ ଓ ପୋଷ୍ଟ ମାଟ୍ରିକ୍‌ର ପ୍ରାୟ ୫୦ ହଜାର  ଛାତ୍ରଛାତ୍ରୀ ଷ୍ଟାଇପେଣ୍ଡ ପାଇନାହାନ୍ତି । ଘରୋଇ  ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପାଉଥିବା ଷ୍ଟାଇପେଣ୍ଡ  ବ୍ୟବସ୍ଥା ଉଚ୍ଛେଦ ହୋଇଥିବାରୁ ଅନ୍ୟୁନ ୧୩  ହଜାର ଛାତ୍ରଛାତ୍ରୀ ଏଥିରୁ ବାଦ୍‌ ପଡ଼ିବେ ।   

ସରକାର ଗରିବ ଆଦିବାସୀ  ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ ପଢ଼ାଇବା ସହ  ଷ୍ଟାଇପେଣ୍ଡ ପ୍ରଦାନ କରି ଆସୁଥିଲେ । ଗତ ଶିକ୍ଷା  ବର୍ଷରୁ ଏହି ଷ୍ଟାଇପେଣ୍ଡ ବନ୍ଦ ହୋଇଯାଇଛି ।  ଫଳରେ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନରେ  ପାଠ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀ ନିରାଶ  ହେଉଛନ୍ତି । ଘରୋଇ ଶିକ୍ଷାନୁଷ୍ଠାନରେ  ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ଷ୍ଟାଇପେଣ୍ଡ  ବ୍ୟବସ୍ଥା ଥିବା ବେଳେ ଅଧିକରୁ ଅଧିକ ପିଲା  ନାମ ଲେଖାଉଥିଲେ । ମାତ୍ର ବର୍ତ୍ତମାନ ସରକାର  ଏହି ବ୍ୟବସ୍ଥା ବନ୍ଦ କରିଥିବାରୁ ଘରୋଇ  ଶିକ୍ଷାନୁଷ୍ଠାନ ପ୍ରତି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ବିମୁଖ ହେଉଛନ୍ତି ।   

ସୂଚନାଯୋଗ୍ୟ, ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ପୋଷ୍ଟ ମାଟ୍ରିକ୍‌ର  ୪୮,୭୦୭ ଛାତ୍ରଛାତ୍ରୀ ଷ୍ଟାଇପେଣ୍ଡ ପାଇବା  ଲାଗି ଆବେଦନ କରିଥିଲେ । କାଗଜ ପତ୍ର ଠିକ୍‌ ନ ଥିବାରୁ ୧୬୨୩ ଜଣଙ୍କ ଆବେଦନ ଫର୍ମ  ନାକଚ ହୋଇଯାଇଥିଲା । ୪୭ ହଜାର ୮୪ ଛାତ୍ରଛାତ୍ରୀ ଷ୍ଟାଇପେଣ୍ଡ ପାଇବା ଲାଗି ଯୋଗ୍ୟ  ବିବେଚିତ ହୋଇଥିଲେ । ଇତିମଧ୍ୟରେ ୨୦୨୪- ୨୫ ଶିକ୍ଷା ବର୍ଷଶେଷ ହେଲାଣି । କିନ୍ତୁ ଯୋଗ୍ୟ  ବିବେଚିତ ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ମିଳିନାହିଁ ।   

ସେହିପରି ସରକାରୀ ମହାବିଦ୍ୟାଳୟ  ଓ ବିଦ୍ୟାଳୟରେ ପ୍ରି-ମାଟ୍ରିକ ପଢ଼ୁଥିବା  ୩୩,୯୫୦ ଜଣଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ  କରାଯାଇଛି । ଘରୋଇ ଶିକ୍ଷାନୁଷ୍ଠାନରେ  ପଢ଼ୁଥିବା ୧୩,୧୩୪ ଜଣଙ୍କୁ ଏପର୍ଯ୍ୟନ୍ତ  ପ୍ରୋତ୍ସାହନ ରାଶି ମିଳିପାରିନାହିଁ । ପ୍ରି-ମାଟ୍ରିକ  ଷ୍ଟାଇପେଣ୍ଡ ଲାଗି ୨୨,୭୭୩ ଜଣ ଆବେଦନ  କରିଥିଲେ । ସେମାନଙ୍କ କାଗଜପତ୍ର ଯାଞ୍ଚ  ପରେ ୨୧,୮୨୨ ଜଣ ଷ୍ଟାଇପେଣ୍ଡ ପାଇବା  ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।  ଯୋଗ୍ୟ ବିବେଚିତ ୨୧,୮୨୨ ଜଣଙ୍କ ମଧ୍ୟରୁ  ୨୦୨୪-୨୫ ଶିକ୍ଷାବର୍ଷରେ ୧୮,୭୪୬ ଜଣଙ୍କୁ  ଷ୍ଟାଇପେଣ୍ଡ ମିଳିଛି । ୩ ହଜାର ୮୬ ଜଣ  ଛାତ୍ରଛାତ୍ରୀ ଏବେ ବି ଅପେକ୍ଷାରେ ରହିଛନ୍ତି ।  

୨୦୨୪-୨୫ ଶିକ୍ଷାବର୍ଷ ଶେଷ  ହୋଇ ନୂତନ ଶିକ୍ଷାବର୍ଷ ୨୦୨୫-୨୬  ଆରମ୍ଭ ହୋଇଯାଇଛି । ସରକାର ଗତ  ଶିକ୍ଷାବର୍ଷର ଷ୍ଟାଇପେଣ୍ଡ ଦେଇ  ପାରି ନ ଥିବାରୁ ନୂତନ ଶିକ୍ଷା  ବର୍ଷର ଷ୍ଟାଇପେଣ୍ଡ ପାଇବା ପାଇଁ  ଆବେଦନ ନିମନ୍ତେ ସରକାରୀ  ୱେବ୍‌ସାଇଟ୍‌ ଖୋଲି ନାହିଁ ।  ଛାତ୍ରଛାତ୍ରୀ ଷ୍ଟାଇପେଣ୍ଡ ଲାଗି  ଆବେଦନ କରି ପାରୁନାହାନ୍ତି ।  ବହୁ ବର୍ଷ ପରେ ରାଜ୍ୟରେ  ଷ୍ଟାଇପେଣ୍ଡ ଦେବାରେ ସରକାର  ବିଳମ୍ବ କରିଥିବା ନେଇ ଛାତ୍ରଛାତ୍ରୀ  ମହଲରେ ଚର୍ଚ୍ଚା ହେଉଛି । ଛାତ୍ରଛାତ୍ରୀଙ୍କୁ  ଷ୍ଟାଇପେଣ୍ଡ ଏଯାଏ କାହିଁକି ମିଳିନି ବୋଲି  ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥୀ ପଟେଲଙ୍କୁ  ପଚରାଯିବାରେ ସେ କହିଲେ ସରକାର  ଟଙ୍କା ଦେଇନାହାନ୍ତି³ ଆମେ କେଉଁଠୁ ଆଣି  ଦେବୁ । ସରକାର ଦେଲେ ଆମେ ଛାତ୍ରଛାତ୍ରୀଙ୍କ  ଆକାଉଣ୍ଟରେ ଟଙ୍କା ଜମା କରିବୁ ବୋଲି ସେ  ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.