ମାଲକାନଗିରି, ୨୯/୧୦ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ରାଜ୍ୟ ସରକାରଙ୍କ "ଘରକୁ ଫେର" ଯୋଜନା ଅଧୀନରେ ଆଜି ୫୧ଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଏଥିରେ ୯ ଜଣ ମହିଳା ଏବଂ ୪୨ ଜଣ ପୁରୁଷ ଥିଲେ ଏବଂ ସେମାନଙ୍କ ନାମରେ ୬୬ଲକ୍ଷ ପୁରସ୍କାର ଥିଲା । କ୍ରମାଗତ ଭାବେ ଭାଙ୍ଗିବାରେ ଲାଗିଥିବା ମାଓ ସଙ୍ଗଠନ ପାଇଁ ଏହା ଏକ ବଡ଼ ଝଟକା ହୋଇଥିବାବେଳେ ଏମାନେ ହିଂସାର ପଥ ଛାଡ଼ି ସାଧାରଣ ଜୀବନ ଯାପନ କରିବାକୁ ଲକ୍ଷ ରାଖୀ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି ।

ଆତ୍ମ ସମର୍ପଣକାରୀଙ୍କ ମଧ୍ୟରେ ପିଏଲଯିଏ ବାଟାଲିଅନ, କମ୍ପାନୀ ଏବଂ କ୍ଷେତ୍ର କମିଟିର ସଦସ୍ୟ ଥିଲେ। ୨୦୨୫ ମସିହାରେ ଏ ପର୍ଯ୍ୟନ୍ତ ୪୬୧ଜଣ ମାଓବାଦୀ ମୁଖ୍ୟସ୍ରୋତକୁ ଫେରିଛନ୍ତି ଯେଉଁଥିରେ ୧୩୮ଜଣ ନିହତ ହୋଇଛନ୍ତି ଏବଂ ୪୮୫ଜଣଙ୍କୁ ଗିରଫ କରାଯାଇଛି। ଏହା ଶାନ୍ତି ଏବଂ ବିକାଶ ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି କୁହାଯାଉଛି । ଆତ୍ମ ସମର୍ପଣକାରୀଙ୍କୁ ସରକାରୀ ନୀତି ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।