ସମ୍ବଲପୁର, ୧୪।୧୦: ସମ୍ବଲପୁରରେ ବଡ଼ ଧରଣର କଫ୍ ସିରପ୍ ରାକେଟ୍ର ପର୍ଦ୍ଦାଫାସ୍। ବରେଇପାଲି ପୁଲିସକୁ ବଡ଼ ସଫଳତା। ୫୧୦୦ ବୋତଲ ବେଆଇନ କଫ୍ ସିରପ୍ ଜବତ। ୨୦ ଅଭିଯୁକ୍ତ ଗିରଫ। ପାର୍ବଣ ଋତୁରେ ଏହାକୁ ବିକ୍ରି କରିବାକୁ କଟକରୁ ସମ୍ବଲପୁର ଆସୁଥିଲା। ହେଲେ ବରେଇପାଲି ପୁଲିସ ଖବର ପାଇ ଚଢ଼ଉ କରି ଏମାନଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ୪ ଚକିଆ ଗାଡ଼ି, ୪୦ ହଜାର ଟଙ୍କା ଏବଂ ମୋବାଇଲ ଜବତ ହୋଇଛି। ଏନେଇ ସମ୍ବଲପୁର ଏସପି ମୁକେଶ କୁମାର ଭାମୂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସପି ଶ୍ରୀ ଭାମୂ କହିଛନ୍ତି, ୧୩ ତାରିଖ ଦିନ ପ୍ରାୟ ସାଢେ ୨ଟାରେ ଗୋଟିଏ ୪ ଚକିଆ ଗାଡ଼ିରେ ବିପୁଳ ପରିମାଣର କୋରେକ୍ସ ଆସୁଥିବା ନେଇ ବରେଇପାଲି ଓଆଇସି ଇନ୍ସପେକ୍ଟର ରାଧାକାନ୍ତ ବାରିକ ସୂଚନା ପାଇଥିଲେ। ତୁରନ୍ତ ପୁଲିସ ଟିମ୍ ନେଇ ଘଟଣାସ୍ଥଳରେ ଚଢ଼ଉ କରିଥିଲେ। ସେଠାରୁ ୫୧୦୦ ବେଆଇନ କୋରେକ୍ସ ବୋତଲ ଜବତ କରିବା ସହ ୫ଜଣଙ୍କୁ ଧରିଥିଲେ। ଅଭିଯୁକ୍ତମାନେ ହେଲେ ଲୋକେଶ ପ୍ରଧାନ, ମହେନ୍ଦ୍ର କିଶାନ, ପ୍ରଭାତ ଭୋଇ, ଆମୋଦ କରାଳି ଏବଂ ମଣିଷ ସିଂହ । ଏମାନେ କଟକରୁ ଚାଲାଣ କରି ସମ୍ବଲପୁର ଆଣୁଥିଲେ। ସେମାନଙ୍କୁ ଠାରୁ ସୂଚନା ନେଇ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୧୫ ଜଣଙ୍କୁ ଗିରଫ କରାଯାଇଛି।ଅନ୍ୟ ୧୫ ଅଭିଯୁକ୍ତମାନେ ହେଲେ ତ୍ରିନାଥ ବେହେରା, ଶେଖ୍ ଫିରୋଜ, ପୀତବାସ ସାହୁ, ସତ୍ୟମ୍ ନାଗ, ପିଣ୍ଟୁ ସୁନା, ରବି ଦାସ, ସତ୍ୟମ ସ୍ୱାଇଁ, ଦୁର୍ଗା ଦୀପ, ବସନ୍ତ ଗୁରୁ, ସୁଦର୍ଶନ ରାଉତ, ହାସନ୍ ରାଜା, ପାପି ବିଭାର, ଅମନ ଦୀପ, ଅନିଲ ଯାଦବ।
ଅପରାଧୀ ଗୋଷ୍ଠୀଙ୍କୁ ଗିରଫ କରିବା ସମ୍ବଲପୁର ପୁଲିସ ପାଇଁ ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର କୋରେକ୍ସ ମାଫିଆ ଓ ପେଡେଲାର ଗୋଷ୍ଠୀଙ୍କୁ ଗିରଫ କରାଯାଇଛି। କିନ୍ତୁ ମୁଖ୍ୟ ଅଭିଯୁକ୍ତଙ୍କ ଠାରେ ପୁଲିସ ପହଞ୍ଚିବାରେ ବିଫଳ ହୋଇଛି। କୋଲକାତା ଓ ରାୟପୁରରେ କୋରେକ୍ସ ତିଆରି ହୋଇ କଟକ ଚାଲାଣ ହେଉଛି। ସେଠାରୁ ସମ୍ବଲପୁରକୁ ଆସୁଥିବା ସୂଚନା ମିଳିଛି।